Dailyhunt
ହସ୍ତଶିଳ୍ପ ସଂଗ୍ରହାଳୟ 'କଳାଭୂମି'ର ଅଷ୍ଟମ ପ୍ରତିଷ୍ଠା ଦିବସ

ହସ୍ତଶିଳ୍ପ ସଂଗ୍ରହାଳୟ 'କଳାଭୂମି'ର ଅଷ୍ଟମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଗଣ୍ଡମୁଣ୍ଡାଠାରେ 'କଳାଭୂମି'ର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ, ରାଜ୍ୟ ହସ୍ତଶିଳ୍ପ ବିଭାଗ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି , ହସ୍ତତନ୍ତ ଓ ବୟନ ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟ ଏବଂ ସିଡାକ୍‌ ସଦସ୍ୟ ସଚିବ ଚିନ୍ମୟୀ ବିଶ୍ୱାଳଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

ସଂଗ୍ରହାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶାଶ୍ୱତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ କଳାଭୂମି ସ୍ଥାପନର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ଓଡିଶାର ହସ୍ତକଳା ଓ ଗ୍ରାମ୍ୟଶିଳ୍ପକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଦିଗରେ ଉଦ୍ୟମ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

ଯୁବବର୍ଗଙ୍କ ମାନସିକ ଅସୁସ୍ଥ…

ଏହି ଅବସରରେ ଦର୍ଶକମାନଙ୍କ ପାଇଁ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିଲା। ମନୋରଞ୍ଜନ ନିମନ୍ତେ ସିତାର, ତବଲା ବାଦନ ଏବଂ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା। ସୂଚନାଯୋଗ୍ୟ, ଓଡ଼ିଶାର କାରିଗରମାନଙ୍କ ଅପୂର୍ବ କଳାକୃତିକୁ ପ୍ରଦର୍ଶନ କରିବା ପାଇଁ ପ୍ରତିଷ୍ଠିତ 'କଳାଭୂମି'ରେ ଟେରାକୋଟା, ପାରମ୍ପରିକ ଚିତ୍ରକଳା, ପଥର ଖୋଦେଇ ଏବଂ ଧାତୁ ଶିଳ୍ପ ପାଇଁ ସ୍ୱତନ୍ତ୍ର ଗ୍ୟାଲେରି ରହିଛି। ୨୨ ମାର୍ଚ୍ଚ ୨୦୧୮ ଠାରୁ ଆଜି ପର୍ଯ୍ୟନ୍ତ ଗତ ୨୯୨୨ ଦିନ ମଧ୍ୟରେ କଳାଭୂମି ସାରା ବିଶ୍ୱରୁ ଛାତ୍ରଛାତ୍ରୀ, କ୍ୟୁରେଟର, ଗବେଷକ, ନୃତତ୍ୱ ବିଜ୍ଞାନୀ ଏବଂ ସଂଗ୍ରହାଳୟ ପ୍ରେମୀମାନଙ୍କୁ ଆକର୍ଷିତ କରିଛି।

ଆମ ରାଜ୍ୟର କାରିଗର, ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ରୂପାନ୍ତରିତ ଏହି ଅନୁଷ୍ଠାନ ଶିକ୍ଷା ଏବଂ ସାଂସ୍କୃତିକ ଆଦାନପ୍ରଦାନର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି। କେବଳ ସେତିକି ନୁହେଁ ଚଳିତ ବର୍ଷ ୨୦ତମ ଭବ୍ୟ ତୋଷାଳୀ ମେଳା ପାଳନ ଅବସରରେ ନିକଟ ଅତୀତରେ ୧୦୦୦ରୁ ଊର୍ଦ୍ଧ୍ୱ ଟେରାକୋଟା ହସ୍ତଶିଳ୍ପୀ ଭାଗନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News