Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି: ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଯିବ ୫୦୦୦ ଟଙ୍କା

ଆଜି ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି: ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଯିବ ୫୦୦୦ ଟଙ୍କା

ସକାଳ 1 week ago

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପଞ୍ଚମ କିସ୍ତି । ଆଜି ରାଜ୍ୟର ଯୋଗ୍ୟ ମହିଳା ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯିବ। ପ୍ରତି ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ୫,୦୦୦ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଛି।

ଏହି ଅର୍ଥ ପ୍ରଦାନ ପାଇଁ ନୟାଗଡ଼ ବ୍ଲକର ଲାଠିପଡ଼ା ଗାଁ ପଡ଼ିଆରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହି ମହିଳା ହିତାଧିକାରୀମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧:୧୫ ମିନିଟ୍‌ରେ ହେଲିକପ୍ଟର ଯୋଗେ ନୟାଗଡ଼ରେ ପହଞ୍ଚିବେ ଏବଂ ୧୧:୨୫ ରୁ ୧:୧୦ ପର୍ଯ୍ୟନ୍ତ ଏହି ଉତ୍ସବରେ ସାମିଲ ହୋଇ ଅପରାହ୍ନ ୧:୩୦ ରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।

ମିଳିଥିବା ସରକାରୀ ତଥ୍ୟ ମୁତାବକ, ଏହି ପଞ୍ଚମ କିସ୍ତିରେ ପ୍ରାୟ ୧ କୋଟି ୩ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇବେ, ଯେଉଁଥିରେ ୨,୨୧,୦୫୪ ଜଣ ନୂଆ ହିତାଧିକାରୀ ମଧ୍ୟ ସାମିଲ ଅଛନ୍ତି। ଏହି ପର୍ଯ୍ୟାୟରେ ରାଜ୍ୟ ସରକାର ସମୁଦାୟ ୫,୧୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ।

ଯେଉଁ ହିତାଧିକାରୀମାନଙ୍କର ପୂର୍ବ କିସ୍ତିଗୁଡ଼ିକ ବାକି ରହିଛି, ସେମାନେ ଆବଶ୍ୟକୀୟ କ୍ଷେତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସୁଭଦ୍ରା ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହାଛଡ଼ା ସରକାର ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ପଞ୍ଚମ କିସ୍ତିରୁ ବାଦ୍ ପଡ଼ିବେ, ସେମାନଙ୍କର ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଗୋଟିଏ ମାସ ମଧ୍ୟରେ ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଏବଂ ବିଶାଳ ରାଜ୍ୟସ୍ତରୀୟ ଉତ୍ସବକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳା ବନ୍ଦୋବସ୍ତ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala