Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ

ବରିଷ୍ଠ ଆଇପିଏସ୍ ଅଧିକାରୀ ସେଫିନ ଅହମ୍ମଦ କେ.ଙ୍କ ବିୟୋଗରେ ଓଡ଼ିଶା ପୋଲିସର ଶୋକ

(ସାକ୍‌ସୀ ନ୍ୟୁଜ୍‌): ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜିପି (କ୍ରାଇମବ୍ରାଞ୍ଚ) ସେଫିନ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ଓଡ଼ିଶା ପୋଲିସ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଆଇପିଏସ ସଂଘର ସଭ୍ୟ/ ସଭ୍ୟାମାନେ ଗଭୀର ମର୍ମାହତ ହୋଇଛନ୍ତି ।

ଏହି ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ଵରସ୍ଥିତ ପୋଲିସ ଭବନଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଆୟୋଜନ କରାଯାଇ ସ୍ୱର୍ଗତଃ ସେଫିନ ଙ୍କ ସ୍ମୃତିଚାରଣ କରାଯାଇଥିଲା।

ଏହି ଅବସରରେ ସ୍ୱର୍ଗତଃ ସେଫିନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିସହ ସଂଘ ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା ।

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ…

ଶକ୍ତି ସମ୍ମିଳନୀରେ ମହିଳା ସୁରକ୍ଷା…

୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା…

ଦେଶର ପ୍ରଥମ ଆଇଜିବିସି…

ଶୋକ ସଭାକୁ ସମ୍ବୋଧନ କରି ଡିଜିପି ଶ୍ରୀ ମିଶ୍ର କହିଥିଲେ ଯେ, ସ୍ଵର୍ଗତ ସେଫିନ ଅହମ୍ମଦ ଜଣେ ଦକ୍ଷ, କର୍ମଠ ଏବଂ ସମର୍ପିତ ଆଇ.ପି.ଏସ୍ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିଲେ। ନିଜ ଦୀର୍ଘ ଚାକିରି ଜୀବନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରି ଓଡିଶା ପୋଲିସର ମର୍ଯ୍ୟାଦା ତଥା ସୁନାମ ବଢ଼ାଇଥିଲେ। ତାଙ୍କ ବିୟୋଗ ସମାଜ ଏବଂ ପୋଲିସ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ସ୍ଵର୍ଗତ ସଫିନ ଅହମ୍ମଦଙ୍କ ସହ ଜଡିତ କିଛି ଅଭୁଲା ସ୍ମୃତିକୁ ମଧ୍ୟ ସେ ସ୍ମରଣ କରିବା ସହ ତାଙ୍କର ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ।

ପ୍ରାରମ୍ଭରେ ରାଜ୍ୟ ଆଇ.ପି.ଏସ୍ ସଂଘର ସମ୍ପାଦକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ଵର୍ଗତ ସେଫିନଙ୍କ ଚାକିରି ଜୀବନ ଉପରେ ଆଲୋକପାତ କରିଥିଲେ। ୧୯୭୬ ମସିହାରେ କେରଳମରେ ଜନ୍ମଗ୍ରହଣ କରିଥିବା ସେଫିନ ଅହମ୍ମଦ କେ. ଆର୍.ଆର୍.-୨୦୦୩ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଭାବେ ପୋଲିସ ସେବାରେ ଯୋଗଦେଇଥିଲେ। ୨୦୦୫ରେ ସୁନ୍ଦରଗଡ ଜିଲ୍ଲାରେ ଟ୍ରେନିଂ ଗ୍ରହଣ କରି ପ୍ରଥମେ ଗୁଣୁପୁର ଏସଡିପିଓ , ପରେ ପରେ ଦେବଗଡ଼, ଝାରସୁଗୁଡ଼ା, ଗଜପତି, ଭିଜିଲାନ୍ସ ନିର୍ଦ୍ଦେଶାଳୟ, ବ୍ରହ୍ମପୁର ଓ କଳାହାଣ୍ଡି ଜିଲ୍ଲାରେ ଏସ୍‌ପି ଭାବେ ନିଜର ଦାୟିତ୍ଵ ସୂଚାରୁରୁପେ ସମ୍ପାଦନ କରିଥିଲେ। ନକ୍ସଲ ଦମନ କ୍ଷେତ୍ରରେ ତାଙ୍କର ଅବଦାନ ଗୁରୁତ୍ଵପୂର୍ଣ୍ଣ ଥିଲା। ୫ ବର୍ଷ ନିମନ୍ତେ ନିଜ ରାଜ୍ୟ କେରଳମକୁ ଡେପୁଟେସନରେ ଯାଇ ଏସ୍‌ପି (କମ୍ପ୍ୟୁଟର) ଥିରୁଅନନ୍ତପୁରମ ,ଏଆଇଜି ମୁଖ୍ୟାଳୟ ଏବଂ ଡିଆଇଜି (ଆଡମିନ), ଡିଆଇଜି (ଆର୍ମଡ୍ ପୋଲିସ ବାଟାଲିୟନ) ଭଳି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ।ନକ୍ସଲ ଦମନ ନିମନ୍ତେ କେରଳମ ରାଜ୍ୟରେ ମୁଳଦୁଆ ପକାଇବାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା। ୨୦୧୯ ମସିହାରେ ସେ ଓଡ଼ିଶାକୁ ଫେରି ଡିଆଇଜି (ମୁଖ୍ୟାଳୟ) କଟକ, ଡିଆଇଜି (ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ), କୋରାପୁଟ ଏବଂ ଡିଆଇଜି (ଟେକ୍ନିକାଲ୍‌), କଟକ ଭଳି ପଦବୀରେ କାର୍ଯ୍ୟ କରିଥିଲେ ।

ପରବର୍ତ୍ତୀ ସମୟରେ ସେ ଆଇଜିପି (ଟେକ୍ନିକାଲ୍‌), କଟକ, ଆଇଜିପି (ଫାୟାର ସର୍ଭିସେସ୍ ଓ ହୋମଗାର୍ଡସ୍‌) ଏବଂ ଆଇଜିପି (ଏଚ୍‌ଆର୍‌ପିସି), ଓଡ଼ିଶା ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ଦାୟିତ୍ୱ ତୁଲାଇଛନ୍ତି। ୧୦ ଜୁଲାଇ ୨୦୨୩ରୁ ସେ ଆଇଜିପି (କ୍ରାଇମବ୍ରାଞ୍ଚ) ଭାବେ କାର୍ଯ୍ୟରତ ଥିଲେ ।

ଆଜିର ଏହି ଶୋକ ସଭାରେ ନିର୍ଦ୍ଦେଶକ (ଗୁଇନ୍ଦା ବିଭାଗ) ତଥା ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଆର. ପି. କୋଚେ, ମହାନିର୍ଦ୍ଦେଶକ (କାରାଗାର ଏବଂ ସଂଶୋଧନ ସେବା) ଶ୍ରୀ ସୁଶାନ୍ତ ନାଥ, ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ଵତନ୍ତ୍ର ଗୁଇନ୍ଦା ବିଭାଗ ) ଶ୍ରୀ ସଂଜୀବ ପଣ୍ଡା, ନିର୍ଦ୍ଦେଶକ (ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ) ଶ୍ରୀ ୟଶବନ୍ତ ଜେଠୱା, ସ୍ଵତନ୍ତ୍ର ସଚିବ (ଗୃହ ବିଭାଗ) ଶ୍ରୀ ଆର. କେ. ଶର୍ମା, ନିର୍ଦ୍ଦେଶକ (ଏସ ଏଫଏସଏଲ) ଡ଼ ସନ୍ତୋଷ ବଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପରିବହନ କମିଶନର, ଓଡ଼ିଶା ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କାରାଗାର ବିଭାଗ) ଶ୍ରୀ ଅମିତାଭ ଠାକୁର, ପୋଲିସ କମିଶନର (ଭୁବନେଶ୍ଵର-କଟକ) ଡ଼ ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଶ୍ରୀ ଯତୀନ୍ଦ୍ର କୋୟଲ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News