ଜୟପୁର: ୧୯୯୭ ପୂର୍ବରୁ ପାଇଥିଲେ ଆଦିବାସୀ ମାନ୍ୟତା । ମିଳୁଥିଲା ସରକାରୀ ସୁବିଧା । ହେଲେ ରାଜସ୍ୱ ସେଟଲ୍ମେଂଟ୍ ସମୟରେ ବିଭାଗୀୟ ଅଧିକାରୀ ପରଜା ବଦଳରେ ଏହି ସମ୍ପ୍ରଦାୟକୁ ଝୋଡିଆ ବୋଲି ଉଲ୍ଲେଖ କରିଦେଲେ । ଆଉ ସରକାରୀ ବାବୁଙ୍କ ଏହି ଛୋଟିଆ ଭୁଲ୍ ଝୋଡିଆଙ୍କ ବିକାଶରେ ବଡ କଂଟା ସାଜିଲା । ସରକାର ଆଦିବାସୀ ମାନ୍ୟତା ପ୍ରତ୍ୟାହୃତ କରିନେବା ପରେ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇ ୨୯ ବର୍ଷ ହେଲା ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଝୋଡିଆ ସମ୍ପ୍ରଦାୟ ।
ପଡୋଶୀ କଳାହାଣ୍ଡି, କୋରାପୁଟର ପରଜା ସମ୍ପ୍ରଦାୟକୁ ସରକାର ପ୍ରଦାନ କରିଛନ୍ତି ଆଦିବାସୀ ମାନ୍ୟତା । ରାୟଗଡା ପାଇଁ ନିୟମ ଅଲଗା ହୋଇଯାଇଛି । ଫଳରେ ଜାତିଗତ ପ୍ରମାଣପତ୍ରଠୁ ଆରମ୍ଭ କରି ସ୍କୁଲ୍, କଲେଜରେ ନାମ ଲେଖାଇବା, ଅଣଆଦିବାସୀଙ୍କ ହାତରେ ଥିବା ଜମିକୁ ଫେରାଇ ଆଣିବାରୁ ବଂଚିତ ହୋଇଛନ୍ତି ଝୋଡିଆ ।
ହକ୍ ହାସଲ ପାଇଁ ୧୯୯୭ରୁ ନିରନ୍ତର ଭାବେ ଲଢ଼େଇ ଜାରି ରଖିବା ସତ୍ୱେ ସରକାର କର୍ଣ୍ଣପାତ କରୁନାହାନ୍ତି । ସବୁଠୁ ବଡ କଥା ହେଲା ଆଦିବାସୀ ଅଂଚଳରେ ମଦ ବନ୍ଦ ପାଇଁ ନବେ ଦଶକରେ ତକôାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଆଦିବାସୀ ନାରୀ ନେତ୍ରୀ ସୁମନୀ ଝୋଡିଆଙ୍କୁ ପୁଲିସ କ୍ଷମତା ପ୍ରଦାନ କରିଥିଲେ । ସେହିପରି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସୁମନୀଙ୍କୁ ରାଜ୍ୟ ଯୋଜନା ବୋର୍ଡରେ ଆଦିବାସୀ ପ୍ରତିନିଧି ଉପଦେଷ୍ଟା ଭାବେ ରଖିଥିଲେ । ୨୦୧୪ରେ ମୋଦୀ ସରକାର ଶାସନକୁ ଆସିବା ପରେ ଆସାମ, ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ଡର ୧୫ରୁ ଅଧିକ ସଂପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ କଲେ । କିନ୍ତୁ ଓଡିଶାର ଦାବିକୁ ବିଚାରକୁ ନେଲେନି ।
ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ…
ମଦମୁକ୍ତ ନୁହେଁ, ମଦଯୁକ୍ତ ଓଡ଼ିଶା…
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ସୁପାରିସ ସତ୍ୱେ ଝୋଡିଆ ସଂପ୍ରଦାୟଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଚାଲିଛନ୍ତି । ପ୍ରତିବାଦରେ ଝୋଡିଆ ସଂପ୍ରଦାୟ ୨୦୧୨ରେ କାଶୀପୁର ପଂଚାୟତ ନିର୍ବାଚନ ବର୍ଜନ କରିଥିଲେ । ଏହା ପରେ କେନ୍ଦ୍ର ସରକାରଙ୍କ ଏକ ଟିମ୍ କାଶୀପୁର ଗସ୍ତ କରି ସର୍ଭେ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛି । ହେଲେ ଆଜି ସୁଦ୍ଧା ସର୍ଭେ ରିପୋର୍ଟ ନାଲିଫିତାରେ ବନ୍ଧା ହୋଇ ରହିଛି ।
ସୂଚନାଯୋଗ୍ୟ, କାଶୀପୁର ବ୍ଲକର ୧୨ଟି ପଂଚାୟତରେ ୬୦ ହଜାରରୁ ଅଧିକ ଝୋଡିଆ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଆଦିବାସୀ ମାନ୍ୟତା ହରାଇବା ପରେ ଏମାନେ ଅବହେଳିତ ହୋଇ ରହିଛନ୍ତି । ଝୋଡିଆଙ୍କ ଚାଲିଚଳଣି, ସଂସ୍କୃତି, ପରମ୍ପରା ଆଦିବାସୀ ସମ୍ପ୍ରଦାୟ ଭଳି ସମାନ ଥିବାବେଳେ ସରକାର କାହିଁକି ଏହି ଜନଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନରେ କୁଣ୍ଠାବୋଧ କରୁଛନ୍ତି ତାହା ଅନେକଙ୍କୁ ଚକିତ କରିଛି ।

