Dailyhunt
ମାଓମୁକ୍ତ ହେଲା କି ଭାରତ! କେତେ ସଫଳ?

ମାଓମୁକ୍ତ ହେଲା କି ଭାରତ! କେତେ ସଫଳ?

ନୂଆଦିଲ୍ଲୀ: ଦିନ ଥିଲା ଟିଭି ଖୋଲିଲେ କିମ୍ବା ଖବର କାଗଜର ପୃଷ୍ଠା ଓଲଟାଇଲେ ମାଓବାଦୀଙ୍କ ବର୍ବରତାର ଚିତ୍ର ଦେଖିବାକୁ ମିଳୁଥିଲା। ସବୁଦିନ ସୀମାନ୍ତବର୍ତୀ ଇଲାକାରୁ ନକ୍ସଲଙ୍କ ନିଷ୍ଠୁରତାର ଖବର ସାମ୍ନାକୁ ଆସୁଥିଲା। କୋଉଠି ପୁଲିସ ଇନଫର୍ମର ସନ୍ଦେହରେ କାହାକୁ ମାଓବାଦୀ ଘରୁ ଟେକିନେଇ ଗାଁ ମୁଣ୍ଡରେ ହତ୍ୟା କରୁଥିଲେ ତ ପୁଣି କେଉଁଠି ବିକାଶ କାମକୁ ବିରୋଧ କରି ନକ୍ସଲମାନେ ଟିପର ଜାଳି ଦେଉଥିଲେ।

କେବେ ଜିଲ୍ଲାପାଳଙ୍କୁ ତ କେବେ ବିଦେଶୀ ନାଗରିକଙ୍କୁ ଅପହରଣ କରି ରଖୁଥିଲେ। ଅସ୍ତ୍ରାଗାର ଲୁଟ୍‌, ଜେଲ ପୋଡ଼ି, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରି ବର୍ବରକାଣ୍ଡ ଲାଲ୍‌ ଆତଙ୍କର ଗୋଟେ ଗୋଟେ ରକ୍ତାକ୍ତ ଦସ୍ତାବିଜ ହୋଇ ରହିଛି ଓଡ଼ିଶା ଛାତିରେ। ଖାଲି ଆମ ରାଜ୍ୟ ନୁହେଁ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ରେ ସକ୍ରିୟ ଥିଲେ ମାଓବାଦୀ। ଗୋଟେ ସମୟ ଥିଲା ମାଓବାଦୀଙ୍କ ପାଇଁ ସାଧାରଣ ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଥିଲା।

ଲୋକଙ୍କୁ ନିର୍ମମ ହତ୍ୟା କରି, ଗଳାକାଟି ନିଦ ହଜାଇ ଦେଇଥିଲେ ନକ୍ସଲ। ପାଖାପାଖି ୫୬ ବର୍ଷ ମାଓ ଆତଙ୍କରେ ଆତଙ୍କିତ ହୋଇ ରହିଥିଲେ ମଣିଷ ଆଉ ସେହି ନକ୍ସଲମାନଙ୍କ ସହ ଚାଲିଥିଲା ଆମ ବୀର ଯବାନଙ୍କ ସଂଘର୍ଷ… ହେଲେ ଆଜି ସେ ଦିନ ଆଉ ନାହିଁ… ଦିନେ ଯେଉଁ ଲାଲବାହିନୀ ଡରରେ ଲୋକେ ଘରେ ଲୁଚୁଥିଲେ ଏବେ କିନ୍ତୁ ସେହି ନକ୍ସଲମାନେ ଜୀବନ ବିକଳରେ ଅନ୍ଧାରୀ ଜଙ୍ଗଲରେ ଲୁଚୁଛନ୍ତି। ପୁଲିସ ଓ ଯବାନଙ୍କ ଗୁଳିକୁ ଡରି ଆତ୍ମସମର୍ପଣ କରୁଛନ୍ତି। ଏକପ୍ରକାର କହିବାକୁ ଗଲେ ଲାଲଗଡ଼ ଭୁଶୁଡ଼ିଛି ଏବଂ ଭାରତ ମାଓମୁକ୍ତ ହୋଇଛି।

ବସ୍‌ ଆଶ୍ରୟସ୍ଥଳୀରେ ଜିରୋ ମୌଳିକ…

କେଉଁ ଭିଟାମିନ୍‌ ଅଭାବରୁ ଶରୀରରେ…

ରାତିରେ ଜିନ୍‌ସ ପିନ୍ଧି ଶୋଉଛନ୍ତି…

ନଚେତ୍‌ ହୋଇଯିବେ କାଙ୍ଗାଳ!

୩୧ ମାର୍ଚ୍ଚ ୨୦୨୬ ନକ୍ସଲ ସରେଣ୍ଡରର ଶେଷ ଦିନ ହୋଇଥିବା ବେଳେ କାଲିଠାରୁ ଆଉ ନକ୍ସଲଙ୍କୁ ନିସ୍ତାର ଦିଆଯିବନି ବୋଲି ପୂର୍ବରୁ ଚେତାବନୀ ଦିଆଯାଇଥିଲା। ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏବଂ ବିକାଶ କାମରେ ବାଧା ନଦେବାକୁ ଦେଶକୁ ମାଓମୁକ୍ତ କରିବାକୁ ଯେଉଁ ସ୍ୱପ୍ନ ଦେଖାଯାଇଥିଲା ତାହା ସତ ହୋଇଛି ।

ଭାରତରେ ନକ୍ସଲବାଦ ଶେଷ ନିଶ୍ୱାସ ତ୍ୟାଗ କରିଛି ବୋଲି ଗତକାଲି ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତି ରଖିଥିଲେ। ବସ୍ତରରୁ ନକ୍ସଲବାଦ ସଫା ହୋଇଥିବା ସେ କହିଥିଲେ। ଦେଶ ଲମ୍ବା ସମୟ ଧରି ନକ୍ସଲବାଦରେ ପୀଡ଼ିତ ଥିଲା। ବାମପନ୍ଥୀ ବିଚାରଧାରା ପାଇଁ ନକ୍ସଲବାଦ ବ୍ୟାପିଲା। ମାତ୍ର ମୋଦୀଙ୍କ ଶାସନରେ ଦେଶ ମାଓମୁକ୍ତ ହୋଇପାରିଲା ବୋଲି ଶାହ ଦମ୍ଭର କହିଥିବା ବେଳେ ଅପରେସନ୍‌ ମାଓମୁକ୍ତର ପୂରା ଶ୍ରେୟ ଯବାନ ଏବଂ ପୁଲିସକୁ ଦେଇଥିଲେ। ମାଓବାଦ ମୁକ୍ତ ନେଇ ପୁରୁଛି ଡେଡଲାଇନ୍‌। ମାର୍ଚ୍ଚ ଶେଷ ସୁଦ୍ଧା ଦେଶରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ନାଶ କରିବାକୁ ଟାର୍ଗେଟ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ।

ପ୍ରାୟ ସମସ୍ତ ଅଂଚଳରେ ମାଓବାଦୀଙ୍କୁ ନିପାତ କରାଯାଇଛି। ବଡ ଏବଂ କୁଖ୍ୟାତ ମାଓବାଦୀମାନେ ଆତ୍ମସମର୍ପଣ କରି ସମାଜରୁ ମୁଖ୍ୟସ୍ରୋତକୁ ଫେରିଛନ୍ତି। ବର୍ଷ ବର୍ଷ ଧରି ନକ୍ସଲ ମାନେ ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ଅନ୍ଧାରରେ ରଖିଥିଲେ। ବିକାଶରୁ ସେମାନଙ୍କୁ ଦୂରେଇ ରଖି ନକ୍ସଲବାଦୀମାନେ ସେମାନଙ୍କୁ ଶୋଷଣ କରୁଥିଲେ। ନକ୍ସଲବାଦକୁ ଦେଶର ବିକାଶରେ ଏକ ବଡ଼ ବାଧା ଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ପ୍ରଭାବଶାଳୀ ରଣନୀତି ଯୋଗୁଁ ନକ୍ସଲ ପ୍ରଭାବିତ ଅଂଚଳ ଏବେ ସଂକୁଚିତ ହେବାରେ ଲାଗିଛି।

ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ ନୂଆ ବିକାଶ ଜରିଆରେ ଆଦିବାସୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯାଉଛି ବୋଲି ଶାହ କହିଥିଲେ। ତେବେ ମାଓମୁକ୍ତ ଦେଶ ଗଠନରେ ସରକାର କେତେ ସଫଳ ତାହା ଆଗାମୀ ଦିନରେ ଜଗାପଡ଼ିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News