Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା...

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ ଭିଡ଼ମୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହାକୁ ନେଇ ୨୦୨୫ ମେ' ୨୩ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ), ଜଳସମ୍ପଦ ବିଭାଗ, ପୂର୍ତ୍ତ ବିଭାଗ ସମେତ ସମ୍ପୃକ୍ତ ବିଭାଗକୁ ପୃଥକ୍‌ ନିର୍ଦ୍ଦେଶନାମା ଜାରି କରିଥିଲେ। ସେଥିମଧ୍ୟରୁ ଜଳସମ୍ପଦ ବିଭାଗ ତା'ର ନିର୍ଦ୍ଧାରିତ କାର୍ଯ୍ୟ ସମୟ ଭିତରେ କରି ସାରିଥିବା ସତ୍ତ୍ୱେ ବିଏମ୍‌ସି ୧ବର୍ଷ ଧରି ଦୟା କେନାଲରୁ ଜବରଦଖଲ ଉଚ୍ଛେଦ ସହ ଅନ୍ୟ କେତେକ ନିର୍ଦ୍ଦେଶକୁ ଚାପି ଧରି ବସିଛି। ଏହାକୁ ନେଇ ବିଏମ୍‌ସି କମିଶନରଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ପର୍ଯ୍ୟନ୍ତ ତୁହାକୁ ତୁହା ବୈଠକ ବସୁଛି। ହେଲେ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳ ଜବରଦଖଲମୁକ୍ତ ହୋଇନାହିଁ।

ଫଳରେ ଭୁବନେଶ୍ୱର ଭିଡ଼ମୁକ୍ତ ଲକ୍ଷ୍ୟ ସାଧିତ ହୋଇପାରିନାହିଁ।ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାରଙ୍ଗ-ପଟିଆ-ମଞ୍ଚେଶ୍ୱର-ପଳାଶୁଣି-ଗ୍ୟାରେଜ୍‌ ଛକ-ସୁନ୍ଦରପଦା-ଜଟଣୀ ପର୍ଯ୍ୟନ୍ତ ବର୍ତ୍ତମାନର ଦୟା ପଶ୍ଚିମ କେନାଲ ଉପରେ/ପାଖରେ ୪ ଲେନ୍‌ ରାସ୍ତା ନିର୍ମାଣକୁ ବିଧିବଦ୍ଧ ଭାବେ ଅନୁମୋଦନ ମିଳିଥିଲା। 'ଧରିତ୍ରୀ'କୁ ମିଳିଥିବା ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ବାରଙ୍ଗରୁ ପଳାଶୁଣି ପର୍ଯ୍ୟନ୍ତ କେନାଲକୁ ଖୋଲା ନାଳ ଭାବେ ରଖାଯିବ ଏବଂ ଜଳସମ୍ପଦ ବିଭାଗର ଉପଲବ୍ଧ ରାଇଟ୍‌ ଅଫ୍‌ ୱେ (ଆର୍‌ଓଡବ୍ଲ୍ୟୁ)ବ୍ୟବହାର କରି କେନାଲର ଦୁଇ ପାର୍ଶ୍ୱରେ ଦୁଇଲେନ୍‌ ରାସ୍ତା ନିର୍ମାଣ କରାଯିବ। ଭବିଷ୍ୟତରେ ୪ ଲେନ୍‌ଠାରୁ ୬ ଲେନ୍‌ କରିବା ସମୟରେ, ଅତିରିକ୍ତ ଲେନ୍‌ ପାଇଁ ଖୋଲା ଅଂଶକୁ ପାଇପରେ ଆବଦ୍ଧ ନାଳ(କଣ୍ଡୁଇଟ୍‌) ଦ୍ୱାରା ପରିବର୍ତ୍ତନ କରାଯାଇପାରିବ। ପ୍ରସ୍ତାବିତ କରିଡର କଡ଼ରେ ଥିବା ଜବରଦଖଲ ଉଚ୍ଛେଦ କରିବା ଏବଂ ବସ୍ତିବାସିନ୍ଦାଙ୍କ ସମସ୍ୟାର ସମାଧାନ ଲାଗି ବୈଠକରେ ଆଲୋଚନା ହୋଇଥିଲା।

ଏହାର ଦାୟିତ୍ୱ ବିଏମ୍‌ସିକୁ ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଇ ନାହିଁ। ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ଦୟା ପଶ୍ଚିମ କେନାଲ (ବାରଙ୍ଗ-ପଟିଆ-ମଞ୍ଚେଶ୍ୱର-ପଳାଶୁଣି-ଗାରେଜ୍‌ ଛକ-ସୁନ୍ଦରପଦା-ଜଟଣୀ) ଉପରେ/ପାଖରେ ୪ ଲେନ୍‌ ରାସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିସାରିଛି। ଏସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ.

ସାଗର ମହାନ୍ତି ୨୦୨୬ ମାର୍ଚ୍ଚ ୨୪ରେ ଜଳସମ୍ପଦ ବିଭାଗକୁ ଅବଗତ କରାଇ ସାରିଛନ୍ତି। ହେଲେ ବିଏମ୍‌ସି ପକ୍ଷରୁ ଦୟାକେନାଲରୁ ହେବାକୁ ଥିବା ଜବରଦଖଲମୁକ୍ତ କେବଳ ବୈଠକରେ ସୀମିତ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରର ବିଭିନ୍ନ ସମସ୍ୟାର ସମାଧାନ ଲାଗି ବିଏମ୍‌ସି ଏବଂ ବିଡିଏ ଦାୟିତ୍ୱରେ ଜଣେ ଅଧିକାରୀଙ୍କୁ ସରକାର ଦୀର୍ଘବର୍ଷ ଧରି ଦାୟିତ୍ୱ ଦେଇ ଆସୁଛନ୍ତି। ଏସଂକ୍ରାନ୍ତରେ ବିଏମ୍‌ସି କମିଶନର ଚଞ୍ଚଳ ରାଣାଙ୍କୁ ପ୍ରଶ୍ନ କରାଯିବାରେ ସେ ବିଏମ୍‌ସି ଡେପୁଟି କମିଶନରଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ବିଏମ୍‌ସି ଡେପୁଟି କମିଶନର ଅଜୟ ମହାନ୍ତି କହିଛନ୍ତି, ଏନେଇ ବିଏମ୍‌ସି ପକ୍ଷରୁ ବୈଠକ ଅନୁଷ୍ଠିତ ହେବା ସହିତ ପ୍ରକ୍ରିୟା ଚାଲିଛି। ଦୟା କେନାଲକୁ ଉଚ୍ଛେଦ କରିବାପାଇଁ ଆଉ ୧୫ରୁ ୨୦ ଦିନ ଲାଗିବ। ତେବେ ଉଚ୍ଛେଦ ହେବାକୁ ଥିବା ବସ୍ତିବାସିନ୍ଦାଙ୍କ ଥଇଥାନ ନେଇ ସେ କୌଣସି ସ୍ପଷ୍ଟ ଉତ୍ତର ରଖି ନ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia