Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ହାଇଦ୍ରାବାଦର ଓକିଲ ହତ୍ୟା ମାମଲାରେ କଂଗ୍ରେସ ନେତା ମୁଜାହିଦ୍ ଆଲମ ଖାନ୍ ଓ ତାଙ୍କ ବାପା ଗିରଫ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହାଇଦ୍ରାବାଦର ଓକିଲ ହତ୍ୟା ମାମଲାରେ କଂଗ୍ରେସ ନେତା ମୁଜାହିଦ୍ ଆଲମ ଖାନ୍ ଓ ତାଙ୍କ ବାପା ଗିରଫ । ତେବେ ସିନିୟର ଓକିଲ ତଥା ୱାକଫ୍ ବୋର୍ଡର ପ୍ୟାନେଲ୍ ଆଡଭୋକେଟ୍ ଖାଜା ମୋଇଜୁଦ୍ଦିନଙ୍କ ମୃତ୍ୟୁ ମାମଲାରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଯେଉଁ ଘଟଣାକୁ ପ୍ରଥମେ ଏକ 'ହିଟ୍ ଆଣ୍ଡ୍ ରନ୍' (Hit-and-run) ଦୁର୍ଘଟଣା ବୋଲି ଭାବି ନିଆଯାଇଥିଲା, ତାହା ପ୍ରକୃତରେ ଏକ ସୁଚିନ୍ତିତ ସୁପାରି କିଲିଙ୍ଗ୍ ବା କଣ୍ଟ୍ରାକ୍ଟ କିଲିଙ୍ଗ୍ (Contract killing) ଥିଲା ବୋଲି ହାଇଦ୍ରାବାଦ ପୋଲିସ ସୂଚନା ଦେଇଛି।

ଏହି ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ଭାବେ ତେଲଙ୍ଗାନା କଂଗ୍ରେସ ନେତା ମୁଜାହିଦ୍ ଆଲମ ଖାନ୍ ଏବଂ ତାଙ୍କ ବାପା ମହବୁବ୍ ଆଲମ ଖାନ୍‌ଙ୍କୁ ପୋଲିସ ଗିରଫ କରିଛି। ସେପଟେ ମୃତ ଓକିଲ ଖାଜା ମୋଇଜୁଦ୍ଦିନ ଏବଂ ଅଭିଯୁକ୍ତ ଖାନ୍ ପରିବାର ମଧ୍ୟରେ ହାଇଦ୍ରାବାଦର ମୂଲ୍ୟବାନ ୱାକଫ୍ ସମ୍ପତ୍ତିର (Waqf properties) ପରିଚାଳନା ଓ ଆର୍ଥିକ ନିୟନ୍ତ୍ରଣକୁ ନେଇ ଗତ ୧୦ ବର୍ଷ ହେବ ବିବାଦ ଚାଲିଥିଲା।

ଚାଲିଥିବା ସିଭିଲ୍, କ୍ରିମିନାଲ୍ ଏବଂ ୱାକଫ୍ ଟ୍ରିବ୍ୟୁନାଲ୍ ମାମଲାରେ ଓକିଲ ମୋଇଜୁଦ୍ଦିନଙ୍କ ଯୋଗୁଁ ଅଭିଯୁକ୍ତମାନଙ୍କୁ ବାରମ୍ବାର ଆଇନଗତ ଝଟକା ଲାଗୁଥିଲା। ଏଥିରେ ପ୍ରତିଶୋଧପରାୟଣ ହୋଇ ସେମାନେ ଓକିଲଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ।ଓକିଲଙ୍କୁ ସେମାନଙ୍କ ରାସ୍ତାରୁ ହଟାଇବା ପାଇଁ କଂଗ୍ରେସ ନେତା ଓ ତାଙ୍କ ବାପା ମଧ୍ୟସ୍ଥିମାନଙ୍କ ଜରିଆରେ ଏକ କଣ୍ଟ୍ରାକ୍ଟ କିଲର ଗ୍ରୁପ୍‌କୁ ₹୧୫ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ।

ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଏକ ସେକେଣ୍ଡ ହ୍ୟାଣ୍ଡ ମହିନ୍ଦ୍ରା ସ୍କର୍ପିଓ (Mahindra Scorpio) ଗାଡ଼ି କିଣାଯାଇଥିଲା।ଗତ ମେ' ୨୩ ତାରିଖ ସକାଳେ ଓକିଲ ଖାଜା ମୋଇଜୁଦ୍ଦିନ ଯେତେବେଳେ ନିଜ ନାମପଲ୍ଲୀ ବାସଭବନରୁ ମର୍ଣ୍ଣିଂ ସ୍ୱିମିଂ ପାଇଁ ବାହାରିଥିଲେ, ପୂର୍ବରୁ ଜଗି ରହିଥିବା ସ୍କର୍ପିଓ ଗାଡ଼ିଟି ତାଙ୍କୁ ତୀବ୍ର ଗତିରେ ଧକ୍କା ମାରିଥିଲା। ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭି (CCTV) ଫୁଟେଜ୍ ସଂଗ୍ରହ କରିବା ସହ ମେ' ୨୭ ତାରିଖରେ ହରିୟାଣାର ପାନିପଥରୁ 'କିଷାନ ଓରଫ ପପୁ' ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ପପୁକୁ ପଚରାଉଚରା କରିବା ପରେ ହିଁ ସୁପାରି କିଲରଠାରୁ ନେଇ କଂଗ୍ରେସ ନେତାଙ୍କ ପର୍ଯ୍ୟନ୍ତ ସମସ୍ତ ଲିଙ୍କ୍ ସାମ୍ନାକୁ ଆସିଥିଲା।

ମେ' ୨୯ ରେ ହାଇଦ୍ରାବାଦର ଜୁବିଲି ହିଲ୍ସ ସ୍ଥିତ ବାସଭବନରୁ କଂଗ୍ରେସ ନେତା ମୁଜାହିଦ୍ ଆଲମ ଖାନ୍‌ଙ୍କୁ ଗିରଫ କରାଯାଇଛି। ପୋଲିସ ଘଟଣାରେ ବ୍ୟବହୃତ ସ୍କର୍ପିଓ ଗାଡ଼ି, କଣ୍ଟ୍ରାକ୍ଟ କିଲରଙ୍କ ପାଇଁ ରଖାଯାଇଥିବା ₹୧୦.୧ ଲକ୍ଷ ନଗଦ ଟଙ୍କା ଏବଂ ଅନେକ ମୋବାଇଲ୍ ଫୋନ୍ ଜବତ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha