Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୁଣ୍ଡ ଉପେର ଝୁଲୁଛି ବିପଦ. ଅସୁରକ୍ଷିତ ପରିବେଶରେ ଭବିଷ୍ୟତ ଗଢ଼ା

ମୁଣ୍ଡ ଉପେର ଝୁଲୁଛି ବିପଦ. ଅସୁରକ୍ଷିତ ପରିବେଶରେ ଭବିଷ୍ୟତ ଗଢ଼ା

ମାଲକାନଗିରି, (ସତ୍ୟପାଠବ୍ୟୁରୋ): ଅସୁରକ୍ଷିତ ପରିବେଶରେ ଚାଲିଛି ଭବିଷ୍ୟତ ଗଢ଼ା। ଦୟନୀୟ ଭିତ୍ତିଭୂମି ଭିତରେ ଚାଲିଛି ପାଠପଢ଼ା। କେଉଁଠି ବିଦ୍ୟାଳୟର ଛପର ଓ ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଛି, ତ ଆଉ କେଉଁଠି ଶ୍ରେଣୀଗୃହର କାନ୍ଥ ଓ ଚଟାଣ ଭାଙ୍ଗି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ବର୍ଷାଦିନେ ସନ୍ତସନ୍ତିଆ ଓ ଅସୁରକ୍ଷିତ ପରିବେଶରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାକୁ ପଡ଼ୁଛି।

ଗୋଟିଏ କି ଦୁଇଟି ନୁହେଁ ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକରେ ଥିବା ଅନେକ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ସୂଚନା ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ହୋଇଥିବା କାଳବୈଶାଖୀ ବର୍ଷାରେ ପଡ଼ିଆ ବ୍ଳକର ରାମାଗୁଡା, ଏମ୍‌ପିଭି-୪୯, ଏମ୍ପିଭି-୬୬, ଏମ୍‌ଭି-୧୨୫, ସଙ୍ଗେଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଉଣ୍ଡୁରୁକୋଣ୍ଡା ଉନ୍ନୀତ ଉଚ୍ଚବିଦ୍ୟାଳୟର ଛପର ଓ ଛାତ ଉଡ଼ିଯାଇଛି। ସେହିପରି ଟେକାଲଗୁଡ଼ା, ଏରବନପଲ୍ଲୀ, ଇରାଲଗୁଣ୍ଡି, କୁମ୍ଭାରଗୁଡା, ରେଙ୍ଗାଲିଗୁଡା, ବାଲାମପଲ୍ଲୀ, ନାକାମୁଣ୍ଡା ଓ ଏମ୍‌ପିଭି-୪୮ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଗୁଡ଼ିକର କାନ୍ଥ, ଛାତ ଓ ଚଟାଣ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ କେତେକର ଅବସ୍ଥା ଏତେ ବିପଦସଙ୍କୁଳ ଯେ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପଲିଥିନ୍ ଟାଣି ଏବଂ ଅସ୍ଥାୟୀ ବ୍ୟବସ୍ଥାରେ ଚାଲିଛି ପାଠପଢ଼ା।

୬ ସ୍କୁଲ୍‌ର ଛାତ ଉଡ଼ିଛି, ୮ ସ୍କୁଲ୍‌ର କାନ୍ଥ ଓ ଚଟାଣ ଫାଟି ଆଁ କରି ରହିଛି। ଏଭଳି ଅବ୍ୟବସ୍ଥା ନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ପଲିଥିନ୍ ପକାଇବା ସହ ଅସ୍ଥାୟୀ ବ୍ୟବସ୍ଥା କରି ପାଠପଡ଼ା ଜାରି ରଖିଛନ୍ତି। ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଅନେକ ବିଦ୍ୟାଳୟ ମରାମତି ହୋଇନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି।

ଅନ୍ୟପକ୍ଷରେ, ନିଲିଗୁଡା ପଞ୍ଚାୟତ ଚୁନୁରଗୁଡା ଓ କମାରଗୁଡା ବିଦ୍ୟାଳୟର ରୋଷେଇ ଘର ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଏନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ମରାମତି କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଏ ସମ୍ପର୍କରେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, କିଛି ବିଦ୍ୟାଳୟର ମରାମତି କାର୍ଯ୍ୟ ହାତକୁ ନିଆଯାଇଛି। ଅନ୍ୟ ବିଦ୍ୟାଳୟ ଗୁଡ଼ିକର ମରାମତି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ପଡ଼ିଆ ବ୍ଲକରେ ଶିକ୍ଷା ଭିତ୍ତିଭୂମିରେ ସୁଧାର ନ ଆସିବା ଚିନ୍ତାର କାରଣ ପାଲଟିଛି। ତୁରନ୍ତ କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକର ମରାମତି କରି ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha