Dailyhunt
ବୃକ୍ଷ ଉପାସନାର ପର୍ବ

ବୃକ୍ଷ ଉପାସନାର ପର୍ବ

ଭାରତ ବର୍ଷରେ ୭୦୫ରୁ ଅଧିକ ଜନଜାତିର ଆଦିବାସୀ ବସବାସ କରନ୍ତି। ତନ୍ମଧ୍ୟରୁ ଓଡିଶାରେ ୬୪ ଜନଜାତିର ଆଦିବାସୀ ଅଛନ୍ତି। ୧୯୭୫ ସରକାରୀ ତଥ୍ୟ ଅନୁସାରେ ୫୨ ଜନଜାତି ଆଦିବାସୀ ସରକାରୀ ସ୍ୱୀକୃତିପ୍ରାପ୍ତ ପାଇଥିବା ବେଳେ ତାହା ବୃଦ୍ଧି ପାଇ ୭୫ ଜନଜାତି ଅସୁରକ୍ଷିତ ଦୁର୍ବଳ ଶ୍ରେଣୀର ଆଦିମ ଆଦିବାସୀରେ ପହଞ୍ଚିଛି। ସେଥିମଧ୍ୟରୁ ଓଡିଶାରେ ସମୁଦାୟ ୧୩ ଜନଜାତି ଅସୁରକ୍ଷିତ ଦୁର୍ବଳ ଶ୍ରେଣୀର ଆଦିମ ଆଦିବାସୀ, ଯାହା ଭାରତର ପ୍ରଥମ ଆଦିବାସୀ ବହୁଳ ରାଜ୍ୟ କୁହାଯାଉଥିବା ବେଳେ ଦ୍ୱିତୀୟ କ୍ରମାନୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ, ଯାହା ୧୨ ଜନଜାତି ଅସୁରକ୍ଷିତ ଦୁର୍ବଳ ଶ୍ରେଣୀର ଆଦିମ ଆଦିବାସୀ ରହିଛନ୍ତି।

୨୦୧୧ ଜନଗଣନା ଅନୁସାରେ ସମୁଦାୟ ଜନସଂଖ୍ୟାର ୮.୬% ଆଦିବାସୀ ମଧ୍ୟରୁ ପ୍ରାୟ ୯୭% ଆଦିବାସୀ ଗ୍ରାମ ଓ ଅରଣ୍ୟ ଅଞ୍ଚଳରେ ବସବାସ କରନ୍ତି। ଅବଶିଷ୍ଟ ୩% ଆଦିବାସୀ ସହରାଞ୍ଚଳରେ ବସବାସ କରନ୍ତି। ଆଦିବାସୀମାନେ କୃଷିକୁ ମୁଖ୍ୟ ଜୀବିକା ଗ୍ରହଣ କରିଥିବା ବେଳେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା, ଗାଈ, ବଳଦ, ମଇଁଷି, ମେଣ୍ଢା, ଛେଳି, କୁକୁଡ଼ା, ପାରା ଚାଷ କରନ୍ତି। ମାଛ ଧରିବା ଓ ବନ୍ୟଜନ୍ତୁ ଶିକାର କରିବା ସେମାନଙ୍କର ଏକ ପ୍ରକାର ପରମ୍ପରା ହୋଇଥାଏ।

ଶ୍ରମଜୀବୀ ହେଲେ ମଧ୍ୟ ସେମାନେ ଜୀବନର ଦୁଃଖ, କଷ୍ଟ, ଯନ୍ତ୍ରଣା ତଥା ଭଲମନ୍ଦକୁ ସ୍ୱାଭାବିକ ଭାବରେ ଗ୍ରହଣ କରିନିଅନ୍ତି । ଏସବୁ ସେମାନେ ନାଚଗୀତରେ ହେଉ କିମ୍ବା ଗପସପ ଓ କଥା ବାର୍ତ୍ତାରେ ମଜ୍ଜିଯାଇ ପର ମୁହୂର୍ତ୍ତରେ ଭୁଲିଯାନ୍ତି। ସେମାନେ ଭଲଭାବରେ ଜାଣିଛନ୍ତି, କୌଣସି ମୂଲ୍ୟବାନ ସମୟ ସବୁବେଳେ ମିଳେ ନାହିଁ କିମ୍ବା ସବୁବେଳେ ଆସେ ନାହିଁ। ଥରେ ହାତଛଡ଼ା କରିଦେଲେ ବରଷ ଶେଷ ହେଇଯାଏ। ବରଷକ ଭିତରେ କଣ ହୋଇଥିବ କିଏବା ଜାଣିଛି? ଆଜି କଥା କାଲିକି ନାହିଁ, ବରଷକ କଥା କିଏବା ପଚାରେ! ତେଣୁ ବଞ୍ଚି ରହିଥିବା ଭିତରେ ପ୍ରକୃତିକୁ ସାଙ୍ଗସାଥୀ କରି ନିଃସାର୍ଥ ଭଲ ପାଇ ବସନ୍ତି। ଅର୍ଥାତ, ପ୍ରକୃତିକୁ ଭଲ ପାଉଥିବା ମଣିଷ ହିଁ ଆଦିବାସୀ। ଆଦିବାସୀମାନେ ସହରଠୁ ଖୁବ ଦୂରରେ କିନ୍ତୁ ପର୍ବପର୍ବାଣିକୁ ଖୁବ ଧୁମଧାମରେ ପାଳନ କରନ୍ତି, ତାହା ପୁଣି ବିନା ପ୍ରତିବନ୍ଧରେ। ଯେତେବେଳେ ସେମାନେ କୌଣସି ପର୍ବକୁ ପାଳନ କରନ୍ତି, ପାହାଡ଼ ମୁଣ୍ଡରେ ଝଲସି ଉଠୁଥିବା ଚନ୍ଦ୍ର ଓ ତାରା ପରି ଆଦିବାସୀଙ୍କ ଜୀବନ ଯେତେସବୁ ଦୁଃଖ କ୍ଳେଶକୁ ଏକାକାର କରିଦେଇ ଜୀବନ ପ୍ରୀତିରେ ଉଲ୍ଲସିତ ହୁଅନ୍ତି। ବର୍ଷକ ମଧ୍ୟରେ ପ୍ରକୃତି ଓ କୃଷି ସହିତ ଜଡ଼ିତ ଅନେକ ପର୍ବପର୍ବାଣି ପାଳନ କରିବା ମଧ୍ୟରେ 'ସାରହୁଲ' ପର୍ବ ଆଦିବାସୀଙ୍କ ମୁଖ୍ୟ ପର୍ବ ଭାବେ ଗଣା ହୁଏ। ଏହା ଏକ ବସନ୍ତ ଉତ୍ସବ, ଯାହା ବୃକ୍ଷର ଉପାସନା ବୋଲି ବିବେଚନା କରାଯାଏ। ଆଦିବାସୀଙ୍କ ନୂଆ ବର୍ଷର ଶୁଭାରମ୍ଭ ଚୈତ୍ର ମାସରୁ ହୁଏ, ଯାହା ବାରମାସର ଶ୍ରେଷ୍ଠ ମାସର ଆଖ୍ୟା ଦିଆଯାଏ।

ବିଜେଡିକୁ ଫେରିଲେ ରଘୁନାଥ ଓ ଜୀବନ…

ଏହି ମାସର ଶୁକ୍ଳ ପକ୍ଷ ତୃତୀୟ ଦିନରେ ପାଳନ କରାଯାଏ କିନ୍ତୁ କିଛିକିଛି ଆଦିବାସୀମାନେ କୌଣସି କାରଣରୁ ଏହି ପର୍ବ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରିବାର ବିଧି ମଧ୍ୟ ରହିଛି। ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ଆସାମ ଏବଂ ପଶ୍ଚିମବଙ୍ଗରେ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ପାଳନ କରାଯାଇ ପ୍ରକୃତି ଏବଂ ଶାଳ ଗଛକୁ ସମ୍ମାନିତ କରିଥାନ୍ତି।

କିନ୍ତୁ ପରମ୍ପରା ଅନୁଯାୟୀ, ଏହିଦିନରେ ପୃଥିବୀ ସହିତ ସୂର୍ଯ୍ୟ ଦେବଙ୍କ ମଧ୍ୟରେ ପବିତ୍ର ବିବାହ ବନ୍ଧନ ଘଟିଥିଲା। ତେଣୁ ସେହିଦିନରୁ ଏହି ପରମ୍ପରା ଚାଲିଆସିଛି ବୋଲି ବିଶ୍ୱାସ କରାଯାଏ। ସାରହୁଲ ହେଉଛି ଆଦିମ ଜନଜାତିର ଏକ ମୁଖ୍ୟ ପର୍ବ। ଏହି ପର୍ବରେ ମାତା ପ୍ରକୃତି ଆଶୀର୍ବାଦ ପାଇବା ଏବଂ ତାଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ପ୍ରଥମେ ଗଛ ଓ ପରେ ପଥରକୁ ପୂଜା କରାଯାଏ। ଆଦିବାସୀମାନେ ବିଶ୍ୱାସ କରନ୍ତି ଯେ, ମାତା ପ୍ରକୃତି (ସଂସ୍କୃତ ଶବ୍ଦ 'ପ୍ରାକୃତୀ') ଏହି ଗଛରେ ରହିଥାଏ ଏବଂ ସେଥିପାଇଁ କେତେକ ମନୋନୀତ ଶାଳ ଗଛର ପାଦଦେଶରେ ପୂଜା କରାଯାଏ। ବାବା ଧର୍ମେଶ ଓ ସାରନା ମାତାଙ୍କୁ ପୂଜା କରାଯାଏ। ଏହି ଦିନରେ ପାହାନ୍‌ ନାମରେ ପରିଚିତ ଗ୍ରାମ ପୁରୋହିତ ସାରନା ସ୍ଥଳ(ପବିତ୍ର ପୀଠ)ରେ ପୂଜାପାଠ କରିଥାନ୍ତି। ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ସକାଳୁ ନିଜନିଜର ଗୃହରୁ ଜଳପୂର୍ଣ୍ଣ କଳସୀ ମୁଣ୍ଡରେ ଧରି ପୂଜା ସ୍ଥଳୀରେ ପହଞ୍ଚିଥାନ୍ତି। ଏହାପରେ ପୁରୋହିତଙ୍କ ଦ୍ୱାରା ନୂଆ ଧାନରେ ବାବା ଧର୍ମେଶ ଓ ମାଁ ସାରନାଙ୍କୁ ସଜେଇ ଦେବା ସହ ସାମୂହିକ ପ୍ରାର୍ଥନା, ଜଳାଭିଷେକ ଏବଂ ପୂଜାପାଠ ଆଦି କରାଯାଏ। ବାବା ଧର୍ମେଶ ଓ ମାଁ ସାରନାଙ୍କ ମିଳନ ଫଳରେ ପ୍ରକୃତି ଦେଇଥିବା ଫଳମୂଳକୁ ପ୍ରଥମେ ସମର୍ପଣ କରାଯାଇଥାଏ। ତା'ପରେ ପୁରୋହିତ ଗ୍ରାମବାସୀଙ୍କୁ ଆଶୀର୍ବାଦ ଭାବରେ ଶାଳଫୁଲ ବଣ୍ଟନ କରନ୍ତି, ଏହା ପରିବାର ପାଇଁ ଶୁଭକାମନା ସ୍ୱରୂପ ବିଶ୍ୱାସ ରଖି ଘରେ ରଖାଯାଏ। ଆଦିବାସୀ ଲୋକମାନେ ପାରମ୍ପରିକ ପୋଷାକ ପିନ୍ଧନ୍ତି, ନାଗରା ଏବଂ ଢୋଲ ଶବ୍ଦର ତାଳେତାଳେ ନାଚଗୀତରେ ଝୁମିଯା'ନ୍ତି।

ଏହିପରି ଭାବେ ସାରହୁଲ ପର୍ବକୁ ଆଦିବାସୀମାନେ ବିଦାୟ ଦେଇଥାନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News