Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳ ବନ୍ୟା ଓ ଭୂସ୍ଖଳନରେ ଫସିଲେ ଭଦ୍ରକର ୭ ଜଣଙ୍କ ସମେତ ୫୧ ପର୍ଯ୍ୟଟକ, ସୁରକ୍ଷିତ ଫେରିଆସିବାକୁ ପରିବାରର ଆଶା

ନେପାଳ ବନ୍ୟା ଓ ଭୂସ୍ଖଳନରେ ଫସିଲେ ଭଦ୍ରକର ୭ ଜଣଙ୍କ ସମେତ ୫୧ ପର୍ଯ୍ୟଟକ, ସୁରକ୍ଷିତ ଫେରିଆସିବାକୁ ପରିବାରର ଆଶା

ସକାଳ 2 weeks ago

ଭୁବନେଶ୍ୱର: ନେପାଳରେ ଅଚାନକ ଆସିଥିବା ବନ୍ୟା ଏବଂ ଭୟଙ୍କର ଭୂସ୍ଖଳନ କାରଣରୁ ଯାତ୍ରା ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ୫୧ ଜଣ ପର୍ଯ୍ୟଟକ ଫସି ରହିଛନ୍ତି। ଏହି ଫସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ୭ ଜଣ ଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଏହି ପର୍ଯ୍ୟଟକମାନଙ୍କୁ ନେପାଳ ପୋଲିସ ଦ୍ୱାରା ଉଦ୍ଧାର କରାଯାଇ ବର୍ତ୍ତମାନ ଭୈରହୱା (ସିଦ୍ଧାର୍ଥନଗର) ଠାରେ ଥିବା ଏକ ଲଜ୍‌ରେ ରଖାଯାଇଛି।

ତ୍ରିଶୂଳୀ ନଦୀର ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇବା ଏବଂ ପ୍ରବଳ ଭୂସ୍ଖଳନ କାରଣରୁ ଯାତ୍ରୀମାନେ ପ୍ରଥମେ ମନୋକାମନା ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ। ପରିସ୍ଥିତି ବିଗିଡ଼ିବାରୁ ନେପାଳ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ରୋପୱେ' ମାଧ୍ୟମରେ ସୁରକ୍ଷିତ ଭାବେ ବାହାର କରିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, କାଠମାଣ୍ଡୁରୁ ପ୍ରାୟ ୨୦୦ କିଲୋମିଟର ପାର୍ବତ୍ୟ ଅଞ୍ଚଳକୁ ଡଙ୍ଗାରେ ଯାତ୍ରା କରିବାର ଯୋଜନା ଥିଲା, କିନ୍ତୁ ପ୍ରାୟ ୭୦ କିଲୋମିଟର ଯିବା ପରେ ନଦୀରେ ଅଚାନକ ବନ୍ୟା ଆସିବାରୁ ସେମାନେ ଅଧାବାଟରୁ ଫେରିବାକୁ ବାଧ୍ୟ ହୋଇଥିଲେ।

ଏହି ୫୧ ଜଣିଆ ଦଳରେ କେରଳରୁ ୪୩ ଜଣ ଥିବାବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ୭ ଜଣ ରହିଛନ୍ତି। କୋଲକାତା ସ୍ଥିତ କୈଳାସ ଟ୍ରାଭେଲ୍ସ ଜରିଆରେ ଏହି ପର୍ଯ୍ୟଟକମାନେ ନେପାଳ ଗସ୍ତରେ ଯାଇଥିଲେ। ଏହି ଟ୍ରାଭେଲ୍ସର ମାଲିକ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ନଳଗୁଣ୍ଡା ପଞ୍ଚାୟତର କୈଳାସ ବିଶ୍ୱାଳ। ଏହି ଦଳରେ ଟୁର୍ ଅପରେଟର୍ କୈଳାସଙ୍କ ସମେତ ୫ ଜଣ ରୋଷେୟା, ଚାନ୍ଦବାଲିର ଟୁନା ଦାଶ ଏବଂ କୋଲକାତାର ସୌରଭ ବାନାର୍ଜୀ ସାମିଲ ଅଛନ୍ତି।

ତ୍ରିଶୂଳୀ ନଦୀର ବନ୍ୟା ଜଳ ରସୁଆ ଜିଲ୍ଲା ସୀମାବର୍ତ୍ତୀ ଲ୍ହେଣ୍ଡେ ଖୋଲା ଏବଂ ଭୋଟେକୋଶୀ ନଦୀ ପ୍ରଣାଳୀକୁ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ କରିଛି। ପର୍ଯ୍ୟଟକମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେମାନେ ଯାତ୍ରା ସମୟରେ ବନ୍ୟା ଜଳ ଏବଂ କାଦୁଅ ଅତଡ଼ା ଖସିବାର ସମ୍ମୁଖୀନ ହୋଇଥିଲେ ଏବଂ ଶେଷରେ ପ୍ରାଣ ବିକଳରେ ମନ୍ଦିରରେ ଆଶ୍ରୟ ନେଇଥିଲେ। ସୌଭାଗ୍ୟବଶତଃ ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସେମାନେ ଭୈରହୱାରେ ରହିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରିବାର ଲୋକଙ୍କ ଆଖିରେ କେବଳ ଗୋଟିଏ ଆଶା,ସୁରକ୍ଷିତ ଫେରିଆସନ୍ତୁ ଆମ ଲୋକ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala