Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁଇମେରୁରେ ନିରବ ଝଡ଼

ଦୁଇମେରୁରେ ନିରବ ଝଡ଼

ଭାରତରେ ଜନସଂଖ୍ୟା ବୃଦ୍ଧି ହାରରେ ପରିଲକ୍ଷିତ ଆଂଚଳିକ ତାରତମ୍ୟ ବର୍ତମାନ କିଭଳି ଏକ ଉତେଜନା ସୃଷ୍ଟିକାରୀ ରାଜନୈତିକ ପ୍ରସଙ୍ଗର ରୂପ ପରିଗ୍ରହଣ କରି ସାରିଲାଣି, ତାହା କାହାରିକୁ ଅବିଦିତ ନୁହେଁ। ଏହା ବସ୍ତୁତଃ ଦେଶକୁ ଦୁଇ ଭାଗରେ ବିଭକ୍ତ କରିଦେଇଛି: ଉତର ଓ ଦକ୍ଷିଣ। ସ୍ୱାଧୀନତା ପରଠାରୁ ଦେଶରେ କାର୍ଯ୍ୟକାରୀ ହୋଇଥିବା ଜନସଂଖ୍ୟା ନିୟନ୍ତ୍ରଣ ଅଭିଯାନକୁ ଗୁରୁତ୍ୱର ସହିତ ଗ୍ରହଣ କରି ଦାକ୍ଷିଣାତ୍ୟର ଚାରିଟିଯାକ ପ୍ରଗତିଶୀଳ ରାଜ୍ୟମାନେ ସେମାନଙ୍କର ନିଜ ନିଜର ଜନସଂଖ୍ୟା ବୃଦ୍ଧି ହାରରେ ତୀକ୍ଷ୍‌ଣ ହ୍ରାସ ଘଟାଇ ସାରିଥିବା ବେଳେ, ଉତର ଭାରତର ରକ୍ଷଣଶୀଳ ରାଜ୍ୟମାନଙ୍କରେ ଉଚ୍ଚହାରରେ ଜନସଂଖ୍ୟା ବୃଦ୍ଧି ଜାରି ରହିଛି।

ଯୁକ୍ତିଯୁକ୍ତ ଭାବରେ କୁହାଯାଇପାରେ ଯେ ଏଥିପାଇଁ ଭାରତମାତାଙ୍କର ବାଧ୍ୟ ସନ୍ତାନ ରୂପେ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକ ପୁରସ୍କୃତ ହେବା କଥା ଏବଂ ଅବାଧ୍ୟ ଉତର ଭାରତ ରାଜ୍ୟଗୁଡ଼ିକ ଦଣ୍ଡିତ ହେବା କଥା।
କିନ୍ତୁ ବାସ୍ତବରେ ତାହା ନ ଘଟି ଅନ୍ତତଃ ଦୁଇଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଇଲାକାରେ ଏହାର ଠିକ୍‌ ବିପରୀତ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ଗୋଟିଏ ହେଲା, ଜନସଂଖ୍ୟା ଆଧାରରେ ଆଗାମୀ ଲୋକସଭା ନିର୍ବାଚନ କ୍ଷେତ୍ର ପୁନଃନିର୍ଦ୍ଧାରଣ ('ଡିଲିମିଟେସନ୍‌')। ଏଥିରେ ଉତର ଭାରତ ରାଜ୍ୟମାନଙ୍କୁ ଅପେକ୍ଷାକୃତ ଅଧିକ ସଂଖ୍ୟକ ଆସନ ଓ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କୁ ଅପେକ୍ଷାକୃତ କମ୍‌ ସଂଖ୍ୟକ ଆସନ ମିଳିବ। ଅନ୍ୟଟି ହେଲା, ଅର୍ଥ କମିସନ ଜନସଂଖ୍ୟା ଆଧାରରେ ରାଜ୍ୟମାନଙ୍କୁ ସମ୍ବଳ ଆବଂଟନ କଲାବେଳେ ଉତର ଭାରତ ରାଜ୍ୟଗୁଡ଼ିକୁ ଅପେକ୍ଷାକୃତ ଅଧିକ ଓ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକୁ ଅପେକ୍ଷାକୃତ କମ୍‌ ସମ୍ବଳ ମିଳିବ। ସ୍ୱାଭାବିକ ଭାବରେ ଏହାକୁ କେନ୍ଦ୍ର କରି ଦାକ୍ଷିଣାତ୍ୟ ରାଜ୍ୟମାନଙ୍କରେ ପ୍ରତିବାଦ ରାଜନୀତି ଜୋର୍‌ ଧରିବା ଦେଖାଗଲାଣି। ସେ ରାଜ୍ୟମାନେ ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ନିମିତ ଉଭୟ ପ୍ରକ୍ରିୟାରେ ଅନୁସୃତ ନିୟମରେ ଆବଶ୍ୟକ ପରିବର୍ତନ ପାଇଁ ପ୍ରତିବାଦକାରୀମାନେ ଦାବି କରୁଛନ୍ତି।

ସେମାନଙ୍କର ଏଭଳି ଦାବି କେତେ ଦୂର ପୂରଣ ହେବ, ତାହା ଅନିଶ୍ଚିତ ଥିବା ବେଳେ, ସେମାନଙ୍କ ମଧ୍ୟରୁ ଏକ ପ୍ରମୁଖ ରାଜ୍ୟ ଆନ୍ଧ୍ରପ୍ରଦେଶର ଅନୁଭବୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବେ ଏକ ନିଶ୍ଚିତ ମାର୍ଗ ଅନୁସରଣ ସ୍ୱରୂପ ସମସ୍ୟାର ମୂଳୋତ୍ପାଟନ କରିବାକୁ ବାହାରି ପଡିଛନ୍ତି। ତାଙ୍କ ବିଚାରରେ ଜନସଂଖ୍ୟା ବୃଦ୍ଧିରେ ମନ୍ଥରତା ଯୋଗୁଁ ଯଦି ସମସ୍ୟା ସୃଷ୍ଟି ହେଉଛି, ତେବେ ଜନସଂଖ୍ୟା ବୃଦ୍ଧିକୁ ଦ୍ରୁତତର କରି ସମସ୍ୟାର ମୂଳୋତ୍ପାଟନ କରାଯାଇ ପାରିବ। ଉଲ୍ଲେଖଯୋଗ୍ୟ, ସେ ରାଜ୍ୟରେ ଜନସଂଖ୍ୟା ବୃଦ୍ଧିରେ ଏଇ ମନ୍ଥରତାର ସୂଚକ ସ୍ୱରୂପ ସେଠାରେ ନାରୀମାନଙ୍କର ମୁଣ୍ଡପିଛା ହାରାହାରି ସନ୍ତାନ ପ୍ରସବ ହାର ('ଟୋଟାଲ୍‌ ଫର୍ଟିଲିଟି ରେଟ୍‌'- 'ଟିଏଫ୍‌ଆର୍‌') ହ୍ରାସ ପାଇ ୧.୫ ଛୁଇଁଲାଣି। ମୋଟ ଲୋକସଂଖ୍ୟା ସ୍ଥିର ରହିବା ନିମିତ 'ଟିଏଫ୍‌ଆର୍‌'ର ମୂଲ୍ୟ ୨.୧ ହେବା ଆବଶ୍ୟକ ହୋଇଥିବାରୁ, ଏଇ ନୀଚା 'ଟିଏଫ୍‌ଆର୍‌' ସେ ରାଜ୍ୟ ପାଇଁ ନିଶ୍ଚିତ ରୂପେ ଚିନ୍ତାଜନକ। ଏଭଳି ନୀଚା 'ଟିଏଫ୍‌ଆର୍‌' ସଂପୃକ୍ତ ସମାଜରେ ସନ୍ତାନ ଜନ୍ମ ପ୍ରତି ନାରୀମାନଙ୍କର ବିମୁଖତାର ପ୍ରତିଫଳନ ରୂପେ ପରିଗଣିତ ହୋଇଥାଏ। ଚନ୍ଦ୍ରବାବୁ ନାଇଡୁ ବର୍ତମାନ ତାଙ୍କ ରାଜ୍ୟର ମହିଳାମାନଙ୍କ ଠାରେ ସନ୍ତାନ ଜନ୍ମ ପ୍ରତି ଦେଖାଯାଉଥିବା ଏଇ କୁଣ୍ଠା ଦୂର କରି ଯଥାଶୀଘ୍ର ସମ୍ଭବ 'ଟିଏଫ୍‌ଆର୍‌'ରେ ଉନ୍ନତି ଘଟାଇ, ସେଠାରେ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ସାଧନ କରି ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରି ଦେଇଛନ୍ତି। ସଂକ୍ଷେପରେ କହିଲେ ସେ ରାଜ୍ୟରେ ମହିଳାମାନେ ଏକାଧିକ ସନ୍ତାନ ଜନ୍ମଦାନ କରିବା ପାଇଁ ଆଗ୍ରହୀ ହେବା ଲାଗି ରାଜ୍ୟ ସରକାର ଏବେ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ ଯୋଜନାମାନ ଘୋଷଣା କରିଛନ୍ତି। ଏହା ଅନୁସାରେ ଦ୍ୱିତୀୟ କିମ୍ବା ତୃତୀୟ ସନ୍ତାନ ଜନ୍ମ ପାଇଁ ଦଂପତିମାନଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ଠାରୁ ଆରମ୍ଭ କରି ତୃତୀୟ ସନ୍ତାନ ପାଇଁ ପାଂଚ ବର୍ଷ ପର୍ଯ୍ୟନ୍ତ ମାସିକ ୧,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଓ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ତାକୁ ସରକାରୀ କିମ୍ବା ଆବାସିକ ବିଦ୍ୟାଳୟରେ ମାଗଣା ଶିକ୍ଷାଦାନ, ପ୍ରସବ ପରେ କର୍ମଜୀବୀ ଜନନୀଙ୍କୁ ୧୨ ମାସ ପାଇଁ ଛୁଟି ଓ ପିତାଙ୍କୁ ଦୁଇ ମାସ ପାଇଁ ଛୁଟି ପ୍ରଦାନ, କର୍ମସ୍ଥଳୀମାନଙ୍କରେ ଯଥେଷ୍ଟ ସଂଖ୍ୟକ ଶିଶୁ-ଯତ୍ନ କେନ୍ଦ୍ରମାନ ପ୍ରତିଷ୍ଠା, ରିହାତି ମୂଲ୍ୟରେ କୃତ୍ରିମ ଭ୍ରୂଣ ସଂଚାର ସୁବିଧା ଆଦି ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଛି। କହିବା ବାହୁଲ୍ୟ, ଆନ୍ଧ୍ର ସରକାର ଏହା ଦ୍ୱାରା ଖୋଲାଖୋଲି ଭାବରେ ଏ ପର୍ଯ୍ୟନ୍ତ ଦେଶରେ ଅନୁସୃତ ହୋଇ ଆସିଥିବା ଜନସଂଖ୍ୟା ନୀତିକୁ ଓଲଟାଇ ଦେବାକୁ ଆଗେଇ ଆସିଛି। କିନ୍ତୁ ନାଇଡୁଙ୍କର ଏଇ ଉଦ୍ୟମର ସଫଳତା ନିର୍ଭର କରେ ସେ ରାଜ୍ୟର ମହିଳାମାନେ କେତେଦୂର ଏସବୁ ପ୍ରୋତ୍ସାହନ ଦ୍ୱାରା ପ୍ରଭାବିତ ହୋଇ ଏକାଧିକ ସନ୍ତାନ ପ୍ରସବ କରିବାକୁ ଆଗଭର ହେବେ, ତା' ଉପରେ।

'ପଖାଳ' ଓଡ଼ିଶାର ସଂସ୍କୃତି ଓ…

ସଂତୃପ୍ତ ଏବେ ସଂପୂର୍ଣ୍ଣ ତୃପ୍ତ

ଏଇ ପରିପ୍ରେକ୍ଷୀରେ ରାଜ୍ୟର ପ୍ରଜନନକ୍ଷମ ମହିଳାମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ: କର୍ମଜୀବୀ ଓ ଗୃହିଣୀ। ଆନ୍ଧ୍ରପ୍ରଦେଶ ପରି ଏକ ପ୍ରଗତିଶୀଳ ରାଜ୍ୟରେ କର୍ମଜୀବୀ ଶ୍ରେଣୀର ମହିଳମାନେ ସାଧାରଣତଃ ଶିକ୍ଷିତା ଓ ସ୍ୱଚ୍ଛଳ ଥିବା ବେଳେ ବିଶୁଦ୍ଧ ଗୃହିଣୀମାନେ ଅଶିକ୍ଷିତା, ସ୍ୱଳ୍ପ ଶିକ୍ଷିତା ଓ ଅସ୍ୱଚ୍ଛଳ ହୋଇଥିବାର ଅଧିକ ସମ୍ଭାବନା ଥାଏ। ପ୍ରଥମୋକ୍ତ ଶ୍ରେଣୀର ମହିଳାମାନେ ଏଭଳି ପ୍ରୋତ୍ସାହନ ଥୋପ ଦ୍ୱାରା କେତେ ପ୍ରଜନନମୁଖୀ ହୋଇପଡିବେ, ତାହା ଘୋର ସନ୍ଦେହଜନକ। ଏଭଳି କର୍ମଜୀବୀ ମହିଳାମାନେ କାହିଁକି ସନ୍ତାନ ପ୍ରସବ ପ୍ରତି ବିମୁଖ ହୋଇଥାନ୍ତି, ତାହାର ଅସଲ କାରଣ ଦର୍ଶାଇଛନ୍ତି ୨୦୨୩ରେ ଅର୍ଥଶାସ୍ତ୍ରରେ ନୋବେଲ୍‌ ପୁରସ୍କାର ବିଜୟିନୀ କ୍ଲଡିଆ ଗୋଲ୍‌ଡିନ୍‌। ତାଙ୍କ ଅନୁସାରେ ଜଣେ ନାରୀକୁ ଭୋଗିବାକୁ ପଡୁଥିବା ମାତୃତ୍ୱ ସଂପର୍କିତ ତ୍ରିବିଧ ଦଣ୍ଡ ହେଉଛି ଏହାର କାରଣ: ମାତୃତ୍ୱ ତଣ୍ଡ; ପିତୃତ୍ୱ ପୁରସ୍କାର; ନାରୀତ୍ୱ କର।
ଏହା ସୁବିଦିତ ଯେ ସନ୍ତାନ ପ୍ରସବ ପରେ କର୍ମଜୀବୀ ନାରୀମାନେ କର୍ମକ୍ଷେତ୍ରରେ ବିନିଯୋଗ କରୁଥିବା ସମୟ ଓ ଶକ୍ତିରେ ହ୍ରାସ ଘଟୁଥିବାରୁ ସେମାନଙ୍କର କ୍ୟାରିଅର ଅଗ୍ରଗତି ଓ ଆୟ ବାଧାପ୍ରାପ୍ତ ହୋଇଥାଏ; ଅପର ପକ୍ଷେ ପିତାମାନେ ସେଭଳି ପ୍ରତିବନ୍ଧକର ସମ୍ମୁଖୀନ ହେଉ ନ ଥିବାରୁ ସେମାନଙ୍କର ବୃତିଗତ ଯାତ୍ରା ଅବ୍ୟାହତ ରହିଥାଏ; କାର୍ଯ୍ୟକ୍ଷେତ୍ରରେ ପରିବେଶ ଓ କାର୍ଯ୍ୟର ସଂଗଠନ ସର୍ବଦା ପୁରୁଷ-ଅନୁକୂଳ ଓ ନାରୀ-ପ୍ରତିକୂଳ ହୋଇଥିବାରୁ (ଗୋଲ୍‌ଡିନ୍‌ ଏଭଳି କାର୍ଯ୍ୟକୁ 'ଗ୍ରିଡି ଜବ୍‌' ବା 'ବହୁ-ଭକ୍ଷୀ କାର୍ଯ୍ୟ' ରୂପେ ଅଭିହିତ କରିଥାନ୍ତି), ଏମିତିରେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣେ ନାରୀ ପୁଣି ସନ୍ତାନ ଜନ୍ମ କରି ନିଜର ଅସୁବିଧାକୁ ବହୁଗୁଣିତ କରିବାକୁ ଚାହିଁ ନ ଥାଏ।
ଗୋଲ୍‌ଡିନ୍‌ଙ୍କର ଏହି ଅନୁଶୀଳନକୁ ଯଦି ଅନୁସରଣ କରାଯାଏ, ତେବେ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ନାଇଡୁଙ୍କ ପ୍ରୋତ୍ସାହନ ତାଙ୍କ ରାଜ୍ୟର ଶିକ୍ଷିତା, ସ୍ୱଚ୍ଛଳ, କର୍ମଜୀବୀ ମହିଳାମାନଙ୍କର ତ୍ରିବିଧ ପ୍ରଜନନ-କୁଣ୍ଠା ଦୂର କରିବାରେ ଅସମର୍ଥ ହେବ। ହୁଏତ ଅସ୍ୱଚ୍ଛଳ ଗୃହିଣୀମାନେ ଏହାଦ୍ୱାରା ପ୍ରଜନନ ପ୍ରତି ଆକର୍ଷିତ ହୋଇପାରନ୍ତି; କିନ୍ତୁ ତା' ଦ୍ୱାରା ଯେଉଁ ନୂତନ ମାନବ ସମ୍ବଳ ସୃଷ୍ଟି ହେବ, ତାହାର ଗୁଣାତ୍ମକ ମାନ ଉଚ୍ଚଶ୍ରେଣୀର ନ ହୋଇପାରେ।

ସରକାର ଦେବାକୁ ଯାଉଥିବା ପ୍ରୋତ୍ସାହନ ଉଚ୍ଚମାନ ନିଶ୍ଚିତ କରିବା ପାଇଁ କେବେହେଲେ ଯଥେଷ୍ଟ ହେବ ନାହିଁ। ନାଇଡୁଙ୍କର ଏଇ ନୂତନ ପରୀକ୍ଷାର ଅନିଶ୍ଚିତ ଫଳାଫଳକୁ ଅପେକ୍ଷା କରିବା ବେଳେ ଜାତୀୟ ନୀତିରେ ବର୍ତମାନ ଏଭଳି ପରିବର୍ତନ କରାଯିବା ଜରୁରି, ଯେପରି ସେମାନଙ୍କର ଆଦର୍ଶ ଜନସଂଖ୍ୟା-ଆଚରଣ ଯୋଗୁଁ ଦାକ୍ଷିଣାତ୍ୟ ରାଜ୍ୟମାନେ 'ଡିଲିମିଟେସନ୍‌' କିମ୍ବା 'ଫାଇନାନ୍‌ସ କମିସନ' ଦ୍ୱାରା ଦଣ୍ଡିତ ନ ହୁଅନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News