Dailyhunt
୨୫ ବର୍ଷ ପରେ ରିଲିଜ୍ ହେଲା ଇରଫାନ୍ ଖାନ୍ ଓ ବିଦ୍ୟା ବାଲାନ୍‌ଙ୍କ ଅପ୍ରକାଶିତ ଫିଲ୍ମ 'ଦି ଲାଷ୍ଟ ଟେନାଣ୍ଟ'

୨୫ ବର୍ଷ ପରେ ରିଲିଜ୍ ହେଲା ଇରଫାନ୍ ଖାନ୍ ଓ ବିଦ୍ୟା ବାଲାନ୍‌ଙ୍କ ଅପ୍ରକାଶିତ ଫିଲ୍ମ 'ଦି ଲାଷ୍ଟ ଟେନାଣ୍ଟ'

ସକାଳ 1 week ago

ଦିବଂଗତ ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ (Irrfan Khan) ଏବଂ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲାନ୍ (Vidya Balan)ଙ୍କ ଅଭିନୀତ ଏକ ଅପ୍ରକାଶିତ ସର୍ଟ ଫିଲ୍ମ ୨୫ ବର୍ଷ ପରେ ଶେଷରେ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଛି। ଇରଫାନ୍ ଖାନ୍ଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ 'ଦି ଲାଷ୍ଟ ଟେନାଣ୍ଟ' (The Last Tenant) ନାମକ ଏହି ୪୩ ମିନିଟ୍ ର ଫିଲ୍ମଟିକୁ ଦର୍ଶକଙ୍କ ପାଇଁ ଉପଲବ୍ଧ କରାଯାଇଛି।

୨୫ ବର୍ଷ ପରେ ମିଳିଲା ଦର୍ଶକଙ୍କ ସ୍ୱୀକୃତି

ପ୍ରାୟ ୨୫ ବର୍ଷ ପୂର୍ବେ, ଅର୍ଥାତ୍ ୨୦୦୦ ମସିହାରେ ଏହି ଫିଲ୍ମଟିର ସୁଟିଂ ଶେଷ ହୋଇଥିଲା। ଏହି ଫିଲ୍ମର କାହାଣୀ ଲେଖିବା ସହିତ ନିର୍ଦ୍ଦେଶନା ଦେଇଥିଲେ ସାର୍ଥକ ଦାସଗୁପ୍ତ (Sarthak Dasgupta)ନୀନା ଦାସଗୁପ୍ତ ଏବଂ ସାର୍ଥକ ଦାସଗୁପ୍ତଙ୍କ ଦ୍ୱାରା ପ୍ରଯୋଜିତ ଏହି ସର୍ଟ ଫିଲ୍ମଟିକୁ ଏପ୍ରିଲ୍ ୨୯ ତାରିଖ ଦିନ 'ଦି ସଲ୍ଟ ଇଙ୍କ୍' (The Salt Inc) ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ରିଲିଜ୍ କରାଯାଇଛି। ଏହା ହେଉଛି ଏକମାତ୍ର ପ୍ରୋଜେକ୍ଟ ଯେଉଁଥିରେ ଇରଫାନ୍ ଖାନ୍ ଏବଂ ବିଦ୍ୟା ବାଲାନ୍ ଏକାଠି ସ୍କ୍ରିନ୍ ସେୟାର୍ କରିଛନ୍ତି। ଟେଲିଭିଜନ୍ ଶୋ' 'ହମ୍ ପାଞ୍ଚ୍'ରେ ଅଭିନୟ କରିବା ପରେ ଏହା ହୁଏତ ବିଦ୍ୟା ବାଲାନ୍ଙ୍କର ପ୍ରଥମ ଫିଲ୍ମ ଥିଲା।

କାହିଁକି ଅଟକି ରହିଥିଲା ଫିଲ୍ମର ରିଲିଜ୍?

୨ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଫିଲ୍ମଟି ଆଲୋକକୁ ଆସିପାରି ନଥିଲା। ପ୍ରକୃତରେ ଫିଲ୍ମର ଅରିଜିନାଲ୍ ଫୁଟେଜ୍ ହଜିଯିବା କାରଣରୁ ଏହାର ରିଲିଜ୍ ଅଟକି ରହିଥିଲା। ନିକଟରେ ନିର୍ଦ୍ଦେଶକ ସାର୍ଥକ ଦାସଗୁପ୍ତଙ୍କୁ ଏହି ଫିଲ୍ମର ଏକ ଭିଏଚ୍ଏସ୍ (VHS) କପି ମିଳିଥିଲା, ଯାହା ପରେ ସେ ଏହାକୁ ରିଷ୍ଟୋର୍ କରି ଦର୍ଶକଙ୍କ ସାମ୍ନାକୁ ଆଣିଛନ୍ତି। ଏହି ଯାତ୍ରାକୁ ନେଇ ନିର୍ଦ୍ଦେଶକ କହିଛନ୍ତି ଯେ, ସେତେବେଳେ ସେ ଜଣେ ଶିକ୍ଷାନବିଶ ଥିଲେ। ତାଙ୍କ ପାଖରେ ସିନେମା ଶିଖିବା ପାଇଁ କୌଣସି ୟୁଟ୍ୟୁବ୍ ଟ୍ୟୁଟୋରିଆଲ୍ କିମ୍ବା ଆମାଜନ୍‌ରୁ ବହି ମଗାଇବାର ସୁବିଧା ନଥିଲା। ବର୍ତ୍ତମାନ ଏହାକୁ ଏକ ଭୁଲା ସ୍ୱପ୍ନର ପୁନରାବୃତ୍ତି ପରି ମନେ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି।

ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

୨୯ ଏପ୍ରିଲ୍ ୨୦୨୦ରେ ମୁମ୍ବାଇର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଇରଫାନ୍ ଖାନ୍ଙ୍କର ପରଲୋକ ହୋଇଥିଲା। ତାଙ୍କର ଏହି ଷଷ୍ଠ ଶ୍ରାଦ୍ଧବାର୍ଷିକୀରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ପ୍ରଶଂସକମାନଙ୍କ ପାଇଁ ଏକ ଅମୂଲ୍ୟ ଉପହାର ସଦୃଶ। ଭାରତୀୟ ସିନେମାର ଦୁଇ ଦିଗ୍ଗଜ କଳାକାରଙ୍କର ପ୍ରାରମ୍ଭିକ ଅଭିନୟ ଏବଂ ସେମାନଙ୍କର କଞ୍ଚା କଳାତ୍ମକ ପ୍ରତିଭା ଏହି ଫିଲ୍ମରେ ଦେଖିବାକୁ ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala