Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ହାଇଦ୍ରାବାଦରେ ଯୁବତୀ ବିକ୍ରି ମାମଲା ୭ ଆଦିବାସୀ ଝିଅ ଉଦ୍ଧାର,୨ ଦଲାଲ ଗିରଫ

ମୋହନା (ସତ୍ୟପାଠବ୍ୟୁରୋ): ୭୦ ହଜାର ଟଙ୍କା ଡିଲରେ ୭ ଆଦିବାସୀ ଝିଅଙ୍କୁ ବିକ୍ରି। ଗଜପତିର ଝିଅମାନଙ୍କୁ ହାଇଦ୍ରାବାଦ ନେଇ ବିକ୍ରି କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ପୁଲିସ ଘଟଣାକୁ ତତ୍ପରତା ସହ ନେଇଥିବାବେଳେ ଚଢ଼ଉ କରି ହାଇଦ୍ରାବାଦର ଗୋଟିଏ ସ୍ଥାନରୁ ସମସ୍ତ ଝିଅଙ୍କୁ ଉଦ୍ଧାର କରାଯାଇଛି। ଅଡ଼ବା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରା.ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁ ସୂଚନା ଦେଇଛନ୍ତି।

ଏହି ଘଟଣାରେ ୨ଦଲାଲ ହାଇଦ୍ରାବାଦର ସରିତା ଜୈନ ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଗୁମକୁଡି ଗାଁର ଈଶ୍ୱର କୁସିଲିଆଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ କହିଛନ୍ତି। ସୂଚନା ଅନୁଯାୟୀ, ଗତ ୨୧ ତାରିଖ ଦିନ ଡାଳିମ୍ବପୁର ଗାଁର ରିମ୍ପି ମଣ୍ଡଳ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଭଉଣୀ କୁଆଡେ ଚାଲିଯାଇଛି। ଏହାପରେ ଗତ ୨୪ ତାରିଖରେ ନିରୁଦ୍ଧିଷ୍ଟ ଥିବା ତାଙ୍କ ଭଉଣୀ ପରିବାର ଲୋକଙ୍କୁ ଫୋନ କରି କହିଥିଲେ ଯେ, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଞ୍ଚଳର ଈଶ୍ୱର ଚାକିରି ଦେବା ନାଁରେ ତାଙ୍କୁ ଓ ତାଙ୍କର ଜଣେ ସାଙ୍ଗକୁ ହାଇଦ୍ରାବାଦ ନେଇଯାଇଛନ୍ତି । ସେଠାରେ ଗୋଟିଏ ଘରେ ରଖି ସେମାନଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଛନ୍ତି ।

ଏନେଇ ପୁଲିସ ତଦନ୍ତ କରିବା ସହ ମହିଳା ସବ୍‌ଇନ୍ସପେକ୍ଟର ନଳିନୀ କଅଁରଙ୍କ ନେତୃତ୍ୱରେ ପୁଲିସ ଟିମ ହାଇଦ୍ରାବାଦ ଯାଇଥିଲେ । ସେଠାରେ ହାଇଦ୍ରାବାଦ ପୁଲିସ ସହାୟତାରେ ସରିତା ଜୈନଙ୍କ ଘରେ ଚଢ଼ଉ କରିଥିଲେ । ତାଙ୍କ ଘରୁ ୭ ଆଦିବାସୀ ଝିଅଙ୍କୁ ଉଦ୍ଧାର କରିଥିଲା ପୁଲିସ । ସେମାନଙ୍କ ମଧ୍ୟରେ ୬ ନାବାଳିକା ଅଛନ୍ତି । ତଦନ୍ତରୁ ଜଣା ପଡିଥିଲା ଯେ ଦଲାଲ ଈଶ୍ୱର ସେମାନଙ୍କୁ ନେଇ ୭୦ ହଜାର ଟଙ୍କାରେ ସରିତାଙ୍କ ପାଖରେ ବିକ୍ରି କରିଦେଇଥିଲେ । ସେଠାରେ ଝିଅ ମାନଙ୍କୁ ବିଭିନ୍ନ କାମ କରିବା ଆଳରେ ନିର୍ଯାତନା ଦିଆଯାଉଥିଲା ବୋଲି ଏସ୍‌ଡିପିଓ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଡବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha