Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ୍: ସୂଚନା ଦେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବହୁ ପ୍ରତୀକ୍ଷିତ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସାମୟିକ ଭାବେ ବାତିଲ ହୋଇଛି। ଆସନ୍ତା ୩ ତାରିଖ ଦିନ ସେ ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ବରଗଡ଼ ଓ ସମ୍ବଲପୁରରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଏକ ଜରୁରୀ ତଥା ବଡ଼ ନିଷ୍ପତ୍ତି କାରଣରୁ ଏହି ଗସ୍ତକୁ ସ୍ଥଗିତ ରଖାଯାଇଥିବା ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସାଂସଦ ଶ୍ରୀ ପୁରୋହିତଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀ ଦିଲ୍ଲୀରୁ ସିଧାସଳଖ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ବରଗଡ଼ ଯାଇଥାନ୍ତେ। ବରଗଡ଼ଠାରେ ପ୍ରାୟ ୧୭୫୦ କୋଟି ଟଙ୍କା ବ୍ୟୟରେ ବିପିସିଏଲ୍ (BPCL) ଦ୍ଵାରା ନିର୍ମିତ ବହୁ ପ୍ରତୀକ୍ଷିତ ଇଥାନଲ୍ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସେ ସାମିଲ ହେବାର ଥିଲା। ଏହା ସହିତ ସେଠାରେ ଏକ ବିଶାଳ ଜନସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା।ବରଗଡ଼ ପରେ ଶ୍ରୀ ଶାହ ସମ୍ବଲପୁର ଗସ୍ତ କରି ସେଠାରେ ରିଙ୍ଗ ରୋଡ୍‌ର ଭୂମିପୂଜନ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ଏବଂ ଏକ ବଡ଼ ସାଧାରଣ ସଭାରେ ଯୋଗ ଦେଇଥାନ୍ତେ। ଏହା ପରଦିନ ମାହାଙ୍ଗା ଅଞ୍ଚଳରେ ମଧ୍ୟ ତାଙ୍କର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା।

କେନ୍ଦ୍ର ସରକାର ତଥା ଭାରତୀୟ ଜନତା ପାର୍ଟିରେ ଅମିତ ଶାହଙ୍କର ଏକ ପ୍ରମୁଖ ଓ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବାରୁ, ଦିଲ୍ଲୀରେ ଏକ ବଡ଼ ନିଷ୍ପତ୍ତି ପ୍ରକ୍ରିୟା ପାଇଁ ତାଙ୍କର ଉପସ୍ଥିତି ଜରୁରୀ ହୋଇପଡ଼ିଛି। ସେଥିପାଇଁ ଆଜି ସକାଳେ ଏହି ଗସ୍ତ ବାତିଲ ହେବା ନେଇ ସୂଚନା ମିଳିଛି।

ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଏହି ଗସ୍ତ ସମ୍ପୂର୍ଣ୍ଣ ବାତିଲ ହୋଇନାହିଁ, ବରଂ ସାମୟିକ ଭାବେ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ଗୃହମନ୍ତ୍ରୀଙ୍କ ଗସ୍ତ ସୂଚୀ ପୁଣି ଥରେ ଚୂଡ଼ାନ୍ତ ହେବ ଏବଂ ତାଙ୍କରି ହାତରେ ହିଁ ପଶ୍ଚିମ ଓଡ଼ିଶାର ଏହି ମେଗା ଇଥାନଲ୍ ପ୍ରକଳ୍ପ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha