Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖାକିରେ ଦାଗ ! ଅପବାଦରୁ ମୁକୁଳି ପାରୁନି ବୌଦ୍ଧ ପୋଲିସ

ଖାକିରେ ଦାଗ ! ଅପବାଦରୁ ମୁକୁଳି ପାରୁନି ବୌଦ୍ଧ ପୋଲିସ

ବୌଦ୍ଧ, (ସତ୍ୟପାଠବ୍ୟୁରୋ ): ପୁଣି ଖାକିରେ ଲାଗିଛି ଦାଗ। ଗଞ୍ଜେଇ ଚାଲାଣରେ ପୋଲିସର ସମ୍ପୃକ୍ତି ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାରକୁ ନେଇ ଏକ ଅଡିଓ କ୍ଲିପ୍ ଭାଇରଲ୍‌ ହେବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଥିବା ଗଞ୍ଜେଇ ଗାଡ଼ି, ଟଙ୍କା କାରବାର ଏବଂ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଭାଇରଲ୍‌ ଅଡିଓରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଜଗନ୍ନାଥ ରୋଡ୍‌ର ହରଭଙ୍ଗା ବ୍ଲକର ହାଟଗାଁ ନିକଟରେ ପୁଲିସ ପେଟ୍ରୋଲିଂ କରୁଥିଲା। ଗୋଟିଏ ଗାଡ଼ି ସହ ପ୍ରାୟ ୧ କ୍ବିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଏବଂ ୨ ଜଣ ବ୍ୟକ୍ତି ଧରାପଡ଼ିଥିଲେ। ଭାଇରଲ୍‌ ହୋଇଥିବା ଅଡିଓରେ ପ୍ରାୟ ୪ ଜଣ ବ୍ୟକ୍ତି କଥା ହେଉଥିବାବେଳେ ଗଞ୍ଜେଇ କେଉଁ ଅଫିସର ଦେଇଛନ୍ତି ଏବଂ 'ସାହେବ' କେତେ ଟଙ୍କା ନେବେ, ସେ ନେଇ ଆଲୋଚନା ଚାଲିଛି। ଅଡିଓରେ ୪ ଲକ୍ଷ ଟଙ୍କାର କାରବାର, ଟେପ୍ ମରା ପ୍ୟାକିଂ ଗଞ୍ଜେଇ ଏବଂ ୪ ଦିନ ତଳେ ଗଞ୍ଜେଇ ଛାଡ଼ିବା ପ୍ରସଙ୍ଗରେ ବାରମ୍ବାର 'ସାର୍' ଓ 'ସାହେବ'ଙ୍କ ନାଁ ନିଆଯାଉଛି।

ଏହି କଥାବାର୍ତ୍ତା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ବୌଦ୍ଧ ପୋଲିସର ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ୍‌କୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିଲା। କିଛିଦିନ ତଳେ ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ପୂର୍ବତନ ମନମୁଣ୍ଡା ଥାନା ଅଧିକାରୀ ତଥା ଇନ୍ସପେକ୍ଟରଙ୍କୁ ଡିଜିପି ନିଲମ୍ବିତ କରିଥିଲେ। ଏବେ ପୁଣି ଏକ ନୂଆ ଅଡିଓ ଭାଇରଲ୍‌ ହେବା ପରେ ବିଭାଗୀୟ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଅଡିଓର ସତ୍ୟାସତ୍ୟ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପ୍ରକୃତରେ ଏହି ଅଡିଓ ରେକର୍ଡ କାହାର ଓ କଥା ହେଉଥିବା ବ୍ୟକ୍ତିମାନେ କିଏ? ପାଟ୍ରୋଲିଂ ଗାଡ଼ିରେ ଥିବା ପୁଲିସ କର୍ମଚାରୀଙ୍କୁ ଚିହ୍ନଟ କରି ପଚରାଉଚରା କଲେ ହିଁ ପ୍ରକୃତ ଘଟଣାର ପର୍ଦାଫାସ ହୋଇପାରିବ। ଘଟଣାର ନିରପେକ୍ଷ ତଦନ୍ତ କରି ଅଡିଓରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ସେପଟେ ଅଡିଓ ଭାଇରଲ୍‌କୁ ନେଇ ବୌଦ୍ଧ ଏସ୍‌ପି କୁଲଦୀପ ମିନା ଅବଗତ ଥିବା କହିଛନ୍ତି। ଅନ୍ୟପଟେ ଯଦି ଗଞ୍ଜେଇ ଲିଙ୍କ୍‌ରେ କୌଣସି ପୋଲିସ କର୍ମଚାରୀଙ୍କ ଲିଙ୍କ୍‌ ଆସିଲେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha