Dailyhunt
ଅଣିମାଣ୍ଡବ୍ୟ

ଅଣିମାଣ୍ଡବ୍ୟ

ଜି ଭାରତରେ ବାଳ ଅପରାଧ ପାଇଁ ଏକ ସ୍ୱତନ୍ତ୍ର କିଶୋର ନ୍ୟାୟ ସଂହିତା ସୃଷ୍ଟି ହୋଇଛି। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ, ଏହି ନ୍ୟାୟ ସଂହିତାର ମୂଳ ପ୍ରବର୍ତକ ଥିଲେ ଜଣେ ପ୍ରାଚୀନ ମୁନି। ତାଙ୍କର ନାମ ଥିଲା ମାଣ୍ଡବ୍ୟ। ସେ ଆପାତତଃ 'ଅଣିମାଣ୍ଡବ୍ୟ' ନାମରେ ପରିଚିତ।ଏକଦା ଏହି ମୁନି ମୌନବ୍ରତ ଅବଲମ୍ବନ କରି କଠୋର ତପସ୍ୟାରେ ରତ ଥିଲେ।

ଏହି ସମୟରେ କିଛି ଚୋର ଚୋରି କରି, ଚୋରି ସାମଗ୍ରୀକୁ ମୁନିଙ୍କ ଆଶ୍ରମରେ ଲୁଚାଇ ରଖି ଚାଲିଗଲେ। ରାଜକର୍ମଚାରୀମାନେ ଚୋରଙ୍କର ଅନୁସରଣ କରି ଆସି ମୁନିଙ୍କ ଆଶ୍ରମରେ ପହଂଚିଲେ।

ସେଠାରେ ଚୋରି ହୋଇଥିବା ପଦାର୍ଥଗୁଡିକୁ ଦେଖି ମୁନି ସେହି ଚୋରି କରିଛନ୍ତି ବୋଲି ଭାବି ମୁନିଙ୍କୁ ଧରି ନେଇଗଲେ। ମୌନବ୍ରତ ଅବଲମ୍ବନ କରିଥିବା ହେତୁ ମାଣ୍ଡବ୍ୟ କିଛି ପ୍ରତିରୋଧ କଲେ ନାହିଁ। ରାଜା ମୁନିଙ୍କୁ ମୃତ୍ୟୁଦଣ୍ଡ ସ୍ୱରୂପ ଶୂଳିରେ ବସାଇ ଦେଲେ।ଅସହ୍ୟ ଯନ୍ତ୍ରଣା ସତ୍ୱେ ମୁନି ମୌନ ରହିଥାଆନ୍ତି। ଏହି ସମୟରେ କେତେକ ପକ୍ଷୀ ସେମାନଙ୍କ ମଧ୍ୟରେ କଥା ହେଲେ- ''ଆହା, ବିଚରା ନିରପରାଧ ମୁନି କେତେ କଷ୍ଟ ଭୋଗୁଛନ୍ତି, ଅଥଚ ଚୋରମାନେ ସେଠାରେ ଆନନ୍ଦ ଉତ୍ସବ କରୁଛନ୍ତି।''

ସହରାଂଚଳ ଅଭିବୃଦ୍ଧି: ୫ ବର୍ଷରେ…

ଅପ୍ରେଲ ୧୩ ଓ ୧୪ ଦୁଇଦିନ ଧରି…

ରାଜ କର୍ମଚାରୀମାନେ ଏହା ଶୁଣି ଚୋରଙ୍କୁ ଧରିଆଣିଲେ ଏବଂ ମୁନିଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ।ରାଜା ଅନୁତପ୍ତ ହୋଇ ମୁନିଙ୍କୁ କ୍ଷମା ମାଗିଲେ ଏବଂ ତାଙ୍କୁ ଶୂଳିରୁ ବାହାର କରିଆଣିଲେ। ମାତ୍ର ଶୂଳିର ଅଗ୍ର ଭାଗ (ଅଣି) ଋଷିଙ୍କ ଶରୀରରେ ରହିଗଲା। ସେବେଠାରୁ ତାଙ୍କ ନାମ ହେଲା ଅଣିମାଣ୍ଡବ୍ୟ।ତପସ୍ୟା ଶେଷରେ ଅଣିମାଣ୍ଡବ୍ୟ ଧର୍ମରାଜ (ଯମ)ଙ୍କୁ ପଚାରିଲେ- ମୋର ଜାଣତରେ ମୁଁ କୌଣସି ଅପରାଧ କରି ନାହିଁ। ତେବେ ଏତେ କଠୋର ଦଣ୍ଡ ମୁଁ କାହିଁକି ପାଇଲି?

ଯମରାଜ କହିଲେ-ବାଳୁତ କାଳରେ ତୁମେ ଏକ ଛୋଟ କୀଟ ଦେହରେ କଂଟା ଫୋଡି ଆନନ୍ଦ କରିଥିଲ। ଏହା ସେହି କର୍ମର ଫଳ।
ମାଣ୍ଡବ୍ୟ ଯୁକ୍ତି କଲେ- ୧୪ ବର୍ଷ ପର୍ଯ୍ୟନ୍ତ ଜଣେ ମଣିଷର ଜ୍ଞାନଚକ୍ଷୁ ଉନ୍ମୀଳିତ ହୋଇ ନ ଥାଏ। ପାପ କ'ଣ ପୁଣ୍ୟ କ'ଣ ସେ ଜାଣି ନ ଥାଏ। ତେଣୁ ଏ ଦଣ୍ଡ ତା' ପାଇଁ ଉପଯୁକ୍ତ ନୁହେଁ।ଧର୍ମରାଜ ଅଣିମାଣ୍ଡବ୍ୟଙ୍କ କଥାରେ ସମ୍ମତ ଥିଲେ। ସେ ବାଳ ଅପରାଧ ନିମିତ ସ୍ୱତନ୍ତ୍ର ଦଣ୍ଡବିଧି ନିର୍ଦ୍ଧାରଣ କଲେ ଏବଂ ଏପରି ଏକ ଭୁଲ ନିଷ୍ପତି କରିଥିବାରୁ ପରବର୍ତୀ କାଳରେ ନିଜକୁ ଦଣ୍ଡିତ ମଧ୍ୟ କରିଥିଲେ।ପରବର୍ତୀ କାଳରେ ସ୍ୱୟଂ ବିଦୂର ଭାବରେ ଜନ୍ମ ଗ୍ରହଣ କରି ସେ ବହୁ ଅନ୍ୟାୟର ମୂକସାକ୍ଷୀ ହୋଇଥିଲେ। ଏହି ଦଣ୍ଡ ଯମଙ୍କ ନିମିତ ଅଣିମାଣ୍ଡବ୍ୟ ହିଁ ନିର୍ଦ୍ଧାରଣ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News