Dailyhunt
ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତକୁ ବିରୋଧ କରିବା ନେଇ କେନ୍ଦ୍ରକୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତକୁ ବିରୋଧ କରିବା ନେଇ କେନ୍ଦ୍ରକୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ସକାଳ 2 weeks ago

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ମାମଲାରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜଣେ ୧୫ ବର୍ଷୀୟା ଦୁଷ୍କର୍ମ ପୀଡ଼ିତାଙ୍କ ୩୦ ସପ୍ତାହର ଗର୍ଭପାତ ଅନୁମତିକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାୟର କରାଯାଇଥିବା କ୍ୟୁରେଟିଭ୍ ପିଟିସନକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ ନାଗରିକଙ୍କ ନିଷ୍ପତ୍ତି ଏବଂ ପସନ୍ଦକୁ ସମ୍ମାନ ଦେବା ଉଚିତ୍।

ଦୁଷ୍କର୍ମ ପୀଡିତାଙ୍କୁ ୩୦ ସପ୍ତାହ ପରେ ଗର୍ଭପାତ ଅନୁମତି ଦେବା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏମ୍ସର କ୍ୟୁରେଟିଭ୍ ପିଟିସନ୍ ଉପରେ ଆପତ୍ତି ପ୍ରକାଶ କରିଥିଲେ। ୨୦ ସପ୍ତାହ ପରେ ମଧ୍ୟ ଦୁଷ୍କର୍ମ ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେବା ପାଇଁ ଆଇନରେ ସଂଶୋଧନ ଉପରେ ବିଚାର କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯେତେବେଳେ ଦୁଷ୍କର୍ମରୁ ଗର୍ଭଧାରଣ ହୁଏ, ସେତେବେଳେ କୌଣସି ସମୟ ସୀମା ରହିବା ଉଚିତ୍ ନୁହେଁ ଓ ସମୟ ସହିତ ଆଇନ ପରିବର୍ତ୍ତନ ହେବା ଉଚିତ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଖଣ୍ଡପୀଠ କହିଛନ୍ତି ଯେ, ଏହା ଶିଶୁଙ୍କୁ ଦୁଷ୍କର୍ମ ମାମଲା ଏବଂ ଯଦି ଗର୍ଭପାତକୁ ଅନୁମତି ଦିଆ ନ ଯାଏ, ତେବେ ପୀଡିତା ଜୀବନବ୍ୟାପୀ ମାନସିକ ଆଘାତ ଭୋଗିବେ।

ବିଚାରପତି ସୂର୍ଯ୍ୟ କାନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଐଶ୍ୱର୍ଯ୍ୟା ଭାଟିଙ୍କୁ ଲକ୍ଷ୍ୟ କରି କହିଛନ୍ତି ଯେ, "ଦୁଷ୍କର୍ମ ପରେ ପୀଡ଼ିତା ଭୋଗିଥିବା ଯନ୍ତ୍ରଣାର କୌଣସି କ୍ଷତିପୂରଣ ନାହିଁ। ମାଡାମ୍, ନାଗରିକଙ୍କୁ ସମ୍ମାନ ଦିଅନ୍ତୁ। ଗର୍ଭପାତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ଆପଣଙ୍କର କୌଣସି ଅଧିକାର ନାହିଁ; କେବଳ ପୀଡ଼ିତା କିମ୍ବା ତାଙ୍କ ପରିବାର ହିଁ ଏହାକୁ ଚ୍ୟାଲେଞ୍ଜ କରିପାରିବେ।"

ସେହିପରି ବିଚାରପତି ଜୟମାଲ୍ୟ ବାଗ୍ଚୀ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ଆମେ ବ୍ୟକ୍ତିଗତ ପସନ୍ଦକୁ ସମ୍ମାନ ଦେଉଛୁ ଏବଂ ଆପଣ ମଧ୍ୟ ସେପରି କରିବା ଉଚିତ୍।" ଅନ୍ୟପକ୍ଷରେ ସରକାରଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ବର୍ତ୍ତମାନ ସ୍ଥିତିରେ ଗର୍ଭପାତ କରିବା ଚିକିତ୍ସା ବିଜ୍ଞାନ ଅନୁଯାୟୀ ସମ୍ଭବ ନୁହେଁ। ତେଣୁ ପୀଡ଼ିତାଙ୍କ ପାଖରେ ସନ୍ତାନ ଜନ୍ମ କରିବା ଏବଂ ପରେ ତାକୁ ପୋଷ୍ୟ ସନ୍ତାନ ଭାବେ ଦେବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ।

କୋର୍ଟ ସରକାରଙ୍କ ଏହି ଯୁକ୍ତିକୁ ସିଧାସଳଖ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ନାବାଳିକାର ପ୍ରଜନନ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ସରକାରଙ୍କର ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପକୁ ଦୁଷ୍କର୍ମ ପୀଡ଼ିତାଙ୍କ ଅଧିକାରର ସୁରକ୍ଷା ଦିଗରେ ଏକ ଦୃଢ଼ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala