Dailyhunt
ଦେଶର ପ୍ରତ୍ୟେକ ଶ୍ରମିକ ଅଶାନ୍ତ

ଦେଶର ପ୍ରତ୍ୟେକ ଶ୍ରମିକ ଅଶାନ୍ତ

ସୁଛି ମେ' ପହିଲା। ଶ୍ରମିକ ଦିବସ। ପୃଥିବୀ ପୃଷ୍ଠରେ ବାସ କରୁଥିବା ଶ୍ରମିକ କୁଳ ପ୍ରତି ସମର୍ପିତ ଏହି ଦିବସଟି ପ୍ରକୃତରେ ଶ୍ରମିକଙ୍କ ଜୀବନଧାରଣ କ୍ଷମତାକୁ ବଳିଷ୍ଠ କରିଛି? ଆଉ କାହା କଥା କହିବା କାହିଁକି? ଆମ ଭାରତରେ ବସବାସ କରୁଥିବା ଶ୍ରମିକ ଜାତି ପ୍ରତି କେନ୍ଦ୍ର ସରକାର ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଉଦାରବାଦୀ ନୀତି ସଂପର୍କରେ କିଛି ଆଲୋଚନା କରିବା।

ଦେଶର ପ୍ରଥମ ନିର୍ବାଚିତ ସରକାରଙ୍କ ନିକଟରୁ ଆରମ୍ଭ କରି ଆଜିର ସରକାର ୟେ ଦେଶର ଶ୍ରମିକ ଜାତି ପ୍ରତି ଚରମ ଅବହେଳା କରିଆସିଛନ୍ତି। ବିକଶିତ ଓ ବିକାଶଶୀଳ ଦେଶରେ ଶ୍ରମିକ କୁଳକୁ ଶୋଷଣ ଓ ସେମାନଙ୍କ ମୌଳିକ ଅଧିକାର ପ୍ରତି ଅଣଦେଖା କରିବା ପ୍ରତ୍ୟେକ ସଭ୍ୟ ଜାତି ପକ୍ଷେ ଲଜ୍ଜାଜନକ।
ଓଡ଼ିଶାରେ ଶ୍ରମିକ ସଂଗଠନକୁ ନେତୃତ୍ୱ ନେଉଥିବା ବ୍ୟକ୍ତିଗଣ ସମୟ ସୁଅରେ ବିଶିଷ୍ଟ ବ୍ୟକ୍ତି ହୋଇଯାଉଛନ୍ତି; ପଖାଳ ଶାଗଭଜାରୁ ବିରିୟାନୀ ଖାଇବାର ସୁଯୋଗ ପାଉଛନ୍ତି। ମାତ୍ର ଶ୍ରମିକ ଆଖିରେ ଆଜି ବି ବିରିୟାନୀ ଗୋଟିଏ ସ୍ୱପ୍ନ ହୋଇ ରହିଯାଇଛି। ଏପରି ବ୍ୟତିକ୍ରମ ପଛରେ ରାଜନୈତିକ ଦଳର ଶ୍ରମିକ ବିରୋଧୀ ଆଭିମୁଖ୍ୟ ଦାୟୀ।

ଗତ ଏପ୍ରିଲ ୧୩ ତାରିଖରେ ନଏଡା ଫେଜ୍‌-୨ରେ ଅନେକ ହଜାର ଶ୍ରମିକଙ୍କ ଆନ୍ଦୋଳନ ସେମାନଙ୍କ ମନରେ ଥିବା ଦୀର୍ଘଦିନର ଆକ୍ରୋଶକୁ ପ୍ରକାଶ କରିଛି। ସେଠାକାର ବିଭିନ୍ନ ଶିଳ୍ପ ଓ ଠିକା ସଂସ୍ଥାଗୁଡ଼ିକ ଅଧୀନରେ କାର୍ଯ୍ୟରତ ଶ୍ରମିକମାନେ ମଜୁରି ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ନେଇ ଏହି ଆନ୍ଦୋଳନରେ ଭାଗ ନେଇଥିଲେ। ନିକଟସ୍ଥ ଗ୍ରେଟର ନଏଡାରେ ମଧ୍ୟ ଶ୍ରମିକମାନଙ୍କ ସମାନ ପ୍ରତିବାଦ ଦେଖିବାକୁ ମିଳିଥିଲା। ନଏଡା ଫେଜ-୨ରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଶୀଘ୍ର ବିସ୍ତାରିତ ହୋଇ ବର୍ତମାନର ନଏଡାରେ କାର୍ଯ୍ୟରତ ପ୍ରାୟ ୪୦ରୁ ୫୦ ହଜାର ଶ୍ରମିକଙ୍କୁ ସାମିଲ କରିବା ସହ ରାଷ୍ଟ୍ରୀୟ ରାଜଧାନୀ ଅଂଚଳ (ଏନ୍‌ସିଆର୍‌)ର ୬୮ ଟି ମୁଖ୍ୟ କ୍ଲଷ୍ଟର ଓ ୧୫ରୁ ଅଧିକ ଶିଳ୍ପ ଅଂଚଳକୁ ଛୁଇଁପାରିଛି।

ନଏଡାରେ ଯାହା ସବୁ ଘଟିଗଲା, ତାହା ବର୍ଷ ବର୍ଷ ଧରି ଶ୍ରମିକଙ୍କ ମନରେ ଦାନା ବାନ୍ଧିଥିବା ଏକ ପୁଞ୍ଜୀଭୂତ ଅସନ୍ତୋଷର ସାମୂହିକ ପରିପ୍ରକାଶ ଥିଲା। ଆନ୍ଦୋଳନରେ ଯୋଗ ଦେଇଥିବା ଶ୍ରମିକମାନେ ନିଯୁକ୍ତିଦାତାଙ୍କ ଦ୍ୱାରା ଲଗାତର ଶୋଷଣ, ଅନିୟମିତ ବେତନ ପ୍ରଦାନ, କମ୍‌ ମଜୁରି ଓ ବିଭିନ୍ନ ଅନିୟମିତତାର ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଚାଲି ଆସୁଥିବା ପ୍ରବଂଚନା, ଚାକିରିର ଅନିଶ୍ଚିତତା ଏବଂ କ୍ରମବର୍ଦ୍ଧମାନ ଜୀବନଯାପନ ଖର୍ଚ୍ଚ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ସହିତ ସହିବାର ସମସ୍ତ ସୀମାକୁ ପାର ହୋଇଯାଇଥିଲା। ଅତଏବ ଏହି ଶ୍ରମିକ ଆନ୍ଦୋଳନକୁ କେବଳ ଏକ ସ୍ଥାନୀୟ ଘଟଣା କିମ୍ବା କୌଣସି ବିଚ୍ଛିନ୍ନ ଆନ୍ଦୋଳନ ନ କହି ବରଂ ଶୋଷିତ ତଥା ନିର୍ଯାତିତ ଶ୍ରମିକଙ୍କର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ସ୍ୱାଭାବିକ ପ୍ରତିକ୍ରିୟା ବୋଲି କହିବା ଠିକ୍‌ ହେବ।

ନଏଡାର ଶ୍ରମିକମାନଙ୍କ ଆନ୍ଦୋଳନ କୌଣସି ଏକ ବିଚ୍ଛିନ୍ନ ଘଟଣା ନୁହେଁ। କାରଣ ତା' ପୂର୍ବରୁ ଦେଶର ଅନେକ ସ୍ଥାନରେ ଗତ କିଛି ମାସ ମଧ୍ୟରେ ଶ୍ରମିକଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଇଲେକ୍‌ଟ୍ରୋନିକ୍ସ କାରଖାନା ଶ୍ରମିକଙ୍କ ଧର୍ମଘଟ, ହରିୟାଣାର ସୋନିପତ୍‌, ପାନିପତ, ଫରିଦାବାଦରେ ଶିଳ୍ପ ଶ୍ରମିକଙ୍କ ଆନ୍ଦୋଳନ, ରାଜସ୍ଥାନର ନିମରାନା ଓ ଭିୱାଡିରେ, ଉତରାଖଣ୍ଡର ରୁଦ୍ରପୁର ଓ ହାଲଦ୍ୱାନୀରେ, ପଞ୍ଜାବର ଭଟିଣ୍ଡାରେ, ଗୁଜରାଟର ହଜିରା ଓ ସୁରଟରେ ଏବଂ ଛତିଶଗଡର ରାୟପୁର ସହ ଅନ୍ୟାନ୍ୟ ଶିଳ୍ପାଂଚଳରେ ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି। ସେସବୁ ଆନ୍ଦୋଳନରେ ଶ୍ରମିକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଓ ଦାବି ପ୍ରାୟତଃ ଏକାଭଳିଆ । ସବୁଠି ସେମାନେ କମ୍‌ ମଜୁରି, ଅଧିକ କାମର ଚାପ, ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ, ଚାକିରିର ଅନିଶ୍ଚିତତା, ୟୁନିୟନ ସ୍ୱୀକୃତିର ଅଭାବ ଆଦି ସମସ୍ୟା ଭାବେ ଚିହ୍ନିତ କରିବା ଦେଖାଯାଇଛି। ଅତଏବ ଉପରୋକ୍ତ ଦାବିଗୁଡ଼ିକ କେବଳ କୌଣସି ନିର୍ଦ୍ଦିଷ୍ଟ ଶିଳ୍ପ ବା ସହରର ସମସ୍ୟା ଭାବେ ସୀମିତ ରହିନି ବରଂ ରାଜ୍ୟ ନିର୍ବିଶେଷରେ ତାହା ସାରା ଦେଶର ଶ୍ରମିକଙ୍କ ସାଧାରଣ ସମସ୍ୟାରେ ପରିଣତ ହୋଇଯାଇଛି। ଗତ କିଛି ମାସ ମଧ୍ୟରେ ଏସବୁ ସମସ୍ୟା ଓ ଅସନ୍ତୋଷର ବାରମ୍ବାର ବିସ୍ଫୋରଣ ଦେଖିବାକୁ ମିଳିଛି। ସର୍ବପ୍ରଥମେ ଗତ ଫେବୃଆରୀରେ ବିହାରର ବରୌଣୀରୁ ଏହି ଶ୍ରମିକ ଆନ୍ଦୋଳନର ଅୟମାରମ୍ଭ ହୋଇଛି।

ଅନୁଗୁଳ ଚାଷୀଙ୍କ କ୍ଷତକୁ ବିଷାକ୍ତ…

ଏଆଇ, ଅଟୋମେସନ୍‌ କୁପ୍ରଭାବ: ଘରୋଇ…

ନଏଡା ଆନ୍ଦୋଳନର ଠିକ୍‌ ପୂର୍ବରୁ ନିକଟବର୍ତୀ ହରିୟାଣାର ଫରିଦାବାଦ, ଗୁର୍‌ଗାଓଁ ଓ ମାନସେରରେ ଶିଳ୍ପ ଶ୍ରମିକମାନେ ନିଜର ଦରମା ବୃଦ୍ଧି ଓ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରିଥିଲେ। ବଜାରରେ ଲଗାତର ଦରଦାମ୍‌ ବୃଦ୍ଧି ସତ୍ୱେ ଗତ କିଛି ବର୍ଷ ଧରି ଶ୍ରମିକଙ୍କ ମଜୁରିରେ କୌଣସି ବୃଦ୍ଧି କରାଯାଉ ନ ଥିବାରୁ ସେମାନଙ୍କ ମଧ୍ୟରେ ଆକ୍ରୋଶ ଥିଲା। ମଜୁରି ବୃଦ୍ଧି ପାଇଁ ଶ୍ରମିକଙ୍କ ଦାବି ଓ ସଂଗ୍ରାମ ନ୍ୟାୟସଙ୍ଗତ ଥିଲା। ସେମାନଙ୍କ ଆନ୍ଦୋଳନ ଚାପରେ ସେଠାକାର ସରକାର ରାଜ୍ୟର ସର୍ବନିମ୍ନ ମଜୁରିରେ ଏକାଥରକେ ୩୫% ବୃଦ୍ଧି କରିବାକୁ ବାଧ୍ୟ ହୋଇଥିଲେ। ସରକାରଙ୍କ ଉପରୋକ୍ତ ମଜୁରି ବୃଦ୍ଧି ହରିୟାଣାର ଶ୍ରମିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲା, କିନ୍ତୁ ତା' ସହିତ ପଡେ଼ାଶୀ ଉତରପ୍ରଦେଶ, ଦିଲ୍ଲୀ ଓ ରାଜସ୍ଥାନର ଶ୍ରମିକଙ୍କୁ ମଧ୍ୟ ଲଢେଇ ପାଇଁ ଉତ୍ସାହିତ କରିଥିଲା। ସଂଗଠିତ ଆନ୍ଦୋଳନ ଜରିଆରେ ହରିୟାଣାର ଶ୍ରମିକମାନେ ଯେଉଁଭଳି ସରକାରଙ୍କୁ ମଜୁରି ବଢ଼ାଇବା ପାଇଁ ନୁଆଁଇ ଦେଇପାରିଲେ ସେପରି ଆମେ ବି ଚାହିଁଲେ କରିପାରିବା, ଏହି ଆତ୍ମବିଶ୍ୱାସ ସେସବୁ ରାଜ୍ୟର ଶିଳ୍ପ ଶ୍ରମିକଙ୍କ ମନରେ ସୃଷ୍ଟି ହୋଇଥିଲା।

ଫଳରେ ହରିୟାଣା ସୀମାଠାରୁ ଅନତି ଦୂରରେ ଥିବା ନଏଡା, ଦିଲ୍ଲୀ ପରି ସହରର ଶ୍ରମିକମାନେ ଦରମା ବୃଦ୍ଧି ଓ ଅନ୍ୟାନ୍ୟ ନ୍ୟାୟୋଚିତ ଦାବି ନେଇ ଆନ୍ଦୋଳନର ରାସ୍ତାକୁ ଓହ୍ଲାଇଥିଲେ। ଏହା ସତ ଯେ, ଦେଶରେ ଶ୍ରମିକମାନଙ୍କ ମଜୁରି ଗତ ବହୁ ବର୍ଷ ଧରି ପ୍ରାୟତଃ ସ୍ଥିର ରହିଛି। ସର୍ବନିମ୍ନ ମଜୁରିରେ ସରକାର ଯେଉଁ ନାମକୁ ମାତ୍ର ବୃଦ୍ଧି କରୁଛନ୍ତି, ତାହା ବଜାର ଦର ତୁଳନାରେ କମ୍‌। ଜିନିଷପତ୍ରର ଦରଦାମ୍‌ ବୃଦ୍ଧି ସତ୍ୱେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଶ୍ରମିକଙ୍କ ଦରମାରେ ଗତ କିଛି ବର୍ଷ ଧରି ପ୍ରାୟତଃ ବୃଦ୍ଧି କରିନାହାନ୍ତି। ଅତଏବ କମ୍‌ ମଜୁରି ସାଙ୍ଗକୁ ଆକାଶଛୁଆଁ ଦରବୃଦ୍ଧି ଶ୍ରମିକଙ୍କ ଜୀବନକୁ ସଙ୍କଟଗ୍ରସ୍ତ କରି ଦେଇଥିବା ବେଳେ ବର୍ତମାନ ଇରାନ-ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ରନ୍ଧନ ଗ୍ୟାସର ଦରବୃଦ୍ଧି ଓ ଯୋଗାଣ ସଙ୍କଟ ସେମାନଙ୍କ ମାସିକ ବ୍ୟୟରେ ଚାପ ସୃଷ୍ଟି କରିଛି। ଅତଏବ ଶ୍ରମିକମାନେ କରିଥିବା ଦାବି ଯଥା - ମାସିକ ମଜୁରି ୧୮ ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି, ନିର୍ଦ୍ଦିଷ୍ଟ କାମ ସମୟ, ସାପ୍ତାହିକ ଛୁଟି ଓ ଅତିରିକ୍ତ କାମ ସମୟର ଯଥୋଚିତ ପାରିଶ୍ରମିକ ଆଦି କୌଣସିମତେ ଅଯୌକ୍ତିକ ନ ଥିଲା।

ନଏଡାର ଶ୍ରମିକ ଆନ୍ଦୋଳନ ପରେ ଉତର ପ୍ରଦେଶର ଭାଜପା ସରକାର ଗୋଟିଏ ପଟେ ଶ୍ରମିକଙ୍କ ଆକ୍ରୋଶକୁ ଥଣ୍ଡା କରିବାକୁ ରାଜ୍ୟର ସର୍ବନିମ୍ନ ମଜୁରିରେ ନାମକୁ ମାତ୍ର ବୃଦ୍ଧି କରିଥିବା ବେଳେ ଅନ୍ୟପଟେ ଆନ୍ଦୋଳନକାରୀଙ୍କ ଉପରେ ଦମନ ଓ ଅତ୍ୟାଚାର ଆରମ୍ଭ କରିଛନ୍ତି। ଗୋଟିଏ ପଟେ କେନ୍ଦ୍ର ସରକାର ଶ୍ରମିକ ଆନ୍ଦୋଳନ ଚାପରେ ପ୍ରଥମ ପର୍ଯ୍ୟାୟରେ କିଛି ସମ୍ମତି ପତ୍ର କରାଇ ୮ ଘଂଟିିଆ ଶ୍ରମ ଦିବସ ଓ ଶ୍ରମ ଆଇନ ପ୍ରୟୋଗ ନେଇ ପଦକ୍ଷେପ ନେଇଥିବା ବେଳେ ଅନ୍ୟପଟେ ଭାଜପା ଶାସିତ ହରିୟାଣା, ଉତର ପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟର ସରକାରମାନେ ଶ୍ରମିକଙ୍କ ବିରୋଧରେ ଏତଲା ଦାଖଲ, ଗିରଫ ଓ ଦମନମୂଳକ କାର୍ଯ୍ୟ କରିବାରେ ଲାଗିଛନ୍ତି। ଆଶ୍ଚର୍ଯ୍ୟର କଥା, ଆଇନ ଉଲ୍ଲଂଘନ କରୁଥିବା କମ୍ପାନୀ ମାଲିକଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟ ହୋଇନାହିଁ।

ଆନ୍ଦୋଳନରତ ଶ୍ରମିକଙ୍କୁ ଶାନ୍ତ କରି ନିଜର ଭାବମୂର୍ତିକୁ ରକ୍ଷା କରିବାକୁ ଉତର ପ୍ରଦେଶ ସରକାରଙ୍କ ପକ୍ଷରୁ ଦୀର୍ଘ ବର୍ଷ ପରେ ରାଜ୍ୟର ସର୍ବନିମ୍ନ ମଜୁରିରେ ୨୧% ଅନ୍ତରୀଣ ବୃଦ୍ଧି କରାଯାଇଛି। କିନ୍ତୁ ଏହି ବୃଦ୍ଧି ଆନ୍ଦୋଳନର ଦାବି ସହ ସାମଞ୍ଜସ୍ୟ ରକ୍ଷା କରୁନି କି ବଜାର ଦର ଅନୁରୂପ ନୁହେଁ। ଶ୍ରମିକଙ୍କ ସର୍ବନିମ୍ନ ମଜୁରିରେ ଏହି ସାମାନ୍ୟ ବୃଦ୍ଧି ଏକ ଛଳନା। ଉତର ପ୍ରଦେଶ ଓ ହରିୟାଣାରେ ଶ୍ରମିକମାନେ ସମାନ ଜୀବନଯାପନର ଖର୍ଚ୍ଚ ସତ୍ୱେ ଦିଲ୍ଲୀଠାରୁ ବହୁତ କମ୍‌ ମଜୁରି ପାଉଛନ୍ତି। ଅତଏବ ଶ୍ରମିକମାନେ ମାସିକ ୨୬ ହଜାର ଟଙ୍କା ସର୍ବନିମ୍ନ ମଜୁରି ଘୋଷଣା କରିବାକୁ ଯେଉଁ ଦାବି କରିଛନ୍ତି, ଉତର ପ୍ରଦେଶରେ ତା'ଠାରୁ ବହୁତ କମ୍‌ ଘୋଷଣା କରାଯାଇଛି।

ଦେଶରେ ୪୪ଟି ଶ୍ରମ ଆଇନ ରହିଥିବା ସତ୍ୱେ ଶ୍ରମିକମାନଙ୍କ ଶୋଷଣ ଓ ନିର୍ଯାତନା ଅବ୍ୟାହତ ରହିଥିଲା। ଆଜି ସରକାର ଶ୍ରମ ସଂସ୍କାର ନାଁରେ କର୍ପୋରେଟ୍‌ କମ୍ପାନୀଙ୍କ ସ୍ୱାର୍ଥରେ ତା'କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଦେଇଛନ୍ତି। ପୁଞ୍ଜିପତିଙ୍କୁ ସୁହାଇଲା ପରି ଚାରୋଟି ଶ୍ରମ ସଂହିତା ବା କୋଡ୍‌ ଆଣିଛନ୍ତି। ଉପରୋକ୍ତ ସଂହିତା ଜରିଆରେ ସରକାର ଶ୍ରମିକଙ୍କ କଷ୍ଟାର୍ଜିତ ଶ୍ରମ ଅଧିକାରକୁ ଅକାମୀ କରିବା ସହିତ ସିଂହଭାଗ ଶ୍ରମିକଙ୍କୁ ସମସ୍ତ ପ୍ରକାର ଶ୍ରମ ଅଧିକାରର ପରିସୀମାରୁ ବାହାରକୁ ଠେଲି ଦେଇଛନ୍ତି। ଶ୍ରମ ବିଭାଗର ନିରୀକ୍ଷଣ ଓ ଦଣ୍ଡ ଦେବାର ଅଧିକାରକୁ କମାଇଦେବ ଓ ଶ୍ରମିକ ଅଧିକାରକୁ କ୍ଷୀଣ କରିବ। ଶ୍ରମିକମାନେ ଏକାଠି ହୋଇ ସଂଘ ଗଢ଼ିବାର ଅଧିକାର ଓ ଆନ୍ଦୋଳନ କରିବାର ଅଧିକାରକୁ ସଙ୍କୁଚିତ କରି ଦିଆଯାଇଛି। ସରକାରଙ୍କ ଉପରୋକ୍ତ ପଦକ୍ଷେପ ଶ୍ରମିକମାନଙ୍କୁ ଅଧିକ ଶୋଷିତ, ଶକ୍ତିହୀନ ଓ ଅସହାୟ କରିଦେବ। ସେମାନଙ୍କ ମନରେ ଭୟଙ୍କର ଅଶାନ୍ତି ଓ ଅସନ୍ତୋଷକୁ ଜନ୍ମଦେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News