Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର...

୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର...

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାର ଶନିବାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅଧୀନରେ ୨୩ ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ସରକାରଙ୍କ କହିବା ଅନୁଯାୟୀ, ସେମାନେ ଜୈଶ-ଏ-ମହମ୍ମଦ,ଲସ୍କର-ଏ-ତୈବା, ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଏବଂ ଜମାତ-ଉଦ-ଦାୱା ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା ଅଭିଯୋଗ ରହିଛି।ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁଯାୟୀ, ତାଲିକାଭୁକ୍ତ ବ୍ୟକ୍ତିମାନେ ଆତଙ୍କବାଦୀଙ୍କ ନିଯୁକ୍ତି, ଭାରତରେ ଅନୁପ୍ରବେଶରେ ସହଯୋଗ, ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର, ଆତଙ୍କବାଦ ପାଇଁ ପାଣ୍ଠି ସଂଗ୍ରହ, ଅସ୍ତ୍ରଶସ୍ତ୍ର ଯୋଗାଣ ଓ ଅନ୍ୟାନ୍ୟ ଲଜିଷ୍ଟିକ୍ ସହାୟତାରେ ସମ୍ପୃକ୍ତ ରହିଛନ୍ତି।ଘୋଷିତ ୨୩ ଜଣଙ୍କ ମଧ୍ୟରୁ ୧୧ ଜଣ ଜମ୍ମୁ-କାଶ୍ମୀରର ମୂଳ ବାସିନ୍ଦା ହୋଇଥିବାବେଳେ ୧୨ ଜଣ ପାକିସ୍ତାନର ବାସିନ୍ଦା।

ସେମାନଙ୍କ ମଧ୍ୟରୁ ୭ ଜଣ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ୪ ଜଣ ପାକିସ୍ତାନରେ ରହୁଥିବା ସରକାର ସୂଚନା ଦେଇଛନ୍ତି। ଏହି ୨୩ ଜଣଙ୍କୁ ନୂଆକରି ତାଲିକାଭୁକ୍ତ କରାଯିବା ପରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅଧୀନରେ ଆତଙ୍କବାଦୀ ଭାବେ ଘୋଷିତ ବ୍ୟକ୍ତିଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି। ସରକାର କହିଛନ୍ତି, ତାଲିକାଭୁକ୍ତ କେତେକ ବ୍ୟକ୍ତିଙ୍କର ୨୦୧୬ ମସିହାର ନାଗ୍ରୋଟା ସେନା ଶିବିର ଆକ୍ରମଣ ଏବଂ ୨୦୨୨ ମସିହାର ସୁଞ୍ଜୱାନ ଆକ୍ରମଣ ସହ ସମ୍ପର୍କ ଥିବା ଅଭିଯୋଗ ରହିଛି।୨୯ ନଭେମ୍ବର ୨୦୧୬ରେ ସେନା ପୋଷାକ ପିନ୍ଧିଥିବା ତିନି ଜଣ ଆକ୍ରମଣକାରୀ ଜମ୍ମୁର ନାଗ୍ରୋଟା ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ସାତ ଜଣ ସେନା ଜବାନ ପ୍ରାଣ ହରାଇଥିଲେ।

ସୁରକ୍ଷା ବଳର ପାଲଟା ଅଭିଯାନରେ ତିନି ଜଣ ଆକ୍ରମଣକାରୀ ନିହତ ହୋଇଥିଲେ। ତଦନ୍ତକାରୀ ସଂସ୍ଥାମାନେ ଏହି ଆକ୍ରମଣ ପଛରେ ଜୈଶ-ଏ-ମହମ୍ମଦର ଭୂମିକା ଥିବା ଅଭିଯୋଗ କରିଥିଲେ।ସେହିପରି ୨୨ ଏପ୍ରିଲ ୨୦୨୨ରେ ଜମ୍ମୁର ସୁଞ୍ଜୱାନ ଅଞ୍ଚଳରେ ସିଆଇଏସଏଫ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ସିଆଇଏସଏଫ କର୍ମଚାରୀ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଥିଲେ। ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣର ଦାୟିତ୍ୱ ନେଇଥିଲା। ୨୩ ନୂତନ ଆତଙ୍କବାଦୀଙ୍କ ତାଲିକା:ଏହି ତାଲିକାରେ ମାସୁଦ ଇଲିଆସ କାଶ୍ମୀରୀଙ୍କ ସମେତ ମହମ୍ମଦ ମୁସାଦିକ୍, ମୁଫ୍ତି ମହମ୍ମଦ ଅସଗର ଖାନ, ହାଫିଜ୍ ଅବଦୁଲ୍ ଶକୁର, ଅବଦୁଲ୍ଲା ଜେହାଦି, ଫିରଦୌସ୍ ଅହମ୍ମଦ ଭଟ୍, ଗୁଲାମ୍ ଫରୀଦ, ବିଲାଲ୍ ଅହମ୍ମଦ ମିର୍, ଆବିଦ୍ କ୍ୟୁମ୍ ଲୋନ୍, ନାଜିର ଅହମ୍ମଦ ଗୁଜ୍ଜର, ଅବଦୁଲ୍ ରଉଫ୍, ଅସଫାକ୍ ଅହମ୍ମଦ, ହାଫିଜ୍ ଖାଲିଦ୍ ୱାଲିଦ୍, ମୌଲାନା ସୈଫୁଲ୍ଲା ଖାଲିଦ୍, ମହମ୍ମଦ ୟାକୁବ୍, ମୌଲାନା ୟୁସୁଫ୍ ତୈବି, ଓୱେସ୍ ଫାରୁଜ୍, କାରୀ ୟାକୁବ୍ ଶେଖ୍, ରାଣା ଇଫ୍ତିଖାର, ୱାସିମ୍ ନୁର ଜାଟ୍, ମହମ୍ମଦ ସହିଦ ଫୈସଲ୍, ମୌଲାନା ଇମଦାଦ୍ ଉଲ୍ଲାହ ମକ୍କି ଏବଂ ହାରୁନ୍ ରସିଦ୍ ଗଣାଇ ରହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia