ବାଲେଶ୍ୱର: ସୌମ୍ୟାଶ୍ରୀ ଘଟଣା ଏବେ ମଧ୍ୟ ତାଜା ଅଛି। ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି ଜଣେ ଛାତ୍ରୀ। ଅଭିଯୋଗକୁ ଆଧାର କରିସ୍ଥିତି ଯାଂଚ କରିଥିଲେ ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ। ସଂପୃକ୍ତ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକଙ୍କୁ ବିଭାଗୀୟ ମୁଖ୍ୟ ପଦବୀରୁ ହଟାଇ ଦିଆଯାଇଚି।
ରାଜ୍ୟର ଡବଲ ଇଞ୍ଜିନ ସରକାରରେ ଫକିରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏହା ଦ୍ୱିତୀୟ ଘଟଣା। ୨୦୨୫ ଜୁଲାଇ ୧୨ରେ ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଦେଇଥିଲେ।
ସୂଚନା ମୁତାବକ, ବାଲେଶ୍ୱର ଏଫ୍ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଓଡିଆ ବିଭାଗର ଏଚ୍ଓଡି ଡ. ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ପାଇ ଆଂଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଂଚଳିକ ନିର୍ଦ୍ଦେଶକ ହେମନ୍ତ ଘଡେଇ ଅପରାହ୍ନରେ ପ୍ରିନ୍ସିପାଲ ଏବଂ ଅଭିଯୋଗକାରୀ ସହିତ ଆଲୋଚନା କରିଥିଲେ। କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା ସମୟରେ ଓଡିଆ ବିଭାଗର ସହକାରୀ ପ୍ରଫେସର ତଥା ଏଚ୍ଓଡି ଡ. ସନ୍ତୋଷ କୁମାର ନାୟକଙ୍କୁ ଅଫିସ୍ ଅର୍ଡର ନମ୍ବର ୧୫୮୪ ତାରିଖ ୦୪.୦୪.୨୦୨୬ ଅନୁଯାୟୀ ଏଚ୍ଓଡି ପଦବିରୁ ବହିଷ୍କାର କରାଯାଇଥିବା ଅଧ୍ୟକ୍ଷ ସ୍ପଷ୍ଟ କରିଥିଲେ।
ସବୁ ରାଜ୍ୟ ଲୋକସଭାରେ ଦୁଇଗୁଣ ଆସନ…
ଆଇସିସି କମିଟି ସଦସ୍ୟ ଡ. ଜୟଶ୍ରୀ ମିଶ୍ରଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେ ଏହି ଅଭିଯୋଗ ସମ୍ପର୍କରେ ଅବଗତ ନଥିବା ଏବଂ କୌଣସି ଅଭିଯୋଗ ପତ୍ର ଗ୍ରହଣ କରି ନଥିବା କହିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କଲେଜ କର୍ତୃପକ୍ଷ ଆଇସିସି କମିଟିକୁ ଗୁରୁତ୍ୱ ଦେବା ପରିବର୍ତେ ତିନିଜଣିଆ ତଦନ୍ତ କମିଟି ଗଠନ କରି ଏକ ନୋଟିସ୍ ଓଡିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଂଟିଛନ୍ତି।
ଅଭିଯୋଗ ପତ୍ରରେ ଛାତ୍ର କିମ୍ବା ଛାତ୍ରୀ ଯଦି ଅଭିଯୋଗ କରିଥାନ୍ତି ତେବେ ୧୫ ତାରିଖରୁ ୧୭ ତାରିଖ ୧୨ଟା ୩୦ ମଧ୍ୟରେ ତଦନ୍ତ କମିଟି ନିକଟରେ ପହଂଚି ନିଜର ବୟାନ, ସାକ୍ଷ୍ୟ ଓ ପ୍ରମାଣ ଉପସ୍ଥାପନ କରିବାକୁ ନୋଟିସ୍ ଆଧାରରେ ଅବଗତ କରାଯାଇଛି। ପୂର୍ବତନ ଏଚ୍ଓଡି ଡ. ନାୟକ ଏ ସମ୍ପର୍କରେ ଅବଗତ ନଥିବା କହିଥିବା ବେଳେ କଲେଜ ଅଧ୍ୟକ୍ଷ ଡ. ଦୀନେଶ ଚନ୍ଦ୍ର ନାୟକ ଗଣମାଧ୍ୟମ ନିକଟରୁ ଦୂରତା ରକ୍ଷା କରୁଛନ୍ତି।

