Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୫୮ ଦିନ ହେଲା ଧାରଣାରେ କିଲାସମା ମୌଜା ଅଧିବାସୀ: ବିଧାନସଭାରେ ବିଜେଡି ଉଠାଇବ ବିସ୍ଥାପନ ପ୍ରସଙ୍ଗ

୫୮ ଦିନ ହେଲା ଧାରଣାରେ କିଲାସମା ମୌଜା ଅଧିବାସୀ: ବିଧାନସଭାରେ ବିଜେଡି ଉଠାଇବ ବିସ୍ଥାପନ ପ୍ରସଙ୍ଗ

ସକାଳ 1 week ago

ମ୍ବଲପୁର: ହୀରାକୁଦ ନଦୀବନ୍ଧ ତିଆରି ସମୟରେ ବିସ୍ଥାପିତ ପୁନଃବିସ୍ଥାପନ ଆଶଙ୍କାରେ ଆଜିକୁ ୫୮ ଦିନ ହେଲା ଧାରଣାରେ ବସିଛନ୍ତି ସମ୍ୱଲପୁର ଜିଲ୍ଲା ସଦର ତହସିଲ କିଲାସମା ମୌଜା ଅଧିବାସୀ। ସେମାନଙ୍କ ଅଭିଯୋଗ ଅନୁସାରେ ଗତ ସାତଦଶନ୍ଧି ଧରି ସେମାନେ ଯେଉଁ ଜମିରେ ଚାଷ କରୁଥିଲେ, ସେହି ଜମିରେ ହୋଟେଲ ନିର୍ମାଣ ହେବ। ଶାଗମାଛ ଦରରେ ସେହି ଜମିକୁ ଇଡ୍‌କୋକୁ ବିକ୍ରି କରିଦିଆଯାଇଛି।

ଏଣୁ ସରକାର ସେମାନଙ୍କୁ ଥଇଥାନ କରନ୍ତୁ ନଚେତ୍‌ ସେହି ଜମି ଫେରାଇ ଦିଅନ୍ତୁ ବୋଲି ଦାବିକରି ପଞ୍ଚାୟତବାସୀ ଧାରଣାରେ ବସିଛନ୍ତି। ବିଜୁ ଜନତା ଦଳ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ପେଶାଲ କମିଟି ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଅନଶନସ୍ଥଳରେ ପହଞ୍ଚି ବିସ୍ଥାପିତଙ୍କ ସହ ଆଲୋଚନା କରିଛନ୍ତି। ଆଜି ବିଜେଡିର ଏକ ପ୍ରତିନିଧି ଦଳ ଗଣଧାରଣାରେ ସାମିଲ ହେବାସହ ବିସ୍ଥାପିତଙ୍କୁ ସମର୍ଥନ ଜଣାଇଛନ୍ତି। ବିଧାୟକ ନିରଞ୍ଜନ ପୂଜାରୀ ବିଜେଡି ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ବିଜେଡି ଏହି ବିସ୍ଥାପନ ପ୍ରସଙ୍ଗ ଉଠାଇବ ବୋଲି କହିଥିବାବେଳେ, ଏନେଇ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଚିଠି ପଠାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କହିଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ। ବିଜେଡି ପ୍ରତିନିଧି ଦଳରେ ବିଧାୟକ ନିରଞ୍ଜନ ପୂଜାରୀ, ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ସାମିଲ ଥିବାବେଳେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ରହିଥିଲେ।

ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି, ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ବହୁ ପରିବାର ବିସ୍ଥାପିତ ହୋଇ କିଲାସମା ଗ୍ରାମକୁ ଆସି ପିଢ଼ି ପରେ ପିଢ଼ି ରହିଆସିଛନ୍ତି। ଏମାନେ ୭୦ରୁ ୮୦ ବର୍ଷ ଚାଷବାସ କରିବାସହ ବିସ୍ଥାପିତଙ୍କ ଚତୁର୍ଥ ପିଢ଼ି ଅଟନ୍ତି। ଏବେ ସରକାର ପୁଣିଥରେ ତାଙ୍କୁ ବିସ୍ଥାପିତ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ଗରିବ, ଖଟିଖିଆ ଲୋକ। ସେମାନଙ୍କୁ ଆଜିଯାଏ ଚାଷ ଜମିପଟ୍ଟା ଦିଆଯାଇ ନାହିଁ। ସେମାନେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ସବୁସ୍ତରରେ ଅନୁରୋଧ କଲେ ମଧ୍ୟ କେହି ଶୁଣୁନାହାନ୍ତି, ଏଣୁ ଆଗାମୀ ଅଧିବେଶନରେ ବିଜୁ ଜନତା ଦଳ ସେମାନଙ୍କ ସକାଶେ ବିଧାନସଭାରେ ପ୍ରଶ୍ନ ଉଠାଇବ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, କିଲାସମା ମୌଜାର ଦଳିତ ଆଦିବାସୀ ମାନଙ୍କୁ ବିସ୍ଥାପିତ କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୯୫୬ ମସିହାରେ ହୀରାକୁଦ ବନ୍ଧ ପୂର୍ଣ୍ଣାଙ୍ଗ ହେବାସମୟରେ ସେମାନେ ବିସ୍ଥାପିତ ହୋଇଥିଲେ। ସେହିସମୟରୁ ସେମାନେ ଆସି କିଲାସମା ମୌଜାର ପଧାନପାଲିଠାରେ ବସତି ସ୍ଥାପନ କରି ରହିଥିଲେ। ଥରେ ବିସ୍ଥାପିତ ହୋଇ ପୁଣିଥରେ ବିସ୍ଥାପିତ କରୁଥିବାରୁ ଆମେ ଏହାକୁ ବିରୋଧ କରୁଛୁ। ଏଠାକାର ରାଜସ୍ୱ ମନ୍ତ୍ରୀ ଥାଇ ମଧ୍ୟ ଜମିପଟ୍ଟା ନଦେଇ ବାରମ୍ବାର ବିସ୍ଥାପିତ କରୁଛନ୍ତି। ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରାଯିବ ବୋଲି ସେ କହିଛନ୍ତି। ସରକାର ପର୍ଯ୍ୟଟନ ଶିଳ୍ପ କରନ୍ତୁ ଆମେ ତାହାକୁ ବିରୋଧ କରୁନାହୁଁ, କିନ୍ତୁ ଖାଲି ପଡ଼ିଥିବା ଜାଗାରେ କରନ୍ତୁ, ବିସ୍ଥାପିତ ଲୋକ ବସତି ସ୍ଥାପନ କରିଥିବା ଜାଗାରେ ସେମାନଙ୍କୁ ପୁଣି ବିସ୍ଥାପିତ କରି କରାନଯାଉ ବୋଲି ଶ୍ରୀମତୀ ଛୁରିଆ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ବିଧାୟକ ସୁଦର୍ଶନ ହରିପାଲ କହିଛନ୍ତି, ସେମାନେ ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲାନାହିଁ। ରେଙ୍ଗାଲି ବିଧାୟକ ଭାବେ ମୁଁ ରାଷ୍ଟ୍ରପତିଙ୍କୁ ପତ୍ର ପଠାଇ ଦୃଷ୍ଟି ଆକର୍ଷଣ କରିଥିଲି, କିନ୍ତୁ କୌଣସି ଉତ୍ତର ଆସିଲା ନାହିଁ। ଏହାପରେ ଦଳର ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲି, ରେଙ୍ଗାଲି ନିର୍ବାଚନମଣ୍ଡଳୀର ବୁଡ଼ି ଅଞ୍ଚଳର ଲୋକେ ୫୦ ଦିନରୁ ଊର୍ଦ୍ଧ୍ବ ହେବ ଧାରଣାରେ ବସିଛନ୍ତି। ଏହାପରେ ତାଙ୍କ ନିର୍ଦ୍ଦେଶରେ ଏହି ଟିମ୍‌ ଆସିଛନ୍ତି, ସେମାନେ ତଥ୍ୟ ସଂଗ୍ରହ କରି ଦଳର ସୁପ୍ରିମୋଙ୍କୁ ଅବଗତ କରିବେ ବୋଲି ଶ୍ରୀ ହରିପାଲ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସମ୍ୱଲପୁର ସଦର ତହସିଲ ଅଧୀନ କିଲାସମା ମୌଜାର ୩୩ ଏକର ୫୫ ଡେସିମିଲରୁ ଅଧିକ ଜମି ଇଡ୍‌କୋ ନେଇଥିବାବେଳେ ଏଠାରେ ପର୍ଯ୍ୟଟନ ଶିଳ୍ପ ପାଇଁ ହୋଟେଲ ନିର୍ମାଣ ହେବ। ଗତବର୍ଷ ୨୦୨୫ ଜୁନ ମାସରେ ଏହି ଅନାବଦି ଜମିର କିସମ ପରିବର୍ତ୍ତନ ପାଇଁ ସଦର ତହସିଲରୁ ନୋଟିସ ହୋଇଥିଲା ଏବଂ ଶିଳ୍ପପତିଙ୍କୁ ଜମି ଦେବାକୁ ମାତ୍ର ଦୁଇମାସ ମଧ୍ୟରେ ଏହି ଜମିର କିସମ ପରିବର୍ତ୍ତନ ହୋଇଗଲା। ଗତ ୭ ଦଶନ୍ଧି ଧରି ଯେଉଁ ଜମିରେ ବିସ୍ଥାପିତମାନେ ଚାଷକରି ଦୁଇମୁଠା ଆୟ କରୁଥିଲେ, ସେହି ଜମିକୁ ଶାଗମାଛ ଦରରେ ଶିଳ୍ପପତିଙ୍କ ହାତକୁ ପ୍ରଶାସନ ଟେକି ଦେଇଛି। ହୀରାକୁଦରୁ ୧୯୫୬ ମସିହାରେ ବିସ୍ଥାପିତ ହୋଇ କିଲାସମା ମୌଜାର ବସବାସ କରୁଥିବା ଏବଂ ସମ୍ପୃକ୍ତ ଅଞ୍ଚଳରେ ଚାଷକରି ପରିବାର ପ୍ରତିପୋଷଣ କରୁଥିଲେ ପ୍ରାୟ ୬୫ଟି ପରିବାର। ଏହି ପରିବାର ଗୁଡ଼ିକୁ ବିକଳ୍ପ ବ୍ୟବସ୍ଥା ନକରି ଗତ ୭ ଦଶନ୍ଧି ଧରି ଚାଷବାସ କରୁଥିବା ଚାଷଜମି ଛାଡ଼ିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାକୁ ବିରୋଧ କରି ଗତ ଜୁଲାଇ ୧ ତାରିଖରୁ ୫୮ ଦିନ ଧରି କିଲାସମା ମୌଜାର ଅଧିବାସୀ ଅନଶନ ଧର୍ମଘଟ କରୁଛନ୍ତି। ତେବେ, ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କେହି ସେମାନଙ୍କ ପାଖକୁ ଯାଇ ନଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ, ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିବା ୩୩.୫୫ ଏକର ଜମି ଇଡ୍‌କୋକୁ ଦିଆ ନଯାଇ ସେମାନଙ୍କୁ ଫେରାଇଦେବାସହ ସେମାନଙ୍କ ନାମରେ ଜମିପଟ୍ଟା କରାଯାଉ ବୋଲି ଅଞ୍ଚଳବାସୀ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala