Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୬ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

୬ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

TAKSHAK TV 1 week ago

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରେ ଜଳସମ୍ପଦ ବିଭାଗର ୫ଟି, ନଗର ଉନ୍ନୟନ ବିଭାଗର ୨ଟି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, କୃଷି, ଆଇନ ଓ ଅର୍ଥ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଛି।ସହରାଞ୍ଚଳର ସମସ୍ତ ଯୋଗ୍ୟ ପରିବାରକୁ ୨୦୨୯ ସୁଦ୍ଧା ପକ୍କାଘର ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ ) ୨.୦ର ପରିପୂରକ ଭାବେ 'ପିଏମଏୱାଇ-(ୟୁ) ବନ୍ଧୁ' ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

୨୦୨୫-୨୦୩୦ ମସିହା ମଧ୍ୟରେ ୧୬୧୫ କୋଟି ଟଙ୍କାର ବ୍ୟୟବରାଦରେ ସହରାଚଂଳର ଆଉ ୩ରୁ ସାଢ଼େ ୩ଲକ୍ଷ ଯୋଗ୍ୟ ପରିବାରକୁ ପକ୍କାଘର ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନରେ ସୁଲଭ ବାସଗୃହ ଓ ଭଡ଼ାଘର ନିର୍ମାଣ ପାଇଁ ୬୭୫ କୋଟି, ହିତାଧିକାରୀଙ୍କ ଶ୍ରମ କ୍ଷତିପୂରଣ ଓ ଆଗୁଆ ଘର ଶେଷ ପ୍ରୋତ୍ସାହନ ପାଇଁ ୬୮୫ କୋଟି, ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କ ଗୃହ ଋଣ ଓ ସୁଧ ରିହାତି ପାଇଁ ୧୦୦ କୋଟି ଓ ବସ୍ତି-ମୁକ୍ତକରଣ ଯୋଗୁଁ ବିସ୍ଥାପିତ ପରିବାରଙ୍କ ସହାୟତା ପାଇଁ ୧୨୫ କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ଏହି ନୂଆ ଆବାସ ପ୍ରକଳ୍ପଗୁଡ଼ିକରେ ସୌରଶକ୍ତି, ବର୍ଷାଜଳ ସଂରକ୍ଷଣ ସହ ଅଙ୍ଗନୱାଡି, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଖେଳପଡ଼ିଆ ଓ ପିଡିଏସ୍ କେନ୍ଦ୍ର ଭଳି ସୁବିଧା ରହିବ। ଅସହାୟ, ବଂଚିତ ଓ ଭିନ୍ନକ୍ଷମ ନାଗରିକଙ୍କୁ ଗୃହ ଆବଣ୍ଟନରେ ପ୍ରାଥମିକତା ଦିଆଯିବ। ସେହିପରି ରାଜ୍ୟର ଜନଜାତି ଓ ବିଶେଷ ଭାବେ ଆଦିମ ଜନଜାତି (ପିଭିଟିଜି) ପରିବାରଗୁଡ଼ିକର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ପାଇଁ 'ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦'କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ଏହି ୫ ବର୍ଷୀୟା କାର୍ଯ୍ୟକ୍ରମ ପାଇଁ ୨୯୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହାଫଳରେ ରାଜ୍ୟର ୧୯ଟି ଜିଲ୍ଲାର ୧୩୪ଟି ବ୍ଲକରେ ପ୍ରାୟ ୮ ଲକ୍ଷ ପରିବାର ଉପକୃତ ହେବେ।ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ପରିବାରଙ୍କୁ ନିଜ ପସନ୍ଦର ଜୀବିକା ଚୟନ ସ୍ୱାଧୀନତା ସହ ଡିବିଟି ମାଧ୍ୟମରେ ସିଧାସଳଖ ୩୦ହଜାର ଟଙ୍କାର ଅନୁଦାନ ଦୁଇଟି କିସ୍ତିରେ ଯୋଗାଇ ଦିଆଯିବ। ପିଭିଟିଜି ଅଂଚଳର ଭିତ୍ତିଭୂମି, ଶିଶୁ ଯତ୍ନ କେନ୍ଦ୍ର ଓ ପୋଷଣ ପାଇଁ ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଫ୍ଲେକ୍ସି ଫଣ୍ଡ୍ ମଧ୍ୟ ରଖାଯାଇଛି।
ରାଜ୍ୟ ସରକାର ଚାଷୀଙ୍କ ସୁବିଧା ପାଇଁ ପ୍ରଚଳିତ 'କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପସେଟ୍ ଲୋକପ୍ରିୟକରଣ' ଯୋଜନାକୁ ଆଉ ୫ବର୍ଷ ନିମନ୍ତେ ସମ୍ପ୍ରସାରଣ କରିଛନ୍ତି। ଏବାବଦରେ ୨୨୦୦କୋଟି ଟଙ୍କା ବ୍ୟୟ କରାଯିବ ଓ ରାଜ୍ୟର ୩.୭୯ଲକ୍ଷ ଚାଷୀ ଟ୍ରାକ୍ଟର, ପାୱାର ଟିଲର, କମ୍ବାଇନ୍ ହାର୍ଭେଷ୍ଟର ଆଦି କ୍ରୟ ଉପରେ ସବସିଡି ପାଇପାରିବେ। ସେହିପରି ସରକାରୀ ମକଦ୍ଦମା ପରିଚାଳନାକୁ ଅଧିକ କାର୍ଯ୍ୟକ୍ଷମ ଓ ସୁଚାରୁ କରିବା ପାଇଁ ଗୃହ ବିଭାଗରୁ ବିଧି ବିଭାଗକୁ ଓଡ଼ିଶା ରାଜ୍ୟ ବିଧି ସେବା କ୍ୟାଡର ସ୍ଥାନାନ୍ତର କରାଯିବା ପରେ 'ଓଡ଼ିଶା ରାଜ୍ୟ ବିଧି ସେବା କ୍ୟାଡର ନିୟମାବଳୀ, ୨୦୨୬'କୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଆଇନଗତ ସମନ୍ୱୟ ବୃଦ୍ଧି ପାଇବ ଓ ରାଜ୍ୟ ପକ୍ଷରୁ ସରକାରୀ ଆଇନଗତ ପ୍ରତିନିଧିତ୍ୱ ଅଧିକ ପ୍ରଭାବଶାଳୀ ହୋଇପାରିବ। ଏସବୁ ବ୍ୟତୀତ ଜଳସମ୍ପଦ ବିଭାଗର ୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ଏଥିରେ ପାର୍ବତୀଗିରି ଉଠାଜଳସେଚନ ଯୋଜନାର କ୍ଲଷ୍ଟର-୩୪ରେ ୨୫୬.୫୯ କୋଟି ଟଙ୍କା ବ୍ୟୟରେ ମହାନଦୀ ଓ ଦୟା ନଦୀରୁ ଜଳ ଉତ୍ତୋଳନ କରି ଖୋର୍ଦ୍ଧାର ୫୪ଟି ଓ ପୁରୀର ୩୮ଟି ଗ୍ରାମର ୭୭୦୦ ହେକ୍ଟର ଜମିକୁ ଜଳସେଚିତ କରାଯିବ। ସେହିପରି ଦ୍ୱିତୀୟ ପ୍ରସ୍ତାବରେ କ୍ଲଷ୍ଟର-୩୫ ଅଧୀନରେ ୧୪୫.୫୬ କୋଟି ଟଙ୍କା ବ୍ୟୟରେ ହରଭଙ୍ଗୀ ଓ ବଂଶଧରା ନଦୀରୁ ପାଣି ଉତ୍ତୋଳନ କରି ରାୟଗଡ଼ାର ୨୯ଟି ଓ ଗଜପତିର ୯ଟି ଗ୍ରାମର ୪୦୫୦ ହେକ୍ଟର ଜମିକୁ କ୍ଷୁଦ୍ର ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ତୃତୀୟ ଓ ଚତୁର୍ଥ ପ୍ରସ୍ତାବରେ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ଅଧୀନ ସାଳନ୍ଦୀ କେନାଲରେ ଜମି ଅଧିଗ୍ରହଣ ସମସ୍ୟା ଏଡ଼ାଇବା ପାଇଁ ଭୂତଳ ପାଇପଲାଇନ ବ୍ୟବସ୍ଥା ଆପଣାଯାଇଛି। ଯେଉଁଥିରେ ପ୍ରଥମ ପ୍ୟାକେଜରେ ୧୫୩ କୋଟି ଟଙ୍କାରେ ସୋରୋ ଓ ଓଉପଦା ବ୍ଲକର ୭୧୭୧.୭୭ ହେକ୍ଟର ଓ ଦ୍ୱିତୀୟ ପ୍ୟାକେଜରେ ୧୧୮.୧୪ କୋଟି ଟଙ୍କାରେ ନୀଳଗିରି, ସୋରୋ, ରେମୁଣା ଓ ବାଲେଶ୍ୱର ସଦର ବ୍ଲକର ୫୦୫୨.୬୮ ହେକ୍ଟର ଜମିକୁ ଜଳଯୋଗାଣ ହେବ। ପଂଚମ ପ୍ରସ୍ତାବରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ସରକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଶ୍ରୀ ମହାପାତ୍ରଙ୍କ ଚାକିରିରୁ ଓଡ଼ିଶା ଇଞ୍ଜିନିୟରିଂ ସେବା କ୍ୟାଡ଼ରରେ ନିୟମିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି lଆଗକୁ ପୌର ନିର୍ବାଚନ ଥିବାରୁ ସହରାଞ୍ଚଳ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Takshak TV