Dailyhunt
ଅନ୍ଧବିଶ୍ୱାସର କରୁଣ ପରିଣତି: ପୁଅର ରୋଗ ଭଲ କରିବା ପାଇଁ ନିଜ ଝିଅକୁ ବଳି ଦେଲା ମା'

ଅନ୍ଧବିଶ୍ୱାସର କରୁଣ ପରିଣତି: ପୁଅର ରୋଗ ଭଲ କରିବା ପାଇଁ ନିଜ ଝିଅକୁ ବଳି ଦେଲା ମା'

ସକାଳ 2 weeks ago

ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାରୁ ଏକ ହୃଦୟ ବିଦାରକ ଏବଂ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି। ପୁଅର ରୋଗ ଭଲ କରିବା ପାଇଁ ଜଣେ ମା' ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ୧୩ ବର୍ଷୀୟା ଝିଅକୁ ବଳି ଦେଇଛି। ଏହି ବର୍ବର କାଣ୍ଡରେ ମହିଳା ଜଣକ ନିଜ ପ୍ରେମିକ ଏବଂ ଜଣେ ତାନ୍ତ୍ରିକଙ୍କ ସାହାଯ୍ୟ ନେଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।

ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତ ମା', ତା'ର ପ୍ରେମିକ ଏବଂ ତାନ୍ତ୍ରିକକୁ ଗିରଫ କରିଛି।

ଅନ୍ଧବିଶ୍ୱାସର ଜାଲରେ ମା'

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହଜାରିବାଗର କୁସୁମ୍ଭା ଗାଁର ବାସିନ୍ଦା ରେଶମୀ ଦେବୀଙ୍କ ସାନ ପୁଅ ଦୀର୍ଘ ଦିନ ଧରି ଶାରୀରିକ ଏବଂ ମାନସିକ ରୋଗରେ ପୀଡ଼ିତ ଥିଲା। ପୁଅର ଆରୋଗ୍ୟ ପାଇଁ ସେ ସେହି ଗାଁର ଜଣେ ୫୫ ବର୍ଷୀୟା ମହିଳା ତାନ୍ତ୍ରିକ ଶାନ୍ତି ଦେବୀ ଓରଫ୍ ଭଗତିନୀଙ୍କ ସମ୍ପର୍କରେ ଆସିଥିଲେ। ଭଗତିନୀ ତାଙ୍କୁ ବିଶ୍ୱାସ ଦେଇଥିଲା ଯେ ଏକ କୁମାରୀ କନ୍ୟାର ବଳି ଦେଲେ ତାଙ୍କ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ଏବଂ ପରିବାରର ସମସ୍ତ ସମସ୍ୟା ଦୂର ହେବ। ଏହି ଅନ୍ଧବିଶ୍ୱାସରେ ପଡ଼ି ରେଶମୀ ଦେବୀ ନିଜର ନିଷ୍ପାପ ଝିଅକୁ ବଳି ଦେବା ପାଇଁ ଯୋଜନା କରିଥିଲେ।

କେମିତି ହେଲା ହତ୍ୟାକାଣ୍ଡ?

ଗତ ମାର୍ଚ୍ଚ ୨୪ ତାରିଖ ରାତିରେ ଗାଁରେ ରାମ ନବମୀ ଉପଲକ୍ଷେ ମଙ୍ଗଳା ଜୁଲୁସ ଚାଲିଥିବା ସମୟରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ପୋଲିସର କହିବା ଅନୁଯାୟୀ, ପୂଜା କରିବା ବାହାନାରେ ରେଶମୀ ନିଜ ଝିଅକୁ ତାନ୍ତ୍ରିକ ଶାନ୍ତି ଦେବୀଙ୍କ ଘରକୁ ନେଇଯାଇଥିଲେ। ସେଠାରେ ତାଙ୍କ ପ୍ରେମିକ ୪୦ ବର୍ଷୀୟ ଭୀମ ରାମ ମଧ୍ୟ ଉପସ୍ଥିତ ଥିଲେ। ପ୍ରାଥମିକ ପୂଜାପାଠ ପରେ ସେମାନେ ଝିଅଟିକୁ ଏକ ବାଉଁଶ ବୁଦା ନିକଟକୁ ନେଇଯାଇଥିଲେ। ସେଠାରେ ରେଶମୀ ନିଜ ଝିଅର ଗୋଡ଼କୁ ଧରି ରଖିଥିବା ବେଳେ ପ୍ରେମିକ ଭୀମ ରାମ ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କରିଥିଲା। ପରଦିନ ସକାଳେ ଗାଁର ମିଡିଲ ସ୍କୁଲ ପଛପଟୁ ଝିଅଟିର ମୃତଦେହ ଉଦ୍ଧାର କରାଯାଇଥିଲା।

ପୋଲିସକୁ ବିଭ୍ରାନ୍ତ କରିବାର ପ୍ରୟାସ ଏବଂ ଗିରଫ

ଘଟଣା ପରେ ମା' ରେଶମୀ ଦେବୀ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ଗାଁର ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଏତଲା ଦେଇଥିଲେ। ପ୍ରାରମ୍ଭରେ ପୋଲିସ ପୋକ୍ସୋ ଆକ୍ଟ ଏବଂ ବିଏନଏସ (BNS) ଆଧାରରେ ଏକ ମାମଲା ରୁଜୁ କରିଥିଲା। ତେବେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ପୋଲିସ ଡିଜିପି ଏବଂ ହଜାରିବାଗ ଏସପି ଅଞ୍ଜନି ଅଞ୍ଜନଙ୍କ ନିର୍ଦ୍ଦେଶରେ ମାର୍ଚ୍ଚ ୨୬ ତାରିଖରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଥିଲା। ବୈଷୟିକ ପ୍ରମାଣ ଏବଂ କଡ଼ା ପଚରାଉଚରା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା। ପୋଲିସ ଅଭିଯୁକ୍ତ ମା' ରେଶମୀ ଦେବୀ, ପ୍ରେମିକ ଭୀମ ରାମ ଏବଂ ତାନ୍ତ୍ରିକ ଶାନ୍ତି ଦେବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ଗମ୍ଭୀରତାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ମଧ୍ୟ ସ୍ୱତଃପ୍ରବୃତ୍ତ ମାମଲା ରୁଜୁ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala