Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁବନେଶ୍ୱରରେ ରାଷ୍ଟ୍ରପତି..

ଭୁବନେଶ୍ୱରରେ ରାଷ୍ଟ୍ରପତି..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଲୋକଭବନରେ କିଛି ସମୟ ବିତାଇବା ପରେ ସଡ଼କ ପଥରେ କଟକ ଜିଲ୍ଲା ଡମପଡ଼ା ତହସିଲ ଅନ୍ତର୍ଗତ ବାଆଁରା ନିକଟସ୍ଥ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ସେଠାରୁ ଫେରି ଲୋକଭବନରେ ରାତ୍ର ରହଣି କରିବେ। ମଙ୍ଗଳବାର ଓ ବୁଧବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମହାମହିମ। ୪ ତାରିଖ ସକାଳେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଯିବେ।

ପୂର୍ବାହ୍ନ ୧୧ଟା ୩୦ରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ସଡ଼କପଥରେ ତପ୍ତପାଣି ଯିବେ। ରାଷ୍ଟ୍ରପତି ୪ ନଂ ପ୍ଲାଟଫର୍ମରୁ ବାହାରି ଗୋସାଇଁନୂଆଗାଁ, ଅନ୍ଧପସରାରୋଡ୍‌, ହରିଡ଼ାଖଣ୍ଡି, ଦିଗପହଣ୍ଡି ରୋଡ୍‌ ହୋଇ ତପ୍ତପାଣିରେ ପହଞ୍ଚିବେ। ତପ୍ତପାଣି ଉଷ୍ମପ୍ରସ୍ରବଣ ପରିଦର୍ଶନ ପରେ ରାଷ୍ଟ୍ରପତି ଏହି ରାସ୍ତାରେ ପୁଣି ବ୍ରହ୍ମପୁର ​ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ରାଷ୍ଟପତିଙ୍କ ଗସ୍ତ ପାଇଁ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ତଥା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାଷ୍ଟ୍ରପତି ଯେଉଁ ସଡ଼କପଥରେ ଯାତ୍ରା କରିବେ ଏବଂ ଯେଉଁ ଅଞ୍ଚଳରେ ରହିବେ, ସେହି ସମସ୍ତ ଅଞ୍ଚଳକୁ 'ନୋ-ଫ୍ଲାଇଂ-ଜୋନ୍‌ ଓ ନୋ-ଡ୍ରୋନ-ଜୋନ୍‌' ଘୋଷଣା କରାଯାଇଛି। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ଏହି ମର୍ମରେ ନିର୍ଦେଶନାମା ଜାରି କରିଛନ୍ତି। ରାଷ୍ଟ୍ରପତି ଯିବାକୁ ଥିବା ସଡ଼କ ପଥ ସହ ଆଖପାଖ ଅଞ୍ଚଳରେ କୌଣସି ପ୍ରକାର ଉଡ଼ାଣ, ରିମୋଟ୍‌ ​ନିୟନ୍ତ୍ରିତ ଡ୍ରୋନ୍ କିମ୍ବା କୌଣସି ବେଲୁନ୍‌ ଛଡ଼ା ଯାଇପାରିବ ନାହିଁ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ରେଳଷ୍ଟେସନ୍‌ ଓ ଆଖପାଖ ଅଞ୍ଚଳ, ଗୋସାଇଁ ନୂଆଗାଁ, ଅନ୍ଧପସରାରୋଡ୍‌, ହରିଡ଼ାଖଣ୍ଡି, ଦିଗପହଣ୍ଡିରୋଡ୍‌, ତପ୍ତପାଣି ମନ୍ଦିର ଓ ପାରିପାର୍ଶ୍ବିକ ଅଞ୍ଚଳ, ଆର୍ମି ଏଡି କଲେଜ ଏବଂ ଆଖପାଖ ଅଞ୍ଚଳରେ ୪ ଓ ୫ ତାରିଖ ଦୁଇ ଦିନ ଧରି ନୋ-ଫ୍ଲାଇ-ଜୋନ୍‌ ରହିବ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି। ୫ ତାରିଖରେ ରାଷ୍ଟ୍ରପତି ବ୍ରହ୍ମପୁରରୁ ରେଳ ଯୋଗେ ଭୁବନେଶ୍ୱରରେ ପହଞ୍ଚି ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia