Dailyhunt
ଫିକା କରନ୍ତୁନି ଆପଣଙ୍କ ଦୁନିଆ

ଫିକା କରନ୍ତୁନି ଆପଣଙ୍କ ଦୁନିଆ

ଉ କିଛି ବର୍ଷ ପରେ ଆପଣ ହୋଇଯିବେ ଏକା। ପତ୍ନୀପିଲା, ବାପାମାଅ, ଭାଇଭଉଣୀ ସମସ୍ତେ ଥିବେ। ତଥାପି ଆପଣ ହୋଇଯିବେ ଏକା। ଆପଣ ଡାକୁଥିବେ, ଆରେ ଧନିଆ, ବାପା ଟିକେ ଆଇଲୁ। ଧନିଆ ଥିବ ତା' ମୋବାଇଲ ଦୁନିଆରେ। ନିଜେ ହସୁଥିବ, କାନ୍ଦୁଥିବ, ନାଚୁଥିବ, ଗାଉଥିବ। ପବନରେ ହାତଟିକୁ ଟେକି ହାଏ ହାଲୋ କରୁଥିବ। ଆଲୋ ନେତ୍ରମଣି, ପାଣି ଗିଲାସେ ଆଣିଲୁ।

ଶୋଷ ଲାଗିଲାଣି।

ନେତ୍ରମଣି ତା' ଦୁନିଆରେ ବ୍ୟସ୍ତ ଥିବ। ଛାତ ଉପରେ ବାହୁନୁଥିବ। ଗାଧୁଆ ଘରେ 'ଏଇ ଚୁନା ଚୁନା' ଗୀତ ଗାଉଥିବ।ସମସ୍ତେ ଥିବେ। ମାତ୍ର ଆପଣଙ୍କ ବୋଲ ଶୁଣିବାକୁ କାହା ପାଖରେ ସମୟ ନଥିବ। ସମୟ ଆଉ ବଳବାନ ହୋଇ ରହିନି। ସମୟଟା ବଡ଼ ଖରାପ ହୋଇଗଲାଣି। କାମ ଧନ୍ଦା ଛାଡ଼ି ବାପାମା' ପୁଅଝିଅ ସବୁ ଇଂଟରନେଟ୍‌ ଦୁନିଆରେ ହଜି ଯାଇଛନ୍ତି।

ସୂଚନା ପ୍ରଯୁକ୍ତି ବିଦ୍ୟା ବଳରେ ଏବେ ଆମେ ଘରେ ବସି ବିଶ୍ୱ ସହ ଅଧିକ ସଂଯୁକ୍ତ ହୋଇପାରୁଛୁ। ସାମାଜିକ ଗଣମାଧ୍ୟମରେ ନିଜ ଭାବନାକୁ ସାର୍ବଜନୀନ କରିପାରୁଛୁ, ଘରେ ବସି ଅନ୍ୟମାନଙ୍କୁ ଦେଖିପାରୁଛୁ, ଆବଶ୍ୟକ ବସ୍ତୁ କିଣିପାରୁଛୁ।କିନ୍ତୁ ଏହି ସୁବିଧାର ଆଢୁଆଳରେ ଏକ ପ୍ରଶ୍ନ ଉଙ୍କି ମାରୁଛି- ଆମେ ସାମାଜିକ ଜୀବନରୁ ଦୂରେଇ ଯାଉଛେ କି? ଆରିଷ୍ଟୋଟଲଙ୍କ ମତରେ, 'ମନୁଷ୍ୟ ସ୍ୱଭାବତଃ ଏକ ସାମାଜିକ ପ୍ରାଣୀ।' କିନ୍ତୁ ଆମର ବର୍ତମାନର ଜୀବନଶୈଳୀ ସେହି ସ୍ୱଭାବକୁ ଦୁର୍ବଳ କରୁଛି କି? ସାମାଜିକ ଗଣମାଧ୍ୟମ ଓ ଯୋଗାଯୋଗର ବହୁଳ ବ୍ୟବହାର ଏହାର ସ୍ପଷ୍ଟ ଚିତ୍ର ପ୍ରଦାନ କରେ।

ଆମେ ଆମର ନ୍ୟୁଜଫିଡ୍‌ରେ ଜୀବନର ବିଶେଷ ମୁହୂର୍ତ, ଦୈନନ୍ଦିନ କାର୍ଯ୍ୟ, ଫଟୋ, ସଫଳତାର କ୍ଷଣ, ମତାମତ ଅନ୍ୟମାନଙ୍କ ପାଇଁ ପ୍ରଦର୍ଶିତ କରୁଛୁ। ଆମେ ମଧ୍ୟ ଅନ୍ୟମାନଙ୍କର ସେହିପରି ସଜାଯାଇଥିବା ଜୀବନକୁ ଦେଖୁଛୁ। ଆମେ ଲାଇକ ଓ ସ୍ମାଇଲି ବା ମୁଖଭଙ୍ଗୀ ଷ୍ଟିକର ମାଧ୍ୟମରେ ଭାବ ବିନିମୟ କରୁଛୁ। ତେଣୁ ଧୀରେ ଧୀରେ ଆମେ ସାମନା-ସାମନି ଉଠାବସା, ସୁଖଦୁଃଖ ଆଦାନପ୍ରଦାନ, ଘରକୁ ଯିବାଆସିବାର ଆଗ୍ରହ ହରାଇ ବସୁଛୁ।

ଗରିବଙ୍କ ଘର ଉପରେ ମାଡ଼ିଲା…

ତେହେରାନ୍‌କୁ ଛାଡ଼ି ବେଜିଂ ଆଡ଼କୁ…

ବଡ଼ଠୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍‌ ମାୟାରେ ଆକ୍ରାନ୍ତ। ଛୋଟ ପିଲାମାନେ ଆଗଭଳି ଖେଳକୁଦ କରିବା ପରିବର୍ତେ ଘରେ ବସି ଭିଡିଓ ଗେମ୍‌ ଖେଳୁଛନ୍ତି। ଯାହା ତାଙ୍କୁ ପରୋକ୍ଷରେ ସାଙ୍ଗ-ସାଥୀ, ପରିବାର, ପିତା-ମାତାଙ୍କ ଠାରୁ ଦୂରେଇ ଦେଉଛି ଏବଂ ତାଙ୍କ ମାନସିକ ସ୍ୱାସ୍ଥ୍ୟକୁ ବିଗାଡୁଛି। ଗତ ମାସରେ ଗାଜିଆବାଦରେ ଘଟିଥିବା ତିନି କନ୍ୟାଙ୍କ ଆତ୍ମହତ୍ୟା ଘଟଣା ଏଭଳି ଏକ ଉଦାହରଣ।

ଅନ୍‌ଲାଇନ ଜଗତରେ ଆମେ ଆମର ଜୀବନର ସତ୍ୟକୁ ଅନ୍ୟମାନଙ୍କର ସୁନ୍ଦର ଦେଖାଯାଉଥିବା ଜୀବନ ସହ ତୁଳନା କରିଥାଉ। ଏହା ଆମ ମନରେ ଅସାମର୍ଥ୍ୟ, ଅସନ୍ତୋଷ ଓ ଆତ୍ମସନ୍ଦେହ ସୃଷ୍ଟି କରି ଏକାକୀତ୍ୱ ଓ ସାମାଜିକ ପ୍ରତ୍ୟାହାରକୁ ବଢ଼ାଇପାରେ। ଯେଉଁ ଉପକରଣ ଆମକୁ ଲୋକଙ୍କ ସହ ସଂଯୁକ୍ତ କରିବା ପାଇଁ ତିଆରି, ତାହା ଆମକୁ ଲୋକଙ୍କ ଠାରୁ ଦୂରେଇ ଦେଉନି ତ? ଆଜିର ମଣିଷ ଅଧିକରୁ ଅଧିକ ଆତ୍ମ-ମନସ୍କ ହୋଇ ନିଜର ପରିଧିକୁ ସଂକୁଚିତ କରିବାରେ ଲାଗିଛି। ଆମେ ନିଜସ୍ୱ ଗାଡ଼ିରେ ଏକାକୀ ଯାତ୍ରା କରୁଛୁ, ବସ୍‌ ବା ଟ୍ରେନ୍‌ରେ ଯିବାକୁ ଅସୁବିଧାଜନକ ବୋଲି ଭାବୁଛୁ। ଦୋକାନକୁ ଯାଇ କିଣାକିଣି କରିବାର ପ୍ରଥାକୁ ଅନ୍‌ଲାଇନ୍‌ ସପିଙ୍ଗ ପରିବର୍ତନ କରିଦେଇଛି। ଗୋଟିଏ ବଟନ୍‌ ଚିପିଲେ ପୁସ୍ତକ ଓ ସିନେମା ଆମ ଘରକୁ ଆସିଯାଉଛି।

ତେଣୁ ଧୀରେ ଧୀରେ ସାର୍ବଜନୀନ ସ୍ଥାନମାନଙ୍କର ଆବଶ୍ୟକତା ଏତେ କମିଯାଉଛି ଯେ ମନରେ ପ୍ରଶ୍ନ ଉଠୁଛି- ଏମିତି ସମୟ ଆସିପାରେ କି, ଯେତେବେଳେ ଆମେ ଘରୁ ବାହାରିବା ଛାଡ଼ି ଦେବୁ, ରିମୋଟ୍‌ କାମ, ଅନଲାଇନ ଶିକ୍ଷା ଓ ହୋମ୍‌ ଡେଲିଭରି ଭଳି ସେବା ଏହି ଆଶଙ୍କାକୁ ବଳ ଦେଉଛି। ତେବେ, ଏସବୁ ପାଇଁ ପ୍ରଯୁକ୍ତି ବା ଟେକ୍‌ନୋଲୋଜିକୁ ସମ୍ପୂର୍ଣ୍ଣ ଦୋଷ ଦେବା ଠିକ୍‌ ନୁହେଁ। ଏହି ଉପକରଣମାନେ ଦୂରତାକୁ ହ୍ରାସ କରି ପରିବାର ପରିଜନଙ୍କୁ ଯୋଡ଼ି ରଖୁଛନ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ସହଜ କରୁଛନ୍ତି।

ତେଣୁ ସମସ୍ୟା ଟେକ୍‌ନୋଲୋଜିରେ ନାହିଁ, ଅଛି ଆମ ବ୍ୟବହାରରେ। ଆରିଷ୍ଟୋଟଲଙ୍କ କଥା ଆମକୁ ସ୍ମରଣ କରାଏ ଯେ ମନୁଷ୍ୟର ସଫଳତା ଓ ସୁଖ ସମାଜ ସହ ଜଡ଼ିତ। ବନ୍ଧୁ କିମ୍ବା ସଂପର୍କୀୟଙ୍କ ପାଖରେ ପହଂଚିବା ସମୟସାପେକ୍ଷ ହୋଇପାରେ, କିନ୍ତୁ ଏହା ସମ୍ପର୍କକୁ ନିବିଡ କରେ। ବସ୍‌ ପାଇଁ ଅପେକ୍ଷା କରିବା ଟିକେ ବିରକ୍ତିକର ଲାଗିପାରେ, କିନ୍ତୁ ଏହା ଅନୁଭବ କରାଏ ଯେ ଆମେ ସମାଜର ଅଂଶ। ଘରୁ ବାହାରିବା, ପ୍ରକୃତିକୁ ଅନୁଭବ କରିବା ଆମକୁ ସ୍ମରଣ କରାଏ ଯେ ପ୍ରକୃତ ଆନନ୍ଦ ପ୍ରକୃତି ଓ ପରିବେଶରୁ ମିଳିଥାଏ। ଯଦି ଆମେ ସଚେତନ ଭାବରେ ପରିବାର, ପରିବେଶ, ପ୍ରତିବେଶୀଙ୍କ ସହ ସାମନା-ସାମନି ସମ୍ପର୍କ ଓ ସାମୂହିକ ଅନୁଭବକୁ ଗୁରୁତ୍ୱ ଦେବା, ତେବେ ଆମେ ମାନବତାର ମହନୀୟତା ରକ୍ଷା କରିପାରିବା।

ଶୀତତାପ ନିୟନ୍ତ୍ରିତ ଘରେ ବନ୍ଦୀର ଜୀବନ ଅପେକ୍ଷା ମୁକ୍ତାକାଶ ତଳେ ମୃଦୁ ମଳୟର ସ୍ପର୍ଶ ଅନୁଭବ ନିଆରା। ସାମାଜିକ ଗଣମାଧ୍ୟମ ଆମକୁ ସେହି ଜଗତ ସହ ସଂଯୁକ୍ତ କରିବାର ବାର୍ତାବହ ହେବା ଉଚିତ। ବ୍ୟକ୍ତିଗତ ସ୍ୱାଧୀନତା ଓ ସ୍ୱତନ୍ତ୍ରତା ନିଶ୍ଚୟ ଆବଶ୍ୟକ, କିନ୍ତୁ ଅତ୍ୟଧିକ ବ୍ୟକ୍ତିକୈନ୍ଦ୍ରିକ ହେବା ଆମକୁ ସମାଜରୁ ଦୂର କରିପାରେ।\ଯଦି ପରିବାର, ପଡେ଼ାଶୀ ଓ ସମୁଦାୟର ମୂଲ୍ୟ କମିଯାଏ, ତେବେ ମନୁଷ୍ୟ ମନର ଶୂନ୍ୟତା ବଢ଼ିବ। ଏକାକୀତ୍ୱ ଏକ ନିରବ ମହାମାରୀର ରୂପ ନେଇପାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News