Dailyhunt
ଧରଣୀଧର ନାୟକଙ୍କ ୧୯୨ତମ ଜନ୍ମ ଜୟନ୍ତୀରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଧରଣୀଧର ନାୟକଙ୍କ ୧୯୨ତମ ଜନ୍ମ ଜୟନ୍ତୀରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ସକାଳ 1 week ago

ଭୁବନେଶ୍ୱର:ଧରଣୀଧର ନାୟକ(ଭୂୟାଁ)ଙ୍କ ୧୯୨ତମ ଜନ୍ମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହା ସହ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ନେତୃମଣ୍ଡଳୀ ଓ ଦଳୀୟ କର୍ମୀମାନେ ଯୋଗଦେଇ ମାଟିର ପୁଅ ଓ ସାଂସ୍କୃତିକ ଜାଗରଣର ଏକ ପ୍ରବର୍ତ୍ତକ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଧରଣୀଧର ନାୟକଙ୍କ ଅପାର ଅବଦାନ, ସାହସ ଓ ସମାଜ କଲ୍ୟାଣ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ସଦା ସ୍ମରଣୀୟ ରହିବ। ତାଙ୍କର ଜୀବନ ଆଗାମୀ ପିଢିକୁ ସମର୍ପଣ ଓ ନିଷ୍ଠାର ସହିତ ସେବା କରିବା ପାଇଁ ପ୍ରେରଣା ଦେଇଆସୁଛି ବୋଲି ମତପ୍ରକାଶ ପାଇଛି। ଏହି ଅବସରରେ ଶଙ୍ଖ ଭବନରେ ତାଙ୍କର ଅମୂଲ୍ୟ ଅବଦାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସଭାକୁ ସମ୍ୱୋଧନ କରି ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଧରଣୀଧର ନାୟକ କେନ୍ଦୁଝରରେ ବ୍ରିଟିଶ ସରକାରର ଶୋଷଣ ନୀତି ବିରୋଧରେ ଐତିହାସିକ ବିଦ୍ରୋହର ନେତୃତ୍ୱ ନେବା ସହ ଭୂୟାଁ ଜାତି ସହିତ ସ୍ଥାନୀୟ ସମୁଦାୟମାନଙ୍କୁ ନ୍ୟାୟ ଓ ସ୍ୱାୟତ୍ତତା ପାଇଁ ଏକତ୍ର କରିଥିଲେ। ସେ ଔପନିବେଶିକ ଶାସକ ଓ ଜମିଦାରୀ ପ୍ରଥା ଦ୍ୱାରା ଆଦିବାସୀ ସମୁଦାୟ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିଲେ।

ଏହି ଅବସରରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି, ସାଧାରଣ ସମ୍ପାଦକ ବିଜୟ ନାୟକ, ମୁଖପାତ୍ର ନାରାୟଣ ଜେନା, ସାଧାରଣ ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଓ ମହିଳା ନେତ୍ରୀ ଅଂଶୁ ତ୍ରିପାଠୀ ପ୍ରମୁଖ ନିଜର ମତାମତ ପ୍ରକାଶ କରିଥିଲେ। ଶେଷରେ ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala