Dailyhunt
ମହିମାମୟୀ ମା' ମଲ୍ଲ୍ୟାଶୁଣୀ-୨

ମହିମାମୟୀ ମା' ମଲ୍ଲ୍ୟାଶୁଣୀ-୨

ଲ୍ୟାଣମୟୀ ମା ମଲ୍ଲ୍ୟାଶୁଣୀଙ୍କ ଅପାର ମହିମା ସଂପର୍କରେ କିଛି ପ୍ରସଂଗ ଉପସ୍ଥାପିତ କରିବାକୁ ଯାଉଛି। ୧୯୯୩ ମସିହାର ଘଟଣା, ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସିଂହ ଅତୀତରେ ଖଣ୍ଡିଏ ଚାକିରୀ ପାଇଁ ମା'ଙ୍କୁ ପ୍ରାର୍ଥନା କରିଥିଲେ। ଇତିମଧ୍ୟରେ ଚାକିରୀ ଅବଧି ଶେଷ ହେବାକୁ ବସିଥିଲେ ବି ସେ ନିଜର ସଂକଳ୍ପ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥିଲେ।

ଦିନେ ମା' ସ୍ୱପ୍ନରେ ତାଙ୍କୁ କହିଲେ " ଆରେ ବାବୁ ! ଦେଇଥିବା ବଚନ ରକ୍ଷା କଲୁନି; ତୋର ତ ସମୟ ସରିଆସିଲାଣି!' ସେ ପ୍ରକୃତିସ୍ଥ ହୋଇ ନିଜର ଭୁଲ ବୁଝିପାରି ପୂର୍ବ ପ୍ରତିଶ୍ରୁତି ଅନୁସାରେ ମା'ଙ୍କ ନିକଟରେ ଏକଦିନାତ୍ମକ ଚଣ୍ଡିଯଜ୍ଞ କରିବା ନିମନ୍ତେ ଆସି ପହଂଚିଲେ ଏବଂ ପଣ୍ଡିତ ଚୟନ ଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର ଭାର ମୋ ଉପରେ ନ୍ୟସ୍ତ କରି ଦୋଳପର୍ବକୁ ଆସିବେ ବୋଲି କଥା ଦେଇ ରାଉରକେଲା ଫେରିଗଲେ।

ଠିକ୍‌ ଦୋଳ ଉତ୍ସବ ସମୟରେ ପହଂଚି ମା'ଙ୍କ ମଣ୍ଡପ ସମ୍ମୁଖରେ ଏକ ଚଉତରା ନିର୍ମାଣ କଲେ। ପ୍ରତିଦିନ ପରି ସେଦିନ ମଣ୍ଡପରେ ପାଣି ଦେଇ ସାରିବା ପରେ ନିଜ ବଗିଚାରେ ପାଣି ଦେଉଥିବା ସମୟରେ ହଠାତ୍‌ ବିଦ୍ୟୁତ ଆଘାତରେ ଶିକାର ହୋଇ ଆକସ୍ମିକ ମୃତ୍ୟୁବରଣ କଲେ। "ତୋର ସମୟ ସରିଲାଣି' ଯାହା ମା'ଙ୍କର ଇଙ୍ଗିତ ଥିଲା ତାହା ବାସ୍ତବିକ ତାଙ୍କର ଜୀବନକାଳକୁ ବୁଝାଉଥିଲା ମାତ୍ର ଏହାକୁ ସେ ଚାକିରୀ କାଳର ସମାପ୍ତି ବୋଲି ଧରି ନେଇଥିଲେ।

ଏପରି ଏକ ଅଘଟଣ ଘଟିବା ପରେ ଭୟଭୀତ ଗ୍ରାମବାସୀ ପଣ୍ଡିତମାନଙ୍କ ମତାମତ ଲୋଡିଲେ। ବେଦବିତ୍‌ ପଣ୍ଡିତ ବିଜୟ କୁମାର କରଶର୍ମାଙ୍କ ପରାମର୍ଶ କ୍ରମେ ତ୍ରିଦିନାତ୍ମକ ଚଣ୍ଡିଯଜ୍ଞ ଆୟୋଜନ କରାଗଲା। ତେବେ ମା'ଙ୍କ ବାସ୍ତବ ସ୍ୱରୂପ ସଂପର୍କରେ ପ୍ରଶ୍ନ କରନ୍ତେ ଗ୍ରାମବାସୀ ନିରୁତର ହେବାରୁ ସେ ଏ ବିଷୟରେ ତାଙ୍କର ମାମୁଁ, ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ତନ୍ତ୍ର ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ସୋମନାଥ ଦାଶ ମହୋଦୟଙ୍କ ସହ ପରାମର୍ଶ କରି ଆଗାମୀ ରବିବାର ବୈଠକରେ ଜଣାଇବେ କହିଲେ। ଅଧିକନ୍ତୁ ସୂଚନା ଦେଲେ ଯେ ମା, ଆପଣମାନଙ୍କ ମଧ୍ୟରୁ କାହାରିକୁ ନା କାହାରିକୁ ନିଜର ସ୍ୱରୂପ ସଂପର୍କରେ ନିଶ୍ଚୟ ଇଙ୍ଗିତ ଦେବେ। ବୈଠକ ପରବର୍ତି ରବିବାରକୁ ସ୍ଥଗିତ ରଖାଯାଇଥିଲା।

ପରବର୍ତି ଗୁରୁବାର ରାତିର ତୃତୀୟ ପ୍ରହର। ଏ ଅଧିନକୁ ସ୍ୱପ୍ନରେ ଏକ ଦିବ୍ୟମୂର୍ତି ଦର୍ଶନ କରିବାର ସୌଭାଗ୍ୟ ମିଳିଲା। ମଣ୍ଡପ ନିକଟସ୍ଥ ଅଶ୍ୱତ୍‌ଥ ବୃକ୍ଷ ମୂଳରେ ଜଣେ ଦିବ୍ୟ ନାରୀ ଦଣ୍ଡାୟମାନ, ପଶ୍ଚାତ୍‌ ଭାଗରେ ସୁନ୍ଦର ମନ୍ଦିର, ଅପରୂପ ଦିବ୍ୟକାନ୍ତି, ମଥାରେ କିରୀଟ, ଗୋଟିଏ ହସ୍ତରେ ଲକ୍ଷ୍ମୀଭଣ୍ଡାର ଅନ୍ୟଟିରେ ଅଭୟ ମୂଦ୍ରା କିନ୍ତୁ ନିମ୍ନ ଭାଗ ସର୍ପିଳ ଆକୃତିର। ନିଦ ଭାଙ୍ଗିଗଲା, ଦେହରେ ଅପୂର୍ବ ରୋମାଂଚ, ବିଛଣା ଛାଡି ଆସନରେ ବସି ସ୍ୱପ୍ନର ଦୃଶ୍ୟକୁ ମନେ ପକାଉ ପକାଉ ପ୍ରଭାତ ଉପଗତ ହେଲା। ମନକଥା ମନରେ ରଖି ମା'ଙ୍କ ମଣ୍ଡପ ନିକଟରେ ପହଂଚିଲି ଏବଂ ନିଜକୁ ଭାଗ୍ୟବାନ ମନେକରି ତାଙ୍କର ଅଭୟ ପାଦରେ ଶରଣ ଗଲି।

ପରବର୍ତି ରବିବାର ସମସ୍ତ କର୍ମକର୍ତାଙ୍କ ଉପସ୍ଥିତିରେ ପଣ୍ଡିତ ମହାଶୟ ନିଜର ମନ୍ତବ୍ୟ ରଖିବା ପୂର୍ବରୁ, କାହାରିକୁ କିଛି ସୂଚନା ମିଳିଛି ବୋଲି ପ୍ରଶ୍ନ କଲେ, ଯଦି ଥାଏ ତେବେ ଖଣ୍ଡେ କାଗଜରେ ଲେଖିବାକୁ କହିଲେ। ମୁଁ ସେ ରାତିର ସ୍ୱପ୍ନର ଦୃଶ୍ୟକୁ ଲେଖି ପାହାଚ ଉପରେ ରଖିଦେଲି। ଉତ୍ସୁକତାର ସହ ସମସ୍ତେ ପଣ୍ଡିତଙ୍କ ମୁହଁକୁ ଚାହିଁଥାନ୍ତି।

ପଣ୍ଡିତ କରଶର୍ମା ଆରମ୍ଭ କଲେ ଯେ ମା' ହେଉଛନ୍ତି ମନସା ଦେବୀ, ସେ ନାଗ କନ୍ୟା ' ରୂପରେ ବିରାଜିତା। ମୁଁ ଚିକ୍ରାର କରି ଉଠିଲି -' ହଁ ତାହା ହିଁ ଠିକ୍‌ ', ମୁଁ ଦେଖିଥିବା ସ୍ୱପ୍ନର ଦୃଶ୍ୟ ମୋ ଦେହକୁ ରୋମାଂଚିତ କରିଥିଲା, ଆଖିର ଆନନ୍ଦାଶ୍ରୁ ରୋକି ପାରି ନଥିଲି। ସମସ୍ତେ ଚକିତ ହେଲେ। ମୋ ଅନୁଭୂତିର ଲେଖା କାଗଜ ଖଣ୍ଡିକ ପାଠ କରାଯିବାରୁ ବିଶ୍ୱାସର ଦୃଢ ବନ୍ଧନୀ ସମସ୍ତଙ୍କ ମନକୁ ବାନ୍ଧିଦେଲା। ଜୟ ମା ମଲ୍ଲ୍ୟାଶୁଣୀ ଧ୍ୱନୀରେ ମଣ୍ଡପ କମ୍ପି ଉଠିଥିଲା ସେ ସଂଧ୍ୟାରେ।

ମନସା ଦେବୀ ସ୍ୱରୂପା ମା ମଲ୍ଲ୍ୟାଶୁଣୀଙ୍କୁ ମହାଲକ୍ଷ୍ମୀ, ମହାକାଳୀ ଓ ମହାସରସ୍ୱତୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ କରାଯାଇ ତ୍ରିଦିନାତ୍ମକ ଚଣ୍ଡିଯଜ୍ଞ ଓ ବାସନ୍ତିକ ଦୁର୍ଗାତ୍ସବ ଚୈତ୍ରମାସ ଶୁକ୍ଳ ସପ୍ତମୀ ଠାରୁ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ କରାଗଲା।

ଯଜ୍ଞର ତୃତୀୟ ବର୍ଷ ପୂର୍ତିରେ ଅନ୍ୟ ଏକ ଚମତ୍କାର ଘଟିଲା। ପୂର୍ଣ୍ଣାହୁତି ପରଦିନ ସ୍ଥାନୀୟ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ସାମନ୍ତରାୟଙ୍କ ଆମନ୍ତ୍ରଣ କ୍ରମେ ତାଙ୍କ ବାସଭବନରେ ପହଂଚିଲି। ସେ ମହାଶୟ ମା'ଙ୍କର ରୂପ ଉପରେ ସନ୍ଦେହ ପ୍ରକଟ କରି ମତଦେଲେ ଯେ ପୂର୍ଣ୍ଣାହୂତି ସମୟରେ ମା'ଙ୍କର ରୂପ ଅତ୍ୟନ୍ତ ଭୟଙ୍କର ଲାଗୁଥିଲା ଯାହାକି ଫେରନ୍ତା ନିର୍ଜନ ରାସ୍ତାରେ ତାଙ୍କ ମନରେ ଭୟ ସଂଚାର କରିଥିଲା।

ରମଜାନ ମାସ ଉପଲକ୍ଷେ ସମାଜସେବୀ…

ବିଜ୍ଞାନ ଯୁଗରେ ପଣା ହାଣ୍ଡି ଓ…

ଏଣୁ ବାସ୍ତବ ରୂପ ଉଦ୍ଘାଟନ କରିବାକୁ ପରାମର୍ଶ ଦେଲେ। ମନ ଭିତରେ ସେହି କଥା ଭାବି ଫେରିଥାଏ ହଠାତ୍‌ ଭୀଷଣ ବେଗରେ ଚକ୍ରବାତଟିଏ ସୃଷ୍ଟି ହୋଇ ପଥରୋଧ କରିବାରୁ ଘରକୁ ନ ଫେରି ମଣ୍ଡପ ନିକଟକୁ ଯାଇ ଦେଖେତ ପୂଜାରୀ ନନା ମା'ଙ୍କ ମୂର୍ତିର ଉପରି ଭାଗ ଖୋଳିବାରେ ବ୍ୟସ୍ତ। ଆଗ୍ରହ ସହକାରେ ତାଙ୍କ ସହ ଯୋଗଦେଲି। କ୍ରମେ ମା'ଙ୍କ କମନୀୟ ମୂର୍ତିର ଦର୍ଶନ କରିବାର ସୌଭାଗ୍ୟ ମିଳିଲା। ମା ଏକ ନାଗ ଚୌକି ଉପରେ ଆସୀନ, ମସ୍ତକ ଉପରେ ସର୍ପରାଜ ସପ୍ତଫେଣ , ପାଦ ତଳକୁ ସର୍ପ ଲାଞ୍ଜଟି ଲମ୍ବି ଆସିଛି। ଦେହ ଶିହରି ଉଠିଲା। କ'ଣ ଦେଖୁଥିଲି ! ସେ ରାତିର ସ୍ୱପ୍ନଟି ଆଖି ଆଗରେ ନାଚି ଉଠିଲା। କାହିଁକି ମୁଁ ମା'ଙ୍କ ପାଦ ଖୋଜୁଥିଲା ବେଳେ ପାଇ ନଥିଲି, ଯାହା ଦେଖିଥିଲି ତାହା ଏହି ସର୍ପର ଲାଞ୍ଜ ଥିଲା।

କଣ୍ଠରୁ ବାକ୍ୟ ସ୍ଫୁରିଲା ନାହିଁ। ଏତେ ସୁନ୍ଦର ପ୍ରତିମୂର୍ତିଟି! ଏହିଠାରେ ସୂଚନା ଦେବାକୁ ଚାହେଁ ଯେ ମା'ଙ୍କର ପ୍ରକୃତ ମୁଖମଣ୍ଡଳ ପୂଜିତ ମୂର୍ତି ମଧ୍ୟରେ ଏବେମଧ୍ୟ ଲୁକ୍କାୟିତ କାରଣ ଜାଣି ଜାଣି ସେହି ବାସ୍ତବମୁଖ ଉପରେ ଲାଖର ପ୍ରଲେପ ଦେବାକୁ ବାଧ୍ୟ ହେଲୁ ଯେହେତୁ ଧାତୁ ନିର୍ମିତ ଆଖି, ନାସିକା ଓ ମୁକୁଟ ଆଦି ଅଳଂକାର ଆକାରରେ ବଡ ଥିଲା। ତେବେ ଆଗାମୀ ଦିନରେ ପୁଣି ସଂପୂର୍ଣ୍ଣ ରୂପ ଭକ୍ତମାନଙ୍କ ସମ୍ମୁଖକୁ ଆଣିବାକୁ ସଂକଳ୍ପ ନେଇଛୁ।

ଜଣେ ପୁରାତନ ଛାତ୍ରୀ ନିଜର ସ୍ୱାମୀଙ୍କ ଜୀବନ ରକ୍ଷା କରିବାରେ ସମର୍ଥ ହେବା ଅଂଚଳବାସୀଙ୍କ ମନରେ ଆନନ୍ଦ ଭରିଦେଲା। ବିପୁଳ ଅର୍ଥ ବ୍ୟୟ କରି ଓଡିଶା ତଥା ଓଡିଶା ବାହାରର ବଡ ବଡ ହସ୍ପିଟାଲରୁ ନିରାଶ ହୋଇ ଫେରିବା ପରେ ଶେଷରେ ମା'ଙ୍କ ଚରଣରେ ଶରଣ ନେଲେ। ଶ୍ରାବଣ ମାସର ବର୍ଷଣ ମୁଖର ଘନ ଅନ୍ଧାର ରାତି, ମଶା ଡାଆଁସ ଓ ସରୀସୃପକୁ ଖାତିର ନ କରି ଦିନରାତି ଅନାହାରରେ ମା'ଙ୍କ ଅଗଣାରେ ଧାରଣାରେ ପଡିରହିଲେ। ଠିକ୍‌ ସପ୍ତମ ରାତିରେ ମା' ତାଙ୍କୁ ଅଭୟ ପ୍ରଦାନ କରିଥିଲେ। ପରଦିନ ପରିବାର ଲୋକେ ତାଙ୍କର ରୋଗୀଣା ସ୍ୱାମୀଙ୍କୁ ପହଂଚାଇ ମା'ଙ୍କ ମାର୍ଜନ ପାଦୁକ ପିଆଇଥିଲେ। ଶେଷରେ ଭକ୍ତି ଓ ଭରସା ର ବିଜୟ ହେଲା। ତାଙ୍କର ସ୍ୱାମୀ ଏବେ ସଂପୂର୍ଣ୍ଣ ସୁସ୍ଥ। ଭକ୍ତର ଆତ୍ମସମର୍ପଣ ରେ ବିଭୁକୃପା ଉପଲବ୍ଧିର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ସଇକା ଗ୍ରାମର ଶ୍ରୀଯୁକ୍ତ ନାରାୟଣ ରାଉତଙ୍କ ପରିବାର।

୧୯୯୭ ମସିହା, ନାରାୟଣ ବାବୁଙ୍କ ବଡପୁଅ ନିରଞ୍ଜନ ନାସିକର ଏକ ଅଟୋମୋବାଇଲ କର୍ମଶାଳାରେ ଯାନ୍ତ୍ରିକ ଭାବେ କାର୍ଯ୍ୟରତ ଥିଲେ। ସେ ଦିନେ ସଂକ୍ରାନ୍ତି ଗୁରୁବାର ଦିନ ରାତିରେ ଶୋଇଥିବା ଅବସ୍ଥାରେ ସର୍ପାଘାତର ଶିକାର ହେଲେ। ୨୧ ଦିନର ଚିକିତ୍ସା ପରେ ବି କୌଣସି ସୁଫଳ ମିଳିଲା ନାହିଁ କି ଚେତା ଫେରିଲା ନାହିଁ।

ଗାଁ ତଥା ଅଂଚଳରେ ଶୋକାକୁଳ ପରିବେଶ। ବାପା ନାରାୟଣ ବାବୁ ପ୍ରଭୂ ସତ୍ୟନାରାୟଣଙ୍କ ସେବକ , ମା ପାର୍ବତୀ ଦେବୀ ମା ମଲ୍ଲ୍ୟାଶୁଣୀଙ୍କ ଆଶ୍ରିତ। ପୁତ୍ରର ମୃତ୍ୟୁ ସହ ସଂଗ୍ରାମ। ଖବର ପାଇ ମା' ପାଗଳପ୍ରାୟ ଆସି ମା'ଙ୍କ ଚରଣରେ ଶରଣ ଗଲେ। ଅନାହାର ରହି ପୁଅର ଜୀବନ ପାଇଁ ମା'ଙ୍କୁ କାତର ନିବେଦନ କରି ସେହି ଅଗଣାରେ ପଡିରହିଲେ। ସଂଧ୍ୟାରେ ମା'ଙ୍କୁ ପୂଜାର୍ଚ୍ଚନା କରାଗଲା। ପୂଜା ପରେ କଳାରଂଗର ସର୍ପଟିଏ ମଣ୍ଡପ ବେଢାରୁ ବାହାରି ପଶ୍ଚିମ ଦିଗକୁ ଯାଉଥିବାର ନଜରକୁ ଆସିଲା, ତେବେ ଏହା ଏକ ସାଧାରଣ ଘଟଣା ବୋଲି ଲୋକେ ଭାବିଥିଲେ। ପରଦିନ ସକାଳେ ନିରଞ୍ଜନର ଦାଦା ଗୋବିନ୍ଦବାବୁ ନାସିକ ଅଭିମୁଖେ ଯାତ୍ରା କଲେ।

ଧାରଣା ପଡିବାର ସପ୍ତମ ରାତିରେ ମା ପାର୍ବତୀ ଦେବୀ ଶୁକ୍ଳ ବସ୍ତ୍ର ପରିହିତା ଦୁଇଜଣ ନାରୀଙ୍କୁ ଆକାଶରୁ ଲମ୍ବିଥିବା ଶିଢିରେ ଓହ୍ଲାଇବାର ଦେଖିଲେ। " ଆପଣମାନେ କିଏ? କେଉଁଠାକୁ ଯାଇଥିଲେ?' ନିରଂଜନ ମା' ପ୍ରଶ୍ନ କରନ୍ତେ -"ଆରେ ମା। ଆମେ ବହୁତ ଦୂର, ନଈନାଳ, ପାହାଡ ଜଙ୍ଗଲ ପାର ହୋଇ ଏକ ଜରୁରୀ କାମରେ ଯାଇଥିଲୁ ଏବେ ଫେରୁଛୁ, ତୁ କିନ୍ତୁ କିଛି ଚିନ୍ତା ନ କରି ଶୋଇପଡ' ବୋଲି ଉତର ଦେଇ ନାରୀ ମୂର୍ତି ଅନ୍ତର୍ଦ୍ଧାନ ହୋଇଗଲେ। ପାର୍ବତୀଙ୍କର ସ୍ୱପ୍ନ ଭାଙ୍ଗିଗଲା, ଉଠି ବସିଲେ, ମନ ଚଂଚଳ ହୋଇ ଉଠିଲା।
ସଂଯୋଗ କ୍ରମେ ଘଟଣାର ଠିକ୍‌ ୨୭ ଦିନ ଗୋବିନ୍ଦବାବୁ ଡାକ୍ତରଖାନାରେ ନିରଂଜନର ଚେତା ଫେରି ଆସିବାର ଦେଖିବାକୁ ପାଇଲେ ଏବଂ କ୍ରମଶଃ ପୁଅ ସୁସ୍ଥ ହେବାରୁ ତାକୁ ସାଥିରେ ଧରି ଗାଁକୁ ଫେରିଲେ। ଘରେ ଭାଉଜଙ୍କଠାରୁ ସ୍ୱପ୍ନ ବୃତାନ୍ତ ଶୁଣି ହତବାକ୍‌ ହୋଇଗଲେ। ଏ କଥା ନିମିଷକେ ଚାରିଆଡେ ପ୍ରଚାର ହୋଇଗଲା। ମା'ଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଗଲା।

୨୦୦୬ ମସିହା ଜାନୁୟାରୀ ୪ ତାରିଖରେ ନବନିର୍ମିତ ଗର୍ଭଗୃହର ନାଗାସନ ଉପରେ ମା'ଙ୍କୁ ବିରାଜିତ କରାଗଲା। ୬ ତାରିଖ ରାତିର ତୃତୀୟ ପ୍ରହର, ପୁଣି ଏକ ଦୁଃସ୍ୱପ୍ନ - ମଣ୍ଡପ ସମ୍ମୁଖ ରାସ୍ତା ଉପରେ ଏକ ଟ୍ରକ ଛିଡା ହୋଇଥିବାର ଦୃଶ୍ୟ, ଜଣେ ଖର୍ବକାୟ ବ୍ୟକ୍ତି ହାତରେ କିଛି ପଦାର୍ଥ ଲୁକ୍କାୟିତ କରି ମଣ୍ଡପରୁ ବାହାରି ଟ୍ରକ ଉପରକୁ ଉଠିଗଲେ। ଦୀର୍ଘକାୟ ଗାଡ଼ିଚାଳକ ଜଣକ ଗାଡି ଚଳାଇବାକୁ ଉଦ୍ୟତ ହୁଅନ୍ତେ ହଠାତ୍‌ ଜଣେ ଶିଶୁକନ୍ୟା ହସି ହସି ଟ୍ରକକୁ ସ୍ପର୍ଶ କରି ସମ୍ମୁଖରେ ଛିଡା ହୋଇଗଲେ।' 'ମରିଯିବ, ମରିଯିବ, ନେଇଗଲେ, ନେଇଗଲେ' ବୋଲି ନିଦରେ ଚିତ୍କାର କରି ଖଟ ଉପରୁ ଗଡି ପଡିଲି। ଘରେ ସମସ୍ତେ ଚକିତ ହୋଇଗଲେ। ସ୍ୱପ୍ନର ବିଚାର ଆଲୋଚନା କରୁକରୁ ରାତି ପାହି ଆସୁଥାଏ, ହଠାତ୍‌ ଫୋନ ରିଂ ହେଲା, ସେପଟରୁ ଖବର ଆସିଲା ଯେ ମା'ଙ୍କର ସମସ୍ତ ଅଳଂକାର, ଦାନ ବାକ୍ସ ସହ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଚୋରି ହୋଇଯାଇଛି।

ମଣ୍ଡପ ନିକଟରେ ଭିଡ ଲାଗିଲା। ବର୍ଷାଭିଜା ବାଲି ଉପରେ ଛୋଟ ଓ ବଡ ଦୁଇ ପ୍ରକାର ପାଦ ଚିହ୍ନ ପଡିଥିବାର ଦେଖିବାକୁ ମିଳିଲା। ସଂଗେ ସଂଗେ ଥାନା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ କରାଗଲା। ନିକଟସ୍ଥ କଂଟାବୁଦା ଭିତରୁ ଭଂଗା ଦାନବାକ୍ସ ବ୍ୟତୀତ ଆଉ କିଛି ମିଳିଲା ନାହିଁ। ସନ୍ଧାନୀ କୁକୁର ନିର୍ଦ୍ଦିଷ୍ଟ ସ୍ଥାନ ପର୍ଯ୍ୟନ୍ତ ଯାଇ ବାରମ୍ବାର ଫେରିଆସିଲା। ନିରାଶ ଓ ଦୁଃଖରେ ଗ୍ରାମବାସୀ ମା'ଙ୍କୁ ପ୍ରାର୍ଥନା କରି ରହିଲେ। ମାସଟିଏ ବିତି ନାହିଁ, ଆଶଂକା କରାଯାଉଥିବା ଜଣେ ବ୍ୟକ୍ତି ନିରୁଦ୍ଦିଷ୍ଟ ଓ ଅନ୍ୟ ଜଣେ ଦୁର୍ଘଟଣାଗ୍ରସ୍ତ ହୋଇ ଅକର୍ମଣ୍ୟ ହେବା ଘଟଣା ଲୋକମାନଙ୍କ ମନରେ ଥିବା ସନ୍ଦେହକୁ ଦୃଢିଭୂତ କଲା। ଏତାଦୃଶ ଅଲୌକିକ ମହିମାର ଅନେକ ଉଦାହରଣ ରହିଛି ଯାହା ବର୍ଣ୍ଣନା କରିବା ଅସମ୍ଭବ। ତେବେ ଗୋଟିଏ କଥା ବାରମ୍ବାର ପ୍ରମାଣିତ ହୋଇଛି ଯେ, ଯେତେବେଳେ ଜଣେ ନିଜର ଗର୍ବ ଓ ଅହଂକାର ତ୍ୟାଗ କରି ତା' ଚରଣରେ ଶରଣ ଯାଏ, ସେତେବେଳେ ମା ତା'ର ସମସ୍ତ ଦୁଃଖ ଦୁର୍ଦ୍ଦଶାକୁ ଦୂର କରି ସୁଖ ଓ ସମୃଦ୍ଧି ପ୍ରଦାନ କରିଥାଏ। ଅନ୍ୟାୟ, ଅନୀତି, ଅସତ୍ୟ ଓ ଅତ୍ୟାଚାରକୁ ମା ଯୁଗେ ଯୁଗେ ବିନାଶ କରିଥାଏ। ଏଣୁ ନିଜର ତଥା ମାନବ ସମାଜ ଓ ବିଶ୍ୱର କଲ୍‌ଯାଣ ପାଇଁ ତା' ଅଭୟ ପାଦରେ ଶରଣ ଯିବା ଶ୍ରେୟସ୍କର।

'ନୋ ମନ୍ତ୍ରଂ ନୋ ଯନ୍ତ୍ରଂ ତଦାପିଚ
ନ ଜାନେ ସ୍ତୁତିମୋହଃ
ନ ଚ ଆହ୍ୱାନଂ ଧ୍ୟାନଂ ତଦାପିଚ
ନ ଜାନେ ସ୍ତୁତିକଥାଃ
ନ ଜାନେ ମୁଦ୍ରାସ୍ତେ ତଦାପିଚ
ନ ଜାନେ ବିଳପନଂ
ପରଂ ଜାନେ ମାତାସ୍ତ୍ୱଦନୁ
ଶରଣଂ କ୍ଲେଶ ହରଣମ୍‌'

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News