Dailyhunt
ଟ୍ରାନ୍‌ସଜେଣ୍ଡରଙ୍କ ଅଧିକାରରେ ହସ୍ତକ୍ଷେପ

ଟ୍ରାନ୍‌ସଜେଣ୍ଡରଙ୍କ ଅଧିକାରରେ ହସ୍ତକ୍ଷେପ

ତୃତୀୟ ଲିଙ୍ଗ ଆଇନର ସଂଶୋଧନ ସଂପର୍କରେ 'କାମସୂତ୍ର'ରୁ ଆରମ୍ଭ କରିବା। ସଂସ୍କୃତ ସାହିତ୍ୟର ଏହି କାଳଜୟୀ ଗ୍ରନ୍ଥ (ଆଦିକରଣ-୨, ଅଧ୍ୟାୟ ୯)ରେ ପୁରୁଷ ଓ ସ୍ତ୍ରୀଙ୍କ ବ୍ୟତୀତ ଏକ ତୃତୀୟ ପ୍ରକୃତି ବିଷୟରେ ଉଲ୍ଲେଖ କରାଯାଇଛି। ବାତ୍ସାୟନଙ୍କ ଅନୁଯାୟୀ ଏହା ହେଉଛି 'ପ୍ରକୃତି' ବା ସ୍ୱଭାବ ସଂକ୍ରାନ୍ତ, ଶରୀରର ଲିଙ୍ଗଗତ ଗଠନ ସଂକ୍ରାନ୍ତ ନୁହେଁ।

ଏହି ତୃତୀୟ ଶ୍ରେଣୀରେ ସେହି ବ୍ୟକ୍ତି ଅନ୍ତର୍ଭୁକ୍ତ, ଯାହାର ଶରୀର ପୁରୁଷ ପରି, କିନ୍ତୁ ଯାହାର ମନ ଓ ହାବଭାବ ସ୍ତ୍ରୀ ରୂପିଣୀ, କିମ୍ବା ଅନ୍ତତଃ ପକ୍ଷେ ସେଭଳି ନୁହେଁ, ଯାହାକୁ ସମାଜ ପୁରୁଷସୁଲଭ ବୋଲି ସ୍ୱୀକୃତି ଦିଏ। କିମ୍ବା ଯେଉଁମାନେ ଜନ୍ମରୁ ଝିଅ ଭାବରେ ବିବେଚିତ ହୋଇଥାନ୍ତି, କିନ୍ତୁ ଆଚରଣରେ ମହିଳାଙ୍କ ପାଇଁ ତିଆରି ହୋଇଥିବା ଛାଂଚରେ ଖାପ ଖାଆନ୍ତି ନାହିଁ। ଏହା ମଧ୍ୟ ଲକ୍ଷ୍ୟ କରନ୍ତୁ ଯେ ବାତ୍ସାୟନ ଏହି ତୃତୀୟ ପ୍ରକୃତିକୁ କୌଣସି ରୋଗ ବା ବିକାର ଭାବେ ନ ଦେଖି, କେବଳ ଅନ୍ୟ ଶ୍ରେଣୀ ଭାବରେ ଲିପିବଦ୍ଧ କରିଛନ୍ତି।

ଏହାର ଅର୍ଥ ହେଉଛି ତୃତୀୟ ଲିଙ୍ଗ ଶବ୍ଦଟି ନୂତନ ହୋଇପାରେ, କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ସହିତ ଜଡିତ ହେବାର ଶହ ଶହ ବର୍ଷ ପୂର୍ବରୁ, ଆମେ ଗ୍ରହଣ କରି ନେଇଥିଲୁ ଯେ କିଛି ଲୋକଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ପୁରୁଷ ଓ ମହିଳା- ଦୁଇଟି ବର୍ଗରେ ସୀମିତ ରଖାଯାଇ ପାରିବ ନାହିଁ। ଆମ ଭାଷା ଓ ପରମ୍ପରାରେ ଅସଂଖ୍ୟ କାହାଣୀ ଓ ଦୃଷ୍ଟାନ୍ତ ପ୍ରମାଣ କରିଥାଏ ଯେ ଲିଙ୍ଗ ବିବିଧତାର ଧାରଣା ଆମ ପାଖକୁ ବାହାରୁ ଆସି ନାହିଁ।

ବାସ୍ତବରେ, ପାଶ୍ଚାତ୍ୟ ସଂସ୍କୃତି ସହିତ ସମ୍ପର୍କ ତ ଓଲଟା ପ୍ରଭାବ ପକାଇଥିଲା। ଉପନିବେଶ ସଂସ୍କୃତିର ପ୍ରାଧାନ୍ୟ ହେତୁ, ଆମେ ଏହି ଲିଙ୍ଗ ବିବିଧତା ପାଇଁ ସଂକୋଚ କରିବା ଆରମ୍ଭ କଲୁ ଏବଂ ବ୍ରିଟିସମାନଙ୍କ ଶୈଳୀକୁ ଅନୁକରଣ କରି ଏପରି ସାମାଜିକ ଆଦର୍ଶ ସୃଷ୍ଟି କଲୁ ଯେଉଁଠାରେ 'ତୃତୀୟ ଲିଙ୍ଗ' ପାଇଁ ସ୍ଥାନ ନ ଥିଲା। କେବଳ ଏତିକି ନୁହେଁ, ବ୍ରିଟେନ୍‌ ଭଳି, ଆମ ଦେଶରେ ଏପରି ନିୟମ ତିଆରି ହୋଇଥିଲା ଯାହା ପୁରୁଷ ଓ ମହିଳାଙ୍କ ମଧ୍ୟରେ ଏକାତ୍ମ ସମ୍ପର୍କ ବ୍ୟତୀତ ପ୍ରତ୍ୟେକ ସମ୍ପର୍କ ଓ ଆଚରଣକୁ ବେଆଇନ କରିଦେଇଥିଲା। ସାମାଜିକ ପ୍ରତିବନ୍ଧକ ଓ ଆଇନଗତ ଶୃଙ୍ଖଳାର ଏହି କ୍ରୂର ମିଶ୍ରଣ ଅନେକ ସୁନ୍ଦର ସମ୍ପର୍କକୁ ପାପରେ ପରିଣତ କରିଛି, ଅନେକ ଆକାଂକ୍ଷାକୁ ହତ୍ୟା କରିବା ସହିତ ଅସଂଖ୍ୟ ଜୀବନକୁ ନର୍କରେ ପରିଣତ କରିଦେଇଛି, ଏପରିକି ଅନେକଙ୍କୁ ନିଜ ଜୀବନ ଶେଷ କରିବାକୁ ବାଧ୍ୟ କରିଛି।

୨୦୧୪ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଚାର ଦ୍ୱାରା ସୁପ୍ରିମକୋର୍ଟ ଏହି ଐତିହାସିକ ଅନ୍ୟାୟ ଉପରେ ରୋକ୍‌ ଲଗାଇଥିଲେ। 'ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ବନାମ ଭାରତ ସରକାର' ଶୀର୍ଷକ ଏହି ମାମଲାରେ ସୁପ୍ରିମକୋର୍ଟ 'ତୃତୀୟ ଲିଙ୍ଗ'କୁ ଆଇନଗତ ମାନ୍ୟତା ଦେଇଥିଲେ। ଏଥିରେ କେବଳ ଉଭୟ ଲିଙ୍ଗୀ (ଯାହାର ଶରୀରରେ ଉଭୟ ପୁରୁଷ ଏବଂ ମହିଳାଙ୍କର ଗୁଣ ରହିଛି) ସମେତ ହିଞ୍ଜଡା, କିନ୍ନର, ଜୋଗତା ଆଦି ନୁହେଁ, ବରଂ ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଥିଲେ। ଯେଉଁମାନେ ନିଜକୁ ପୁରୁଷ ବା ମହିଳା ବୋଲି ଭାବନ୍ତି ନାହିଁ, ସେମାନଙ୍କୁ ଟ୍ରାନ୍‌ସଜେଣ୍ଡର କିମ୍ବା 'ଅନ୍ୟ' ଭାବରେ ପଞ୍ଜୀକରଣ କରିବାର ଆଇନଗତ ଅଧିକାର ଦିଆଗଲା। ଏହି ତୃତୀୟ ପ୍ରକୃତି ମାନ୍ୟତା ଦେବା, ସେମାନଙ୍କ ପ୍ରତି ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଅନ୍ୟାନ୍ୟ ପଛୁଆ ତଥା ଦଳିତ ସମ୍ପ୍ରଦାୟ ପରି ଏହି ଶ୍ରେଣୀର ଉନ୍ନତି ପାଇଁ ବ୍ୟବସ୍ଥା କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। ଶେଷରେ, ୫ ବର୍ଷ ପରେ ସଂସଦରେ ଏଥିପାଇଁ ଏକ ଆଇନ ପ୍ରଣୟନ ହେଲା। 'ଟ୍ରାନ୍‌ସଜେଣ୍ଡର ବ୍ୟକ୍ତି (ଅଧିକାରର ସୁରକ୍ଷା) ଅଧିନିୟମ, ୨୦୧୯' ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପୂର୍ବରୁ ନିର୍ଦ୍ଧାରିତ ସଂଜ୍ଞାକୁ ଗ୍ରହଣ କଲା। ଏହି ସଂଜ୍ଞା ହେଲା- ଟ୍ରାନ୍‌ସଜେଣ୍ଡର ଗୋଷ୍ଠୀରେ ସେସବୁ ବ୍ୟକ୍ତି ଅନ୍ତର୍ଭୁକ୍ତ, ଯାହାଙ୍କ ଲିଙ୍ଗ ଜନ୍ମ ସମୟରେ ନିରୂପିତ ଲିଙ୍ଗଠାରୁ ଅଲଗା। ଏହାର ଅର୍ଥ ପ୍ରତ୍ୟେକ ବ୍ୟକ୍ତି ନିଜର ଲିଙ୍ଗ ବାଛି ପାରିବେ।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ…

ରେଳକ୍ଷେତ୍ରରେ ଓଡ଼ିଶାର ଅଧିକାର…

ଓଡିଶା ରାଜନୀତିରେ ମୋକିମ୍‌…

ଆପଣ ଭାବିବେ ଯେ ବିଳମ୍ବରେ ହେଉ ପଛେ ସ୍ୱୀକୃତି ମିଳିଲା। କିଏ ନିଜକୁ ପୁରୁଷ ଭାବିବେ, କିଏ ନିଜକୁ ମହିଳା ଭାବିବେ ଏବଂ କିଏ ଉଭୟଙ୍କ ଠାରୁ ଭିନ୍ନ ପରିଚୟ ଗ୍ରହଣ କରିବେ- ଏଥିରେ କାହାର କ'ଣ ଯାଏ ଆସେ? ସେମିତି ତ ଏହି ନିୟମ ଅନୁଯାୟୀ ଏପର୍ଯ୍ୟନ୍ତ ବିଶେଷ କିଛି ହୋଇ ବି ନାହିଁ। ଯଦିଓ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଦେଶରେ ୫୦ ଲକ୍ଷରୁ ଏକ କୋଟି ଟ୍ରାନ୍‌ସଜେଣ୍ଡର ଅଛନ୍ତି (ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୫ ଲକ୍ଷ ୨୦୧୧ ଜନଗଣନାରେ ନିଜକୁ 'ଅନ୍ୟ' ଲିଙ୍ଗର ବୋଲି ପଞ୍ଜୀକୃତ କରିଛନ୍ତି), ଏ ପର୍ଯ୍ୟନ୍ତ କେବଳ ୩୨ ହଜାର ଲୋକଙ୍କୁ ଆନୁଷ୍ଠାନିକ ପରିଚୟପତ୍ର ପ୍ରଦାନ କରାଯାଇଛି। କିନ୍ତୁ ଇତିମଧ୍ୟରେ ଏପରି କିଛି ବ୍ୟତିକ୍ରମ ଘଟିଗଲା ଯେ ଏହି ଆଇନକୁ ଠିକ୍‌ ଭାବେ ଲାଗୁ କରିବା ପୂର୍ବରୁ ଏହା ପୁଣି କେଇପାଦ ପଛକୁ ଫେରିଗଲା।

ଗତ ମାସ ସଂସଦରେ ସଂଶୋଧନ ନାମରେ ଏହି ଆଇନକୁ ସମାପ୍ତ କରି ଦିଆଗଲା। ଏହି ଆଇନର ଆତ୍ମା ଟ୍ରାନ୍‌ସଜେଣ୍ଡରର ସଂଜ୍ଞା ଥିଲା, ଅର୍ଥାତ୍‌ ଜଣକର ଲିଙ୍ଗ ପରିଚୟ ବାଛିବା ସ୍ୱାଧୀନତା ଦେଉଥିଲା। ସଂଶୋଧନ ମାଧ୍ୟମରେ ଏହି ମୂଳ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ବର୍ତମାନ କେବଳ ସେହି ଲୋକମାନେ ଟ୍ରାନ୍‌ସଜେଣ୍ଡର କୁହାଯାଇପାରିବେ ଯେଉଁମାନେ ଶାରୀରିକ ଭାବରେ କିନ୍ନର ହୋଇଥିବେ। ଟ୍ରାନ୍‌ସଜେଣ୍ଡର ହେବା ପାଇଁ ଡାକ୍ତର ଓ ପ୍ରଶାସନର ଏକ ପ୍ୟାନେଲରୁ ଅନୁମତି ନେବାକୁ ପଡ଼ିବ। ଯଦି କେହି ଲିଙ୍ଗ ପରିବର୍ତନ ଅସ୍ତ୍ରୋପଚାର କରନ୍ତି ତେବେ ସେ ସଂକ୍ରାନ୍ତ ସୂଚନା ପ୍ରଶାସନକୁ ଦେବାକୁ ପଡ଼ିବ। କେବଳ ଏତିକି ନୁହେଁ, ଟ୍ରାନ୍‌ସଜେଣ୍ଡର ବିରୋଧରେ ଅପରାଧ ତାଲିକାରେ ଏଭଳି ବ୍ୟବସ୍ଥା ବର୍ତମାନ ଯୋଡ଼ାଯାଇଛି ଯାହା ପୂରା ସମ୍ପ୍ରଦାୟ ଓ ଏହାର ସମର୍ଥକମାନଙ୍କ ବିରୁଦ୍ଧରେ ବ୍ୟବହାର କରାଯାଇପାରିବ। ଏହି ପ୍ରକ୍ରିୟାରେ ପୁଣି ଥରେ ଟ୍ରାନ୍‌ସଜେଣ୍ଡର ସମ୍ପ୍ରଦାୟକୁ ଅପରାଧର କାଠଗଡାରେ ଛିଡା କରାଯାଇଛି। ଏବଂ ତାହା ମଧ୍ୟ କୌଣସି ଆଲୋଚନା ବିନା। ଏହି ସଂଶୋଧନ ଆଣିବା ପୂର୍ବରୁ ସରକାର ଟ୍ରାନ୍‌ସଜେଣ୍ଡର ସମ୍ପ୍ରଦାୟର କୌଣସି ସଂଗଠନ ସହ କଥା ହୋଇ ନଥିଲେ କିମ୍ବା ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ମତାମତ ନେଇ ନଥିଲେ। ଏତେ ଦିନ ଅପେକ୍ଷା ପରେ, ତୃତୀୟ ଲିଙ୍ଗ ପାଇଁ ଖୋଲା ଥିବା ଏହି ସୁଯୋଗଟିକୁ ହଠାତ୍‌ ବନ୍ଦ କରିଦେଲେ।

କିନ୍ତୁ କାହିଁକି? ସରକାରୀ ବାହାନା ହେଉଛି ଏହି ଆଇନର 'ଅପବ୍ୟବହାର' ରୋକିବା ପାଇଁ ଏହା କରାଯାଇଛି। କିନ୍ତୁ ଯେଉଁ ଆଇନର ଉପଯୋଗ ହିଁ ହୋଇନାହିଁ ତାହାର ଅପବ୍ୟବହାରର ବିପଦ ପ୍ରସଙ୍ଗ କେଉଁଠୁ ଆସିଲା? ଯଦି ଅପବ୍ୟବହାର ହେବାର ଆଶଙ୍କା ଅଛି ତେବେ କୌଣସି ଟ୍ରାନ୍‌ସଜେଣ୍ଡର ବ୍ୟକ୍ତି କିମ୍ବା ସମ୍ପ୍ରଦାୟ କାହିଁକି ଅଭିଯୋଗ କଲେ ନାହିଁ? ଯଦି ଏହି ସଂଶୋଧନ ସେମାନଙ୍କ ହିତ ଲାଗି, ତେବେ ସମଗ୍ର ଦେଶରେ ଟ୍ରାନ୍‌ସଜେଣ୍ଡର ଗୋଷ୍ଠୀ ଏହାକୁ ଏକ ସ୍ୱରରେ କାହିଁକି ବିରୋଧ କରୁଛନ୍ତି?

ଏହା ହୋଇପାରେ କି ବିପଦ ବାହାରୁ ନୁହେଁ ବରଂ ଭିତରୁ ତୃତୀୟ ପ୍ରକୃତିର ଅସ୍ତିତ୍ୱ ଆମକୁ ପୁରୁଷ ମଧ୍ୟରେ ଲୁଚି ରହିଥିବା ନାରୀକୁ ଏବଂ ନାରୀ ଭିତରେ ଥିବା ପୁରୁଷକୁ ମନେ ପକାଇଥାଏ କି? ଏହି ଅନୁଭବ ଚଉକିରେ ବସିଥିବା ଲୋକଙ୍କୁ ଅସହଜ କରେ ନାହିଁ ତ? ଏହି ପୁରୁଷତ୍ୱ କେତେ ବିଚରା ଓ ଭୟଭୀତ ହୋଇ ନଥିବା, ଯେଉଁ କାରଣରୁ ତାକୁ ଅନ୍ୟକୁ ପୁରୁଷ କରିବା ପାଇଁ ଆଇନଗତ ଦଣ୍ଡର ସାହାଯ୍ୟ ନେବାକୁ ପଡୁଛି?

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News