Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାଠଚୁଲି ଯୁଗକୁ ଫେରିବା ସାର

କାଠଚୁଲି ଯୁଗକୁ ଫେରିବା ସାର

ଗୋଟେ ପଟେ ଘରୁ ରୋଷେଇ ଗ୍ୟାସ୍‌ ସରି ଆସୁଛି, ଅନ୍ୟପଟେ ସିଲିଣ୍ଡର ସଙ୍କଟ। ଲୋକଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିଛି। ଯଦି ଏମିତି ପରିସ୍ଥିତି ଆହୁରି ୭ ଦିନ ଯାଏଁ ଲାଗି ରହେ ତେବେ ହାହାକାର ପରିସ୍ଥିତି ଉପୁଜିବ। ଭୁବନେଶ୍ୱର ପରି ସହରରେ ଲୋକେ ନାହିଁ ନଥିବା ହଇରାଣ ଭୋଗିବେ ବୋଲି ଆଶଙ୍କା କରାଯାଉଛି। ଅନେକ ଲୋକ ଏଠି ଚାକିରି ପାଇଁ ଏବଂ ରୋଜଗାର ପାଇଁ ଆସି ଭଡ଼ାରେ ରୁହନ୍ତି।

କିଛି ଲୋକ ଖାତାଧାରୀ ଥାଆନ୍ତି ଆଉ କିଛି ବ୍ଲାକରେ ରନ୍ଧନ ଗ୍ୟାସ୍‌ କିଣି ରୋଷେଇ କରନ୍ତି। ଯଦି ଗ୍ୟାସ୍‌ ମିଳିବା କଷ୍ଟ ହୋଇଯିବ ସେମାନେ ବାଧ୍ୟ ହୋଇ ହୋଟେଲ ଉପରେ ନିର୍ଭର କରିବେ ସିନା ମାତ୍ର ହୋଟେଲର ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସମାନ ହେବ। ଏପରି ସ୍ଥିତିରେ ହୁଏତ ଅନେକ ଲୋକ ଗାଁ ମୁହାଁ ହୋଇପାରନ୍ତି; ଏମିତି ଆଶଙ୍କା କିଛି ଲୋକ କରନ୍ତି। ସହରରେ ସିନା ଗ୍ୟାସ୍‌ ବିନା ରୋଷେଇ ଅସମ୍ଭବ ମାତ୍ର ଗାଁରେ କାଠଜାଳର ଅଭାବ ନାହିଁ। ଚୁଲିରେ ଚଳିଯିବ ଜୀବନ। ହୁଏତ ଏକଥା ଭାବି କିଛି ଗାଁ ମୁହାଁ ବି ହୋଇପାରନ୍ତି।

ଥରେ କୋଭିଡ଼ ସମୟ କଥା ମନେ ପକାଇଲେ… ଚାରିଆଡେ଼ ଭୂତାଣୁର ଭୟ, ସବୁ ସାମଗ୍ରୀର ସଙ୍କଟ ଆଉ ଲକ୍‌ ଡାଉନ୍‌-ସଟ୍‌ ଡାଉନ୍‌ ପରି ହାହାକାର ସ୍ଥିତି। କୋଭିଡ ପରେ ବୋଧହୁଏ ପ୍ରଥମ ଥର ଦେଶ ଯୁଦ୍ଧ ପାଇଁ ପ୍ରଭାବିତ ହୋଇଛି। ଯୁଦ୍ଧ ହେଉଛି ମଧ୍ୟପ୍ରାଚ୍ୟ ଅଂଚଳରେ। ମାତ୍ର ତା'ର ପ୍ରଭାବ ଆମ ହାଣ୍ଡିଶାଳରେ ପଡ଼ିଛି। ଆମ ଦୈନନ୍ଦିନ ଜୀବନ ଉପରେ ପଡ଼ିଛି। ମିଶାଇଲ ଜ୍ୱାଳାରୁ ପେଟର ଜ୍ୱାଳା କ'ଣ କମ୍‌ ଯନ୍ତ୍ରଣାଦାୟକ। ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧାସଳଖ ପ୍ରଭାବ ଦେଶର ଆର୍ଥିକ ସ୍ଥିତି, ବେପାର-ବଣିଜ ଆଉ ହାଣ୍ଡିଶାଳ ଉପରେ ପଡ଼ିଛି।

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ…

ଶ୍ରୀଲଙ୍କା ଛାଡିଲା ୮୪ ଇରାନୀ…

ଯୁଦ୍ଧରେ ଜଡ଼ିତ ନଥାଇ ମଧ୍ୟ ଏ ପ୍ରକାର ଯନ୍ତ୍ରଣା ପାଇଁ କାହାକୁ ଦାୟୀ କରାଯିବ? ଆପଣା ହସ୍ତେ ଜିହ୍ୱ ଚ୍ଛେଦି। ଦେଶରେ ଦେଖାଦେଇଥିବା ଗ୍ୟାସ୍‌ ସଙ୍କଟ ସବୁ ସମସ୍ୟାର କାରଣ ସାଜିଛି। ଯେଉଁଠି ବିନା ଗ୍ୟାସରେ ଅଚଳା ଅବସ୍ଥା ସୃଷ୍ଟି ହୋଇଛି। ଗ୍ୟାସ୍‌ ପାଇଁ କେଉଁଠି ଲଢେଇ ଚାଲିଛି ତ କେଉଁଠି ଲମ୍ବା ଧାଡ଼ି ଲାଗିଛି । ହୋଟେଲରୁ ହାଟ ସବୁ ପ୍ରଭାବିତ ହଇଥିବା ବେଳେ ହୋଟେଲ ଶିଳ୍ପ ଉପରେ ଏହାର ପ୍ରଭାବ ଭାରି ମାତ୍ରାରେ ପଡ଼ିଛି। ଗ୍ୟାସ୍‌ ମିଳୁ ନଥିବାରୁ ହୋଟେଲରେ କାଠ ଜାଳେଣି ଉପରେ ଭରସା କରିବାକୁ ପଡୁଥିବା ବେଳେ ଅନେକ ଆଇଟମ ବି ହୋଇପାରୁନି। ଏହା ସହ ଖାଦ୍ୟର ଦର ବି ବୃଦ୍ଧି ପାଉଛି । ଯାହା ଲୋକଙ୍କ ପକେଟ ଉପରେ ସିଧା ପ୍ରଭାବ ପକାଇଛି ।

ଆଜି ଓଡ଼ିଶାରେ ଗ୍ୟାସ୍‌ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି। ସବୁଠାରୁ ବ୍ୟସ୍ତ ବହୁଳ ସହର ହଠାତ୍‌ ଆଜି ଧିମେଇ ପଡ଼ିଲା ପରି ଲାଗିଛି । ଦିନେ ଯେଉଁଠିି ଲାଗେ ଅସମ୍ଭାଳ ଭିଡ଼ ଆଜି ସେଠି ଖାଁ ଖାଁ ଓ ନିର୍ଜନତା କଡ଼ ଲେଉଟାଇଛି। ରାସ୍ତା ଘାଟରେ ଆଜି କାଁ ଭାଁ ଲୋକଙ୍କ ଯାଆସ ଦେଖିବାକୁ ମିଳିଛି। ଗୋଟେ ପ୍ରକାର କୋଭିଡ୍‌ ବେଳର ଲକ୍‌ଡାଉନ-ସଟ୍‌ଡାଉନ ପରିସ୍ଥିତିର ଅନୁଭବ ଆଣିଦେଇଛି। ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଏସପ୍ଲାନେଡ ଗଳି ରାସ୍ତାରେ ଆଜି କାଁ ଭାଁ ଲୋକଙ୍କର ଗହଳି ଦେଖିବାକୁ ମିଳିଛି। ଦିନ ୧୦ଟା ବେଳେ ବି ଦୋକାନରେ ଲୋକ ନଥିବା ପରିସ୍ଥିତି । ଯେଉଁ ରାସ୍ତାରେ ଦୋକାନର ଭିଡ଼ ଲାଗେ ରାସ୍ତା କାମ ପାଇଁ ଯଦିଓ ଦୋକାନ ସଂଖ୍ୟା କମିଛି ମାତ୍ର ସକାଳ ସମୟରେ ଠେଲା ଦୋକାନୀଙ୍କର ବି ଗହଳି ଲାଗେ। କିନ୍ତୁ ସିଲିଣ୍ଡର ସଙ୍କଟ ପାଇଁ ଆଜି ଅନେକ ଦୋକାନ ବନ୍ଦ । ନା ଜଳଖିଆ ଦୋକାନ, ନା ଚା ଦୋକାନ । ସବୁ ବନ୍ଦ ପଡ଼ିଛି । ଯିଏ ବି ଖୋଲିଛନ୍ତି ଗ୍ୟାସରେ ରୋଷେଇ କଲା ଭଳି କିଛି ଜିନିଷ ବିକୁ ନାହାନ୍ତି ।

ବାକି କିଛି ଜଳଖିଆ ଦୋକାନୀ ଗ୍ୟାସ୍‌ ନଥିବାରୁ ଚୁଲିକୁ ଫେରିଛନ୍ତି। କାଠ ଚୁଲି କରି ଛଣାଛଣି କରୁଛନ୍ତି। ବଜାରରେ ଏବେ ଗ୍ୟାସ୍‌ ଫିଲିଂ ପାଇଁ କେଜିକୁ ୩୦୦ ଟଙ୍କା ନେଉଥିବା ଜଣେ ଦୋକାନୀ କହିଥିବା ବେଳେ ଗ୍ୟାସ୍‌ ଜମା ମିଳୁନଥିବାରୁ ବାଧ୍ୟ ହୋଇ କାଠ ଚୁଲିକୁ ଭରସା କରିଛନ୍ତି। ସେପଟେ ଗ୍ୟାସ୍‌ ନଥିବାରୁ ଅନେକ ଚା' ଦୋକାନ ଖାଁ ଖାଁ। ଯେଉଁଠି ଚା'ଖଟି ଚାଲେ ସେଠି ଲୋକ ନାହାନ୍ତି। ଗ୍ୟାସ ନଥିବାରୁ ହୋଟେଲରୁ ହାଟ୍‌ ସବୁ ପ୍ରଭାବିତ । ଗ୍ୟାସ୍‌ ନଥିବାରୁ ଦୋକାନୀ ବି ହାତବାନ୍ଧି ବସିଛନ୍ତି। କୋଭିଡ଼ ବେଳେ କଟକଣା ଥିଲା କିନ୍ତୁ ଗ୍ୟାସ୍‌ ମିଳୁଥିଲା । ତେଣୁ ଲୋକେ ଚଳିଯାଉଥିଲେ। କିନ୍ତୁ ଏବେ ଗ୍ୟାସ୍‌ ହିଁ ମିଳୁନି । ଏପରି ସ୍ଥଳରେ ସହରିଆ ଗାଁ ମୁହାଁ ହେବାର ଅନେକ ସମ୍ଭାବନା ଦେଖାଦେଲାଣି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News