Dailyhunt
କଣାସରେ ଯୁବକଙ୍କୁ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣକୁ ନେଇ ନବୀନଙ୍କ କ୍ଷୋଭ; କହିଲେ, ଓଡ଼ିଶାରେ ଆଇନର ଶାସନ ଅଛି ତ?

କଣାସରେ ଯୁବକଙ୍କୁ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣକୁ ନେଇ ନବୀନଙ୍କ କ୍ଷୋଭ; କହିଲେ, ଓଡ଼ିଶାରେ ଆଇନର ଶାସନ ଅଛି ତ?

ସକାଳ 6 days ago

ଭୁବନେଶ୍ୱର: ପୁରୀ ଜିଲ୍ଲା କଣାସରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦିନଦ୍ୱିପହରରେ ସର୍ବସମ୍ମୁଖରେ ଦୁର୍ବୃତ୍ତମାନେ ସଂଘବଦ୍ଧ ହୋଇ ଜଣେ ଯୁବକକୁ ଅତ୍ୟନ୍ତ ନିର୍ମମ ଭାବେ ମରଣାନ୍ତକ ଆକ୍ରମଣ କରୁଥିବାର ଦୃଶ୍ୟ ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ ଓ ଭୟଭୀତ କରିଦେଇଛି।

ଆଇନଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେଲେ ସରକାରଙ୍କ ନିଦ ଭାଙ୍ଗିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି।

ଏକ୍ସରେ ଏନେଇ ଉଲ୍ଲେଖ କରି ନବୀନ କହିଛନ୍ତି ଯେ ପୁରୀ ଜିଲ୍ଲା କଣାସରେ ଘଟିଥିବା ଘଟଣା ସ୍ପଷ୍ଟ ଦର୍ଶାଉଛି ଯେ ଓଡ଼ିଶାରେ ଅରାଜକତା ସୀମା ଟପୁଛି, ବିଜେପି ସରକାର ଓଡ଼ିଶାକୁ କେଉଁଆଡ଼କୁ ନେଉଛି? ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ପରେ ଖୋଲା ଖୋଲି ଗାଡ଼ି ଚଢାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଓ ହୃଦୟ ବିଦାରକ। ଓଡ଼ିଶାରେ ଆଇନକାନୁନର ଶାସନ ଅଛି ତ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ବିଜେପି ସରକାରର ସ୍ଥାଣୁତା ଓ ଅପାରଗତା ପାଇଁ ଅପରାଧୀମାନେ ଭୟ ଶୂନ୍ୟ ହୋଇ ବୁଲୁଛନ୍ତି। ସାଧାରଣ ଜନତା ଆତଙ୍କିତ ଓ ଭୟଭୀତ ହୋଇ ପଡ଼ିଛନ୍ତି। ଲୋକଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ଓଡ଼ିଶାର ଶାସନ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ତୁଟିବାକୁ ବସିଲାଣି ବୋଲି ନବୀନ ଉଲ୍ଲେଖ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala