Dailyhunt
ସମୟ ସୁଅରେ ସଂସାର ନୌକା

ସମୟ ସୁଅରେ ସଂସାର ନୌକା

ଚାଶ ବର୍ଷତଳେ ବାହାବେଦୀରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଂଟା, ସାଇକେଲ ଓ ରେଡିଓ । ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍ ଚାହିଦା କମି କମି ଆସିଲା; ରେଡିଓର ସ୍ୱର ନରମି ଗଲା କିନ୍ତୁ ଆଶ୍ଚର୍ଯ୍ୟର କଥା ଘଂଟା ତା'ର ଅସ୍ତିତ୍ୱ ବଜାୟ ରଖିଲା । ଏବେ ପ୍ରାୟ ଭଳିକି ଭଳି ଘଂଟା ସବୁଠାରେ ଦେଖିବାକୁ ମିଳୁଛି । ହାତରେ ଘଂଟା, କାନ୍ଥରେ ଘଂଟା, ବାଇକ୍ରେ ଘଂଟା, ମୋବାଇଲ୍ରେ ଘଂଟା ଏମିତି କି ବଡ଼ ବଡ଼ ଛକଜାଗାରେ ବି ଘଂଟା ।

ହେଲେ ଲାଜର କଥା ଘଂଟା ସିନା ସମସ୍ତଙ୍କ ହାତରେ କିନ୍ତୁ ସମୟ ବାବଦରେ ପ୍ରାୟ କେହି ସଚେତନ ନୁହନ୍ତି । ଯାହାକୁ ପଚାରିବେ ଉତର ମିଳୁଛି ଭାଇ ଟାଇମ୍ କାହିଁ? ଏପରି ଶସ୍ତା ଓ ଦାୟିତ୍ୱହୀନ ଉତର ଏବେ ପ୍ରାୟ ସମସ୍ତଙ୍କର ମଜ୍ଜାଗତ ହୋଇଗଲାଣି । କିନ୍ତୁ ଏହାଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସମାଜର ଚିତ୍ର ବିକୃତ ହେଉନି କି? ପାଖରେ ପ୍ରଚୁର ଧନ ଥାଇ ଦାନ ନ ଦେଲେ ଯେପରି ଧନର ଗୁରୁତ୍ୱ କମିଯାଏ, ବୁଦ୍ଧି ଥାଇ ତାକୁ ଉଚିତ ସ୍ଥାନରେ ପ୍ରୟୋଗ ନ କଲେ ଯେପରି ତାହା ମୂଲ୍ୟହୀନ ହୋଇଯାଏ, ଠିକ୍ ସେହିପରି ହାତରେ ଘଂଟା ବାନ୍ଧି ସମୟର ମୂଲ୍ୟକୁ ନ ବୁଝିଲେ ଏହା କେବଳ ଫ୍ୟାଶନ ଓ ପ୍ରହସନ ନୁହେଁ କି? ସୁବର୍ଣ୍ଣପୁରୀ ମାଲିକ ରାବଣ ପାଖରେ ସୁନାର ଅଭାବ ନ ଥିଲା କିନ୍ତୁ କାହାକୁ ହାତଟେକି ତୋଳାଏ ସୁନା ଦେବା କଥା ରାମାୟଣରେ ଉଲ୍ଲେଖ ନାହିଁ ।

ଧୃତରାଷ୍ଟ୍ରଙ୍କ ପାଖରେ ଶାସ୍ତ୍ର ଜ୍ଞାନ ଓ ବୁଦ୍ଧି କିଛି କମ୍ ନ ଥିଲା କିନ୍ତୁ ବୁଦ୍ଧିକୁ ଉଚିତ ସ୍ଥାନରେ ପ୍ରୟୋଗ କରିବା କଥା ମହାଭାରତରେ ଦେଖିବାକୁ ମିଳେ ନାହିଁ । ଅନୁରୂପ ଭାବରେ ମଣିଷ ପାଖରେ ଘଂଟା ଥିଲେ ବି ସମୟର ସଦୁପଯୋଗ କରିବାରେ ସେ ବିଫଳ । କହିବା କାହାକୁ? ଅତୀତରେ ଘଂଟାର ଏତେ ପ୍ରଚଳନ ନ ଥିଲା କିନ୍ତୁ ମଣିଷ ସମୟ ବିଷୟରେ ବେଶ୍ ସଜାଗ ଥିଲା । କୁଆ, କୁକୁଡ଼ାଙ୍କ ଡାକରେ ସେ ନିଦରୁ ଉଠିଯାଉଥିଲା । ମୁଣ୍ଡ ଉପରକୁ ଖରା ଆସିଲେ ହଳ ଫିଟାଇ ଘରମୁହାଁ ହେଉଥିଲା, ପଶ୍ଚିମ ଆକାଶରେ ସୂର୍ଯ୍ୟ ଲୁଚିଲେ ଗାଁ ଦାଣ୍ଡରେ ସଞ୍ଜବତି ଜଳୁଥିଲା । ଦେଉଳରେ ଘଂଟ ବାଜିଲେ ଲୋକେ ଭାଗବତ ଟୁଙ୍ଗିରେ ରୁଣ୍ଡ ହେଉଥିଲେ । କେବଳ ସେତିକି ନୁହେଁ; ରାମାୟଣରେ ପ୍ରଭୁ ରାମଚନ୍ଦ୍ର ମଧ୍ୟ ସମୟକୁ ସମ୍ମାନ ଦେବାରେ ଥିଲେ ସଚେଷ୍ଟ । ରାଣୀ କୈକେୟୀ ବର ମାଗିବାର ଠିକ୍ ପରଦିନ ବନବାସକୁ ବାହାରିବା, ଚଉଦବର୍ଷକୁ ସତ୍ସଙ୍ଗରେ ଲଗାଇବା ଓ ଭରତଙ୍କ ଅନୁରୋଧ ରକ୍ଷାକରି ଠିକ୍ ସମୟରେ ଘର ବାହୁଡ଼ିବା ଆଦି ପ୍ରଭୁଙ୍କର ସମୟ ସଚେତନତାକୁ ପ୍ରମାଣ କରେ । ସେହିପରି ଗୀତାରେ ଶ୍ରୀକୃଷ୍ଣ କହିଲେ ଯେ ସମୟ ବା କାଳ ହିଁ ଭଗବାନ ଯାହାକୁ ଧରି ରଖିବା ଅସାଧ୍ୟ । ତେଣୁ ସମୟକୁ ସମ୍ମାନ ଦେଇ ତା'ର ସଦୁପଯୋଗ କଲେ ସଫଳତା ନିଶ୍ଚିତ ।

ଫାଇନାଲରେ କିଏ ହେବ ବିଶ୍ୱ…

ଡେରା ମୁଖ୍ୟ ରାମ ରହିମ ନିଦେ୍ର୍ଦାଷ

ରନ୍ଧନ ଗ୍ୟାସ୍ ଦରବୃଦ୍ଧି

ଅମିତ ଶାହଙ୍କ ଭାଷଣକୁ ଭୁଲିପାରୁନି…

ପ୍ରଭୁଙ୍କର ଏହି ଦିବ୍ୟ ଚେତନା ଅର୍ଜୁନଙ୍କୁ କଲା ବିଶ୍ୱବିଜୟୀ । କିନ୍ତୁ ସମ୍ପ୍ରତି ସମୟାନୁବର୍ତିତା ଠପ୍ ହୋଇଗଲା ପରି ମନେହେଉଛି । ସଭାକୁ ମନ୍ତ୍ରୀ, ନେତା, ଅତିଥି ଆସୁନାହାନ୍ତି ଠିକ୍ ସମୟରେ । ପରୀକ୍ଷାକୁ ଛାତ୍ର ମଧ୍ୟ ଆସୁନାହାନ୍ତି ନିର୍ଦ୍ଧାରିତ ସମୟରେ । ବର ବାହାରିବା ବେଳ ଠିକ୍ ରହୁନି କି ହାତଗଣ୍ଠି ଆଉ ନିର୍ଦ୍ଧାରିତ ଅମୃତ ବେଳାରେ ପଡ଼ୁନି ଫଳତଃ ବିଶୃଙ୍ଖଳା ଚାରିଆଡ଼େ । ପିଲାଦିନେ ପଢିଥିବା ଗୀତ 'ଘଂଟା ଚାଲେ ଟିକ୍ ଟିକ୍, କଂଟା କହେ କାମ କର ଠିକ୍ ଠିକ୍ ବେଳ ଗଡ଼ି ଯାଉଛି' ଆଜି ସାତସପନ ହୋଇଯାଇଛି । ଉଦ୍ଯୋଗୀ ହେବାର ଆଶା ଆଉ କାହାର ନାହିଁ କେବଳ ଭୋଗୀ ହେବାର ଲାଳସା ସମସ୍ତଙ୍କୁ ଘାରିଛି ।

ପାଠକେ! ପ୍ରତ୍ୟେକ ଗ୍ରହ, ଉପଗ୍ରହ ଯଦି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସେମାନଙ୍କର ନିର୍ଦ୍ଧାରିତ କକ୍ଷକୁ ପରିକ୍ରମା କରିପାରୁଛନ୍ତି, କୁଆ, କୁକୁଡ଼ା, କୋଇଲି, ପିମ୍ପୁଡ଼ି ଆଦି ଯଦି ସମୟର ମହତ୍ୱକୁ ବୁଝିପାରୁଛନ୍ତି, ତେବେ ଆଜିର ଯନ୍ତ୍ର ମଣିଷ ସମୟର ମନ୍ତ୍ରକୁ ମାନିବାକୁ ବୀତସ୍ପୃହ କାହିଁକି? ସେ ସୂର୍ଯେ୍ୟାଦୟ ଦେଖିପାରୁନି କି ସନ୍ଧ୍ୟାରେ ପ୍ରାର୍ଥନା କରିପାରୁନି । କେବଳ ପର ଆଲୋଚନାରେ ନ ହେଲେ ମୋବାଇଲରେ ରିଲ୍ସ ଦେଖିବାରେ ସମୟ ଯାଉଛି । ସଫଳତା ଆସିବ କୁଆଡ଼ୁ ରାବଣ ଆଉ କ'ଣ କଲାକି? ସ୍ୱର୍ଗକୁ ନିଶୁଣି ବାନ୍ଧିବାର କଳା ତାକୁ ଜଣାଥିଲେ ମଧ୍ୟ କାଳକ୍ଷେପଣ ନୀତି ଯୋଗୁ କାର୍ଯ୍ୟ ହାସଲ କରିବା ବଦଳରେ କାଳ ହାତରେ ଧରାପଡ଼ିଲା ।
କିନ୍ତୁ ଅନ୍ୟପଟେ ସମୟାନୁବର୍ତିତାର ଜାଗ୍ରତ ପ୍ରହରୀ ଗାନ୍ଧିଜୀଙ୍କର ନାମ କାଳକାଳକୁ ରହିଗଲା । ଏହା ସତ୍ୟ ଯେ, ସମୟକୁ ସତ୍ ବିନିଯୋଗ କରୁଥିବା ମଣିଷ କେବେହେଲେ ଶ୍ରୀହୀନ ହୁଏନା ।

ମନେପଡ଼େ କାହାଣୀଟିଏ - ଗୋଟିଏ ପୋଖରୀରେ ତିନୋଟି ବଡ଼ ମାଛ ଥିଲେ । ଗୋଟିଏ ଅନାଗତବିଧାତା ଅର୍ଥାତ୍ ଆଗୁଆ ହୁସିଆର, ଦ୍ୱିତୀୟଟି ପ୍ରତୁ୍ୟପନ୍ନ୍ନମତି ଅର୍ଥାତ୍ ଉପସ୍ଥିତ ବୁଦ୍ଧିସମ୍ପନ୍ନ ଓ ତୃତୀୟଟି ଦୀର୍ଘସୂତ୍ରୀ ଅର୍ଥାତ୍ ଅଳସୁଆ । ଲୋକମାନେ ପୋଖରୀରୁ ମାଛ ଧରିବେ ଜାଣି ଅନାଗତବିଧାତା ଗଳାବାଟ ଦେଇ ଖସିଗଲା, ପ୍ରତୁ୍ୟପନ୍ନମତି ମଧ୍ୟ ବୁଦ୍ଧିବଳରେ ଖସିଗଲା କିନ୍ତୁ ବିଚରା ଦୀର୍ଘସୂତ୍ରୀ ସମୟର ଅପବ୍ୟବହାର ଯୋଗୁ ଜାଲରେ ପଡ଼ିଲା । ଏହି କାହାଣୀ ଆମ ଜୀବନକୁ ଟିକେ ବଦଳାଇ ପାରନ୍ତାନି?

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News