Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ସକାଳ 6 days ago

ଭୁବନେଶ୍ୱର: ଓଡ଼ିଶାରେ ଡ଼ବଲ ଇଞ୍ଜିନ ସରକାର ଆସିଲେ ଚାଷୀଙ୍କ ଆୟ ଦୁଇଗୁଣ ହୋଇଯିବ। ଏପରି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ବିଜେପି। ମାତ୍ର ଦୁଇ ବର୍ଷ ମଧ୍ୟରେ ଚାଷୀ କିପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତାହା ସମସ୍ତେ ଦେଖୁଛନ୍ତି। ପଞ୍ଜୀକରଣଠାରୁ ଆରମ୍ଭ କରି ଧାନ ବିକ୍ରି ପର୍ଯ୍ୟନ୍ତ ଚାଷୀ ଅକଥନୀୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଏହି ସମୟରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଉପସ୍ଥାପିତ ତଥ୍ୟ ରାଜ୍ୟରେ ଚାଷ ସମସ୍ୟା ଓ ଚାଷୀଙ୍କ ଦୁର୍ଦ୍ଦଶାକୁ ଉଜାଗର କରିଛି। ଓଡ଼ିଶାରେ ପ୍ରତି ଚାଷୀ ପରିବାର ପିଛା ବକେୟା ଋଣ ପରିମାଣ ୩୨,୭୨୧ ଟଙ୍କା ବୋଲି କେନ୍ଦ୍ର ସରକାର ତଥ୍ୟ ରଖିଛନ୍ତି । ଏହା ଏନ୍‌ଏସ୍‌ଓର ୭୭ତମ ରାଉଣ୍ଡ ସିଚୁଏସନ ଆସେସମେଣ୍ଟ ସର୍ଭେ ଉପରେ ଆଧାରିତ ବୋଲି କୁହାଯାଉଛି। ତେବେ ବିଡ଼ମ୍ବନା ହେଉଛି ୨୦୨୬ରେ ପ୍ରତ୍ୟେକ ଚାଷୀଙ୍କ ପରିବାରର ହାରହାରି ଋଣ କେତେ ତାହାର ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ ।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଦେଶର ଚାଷୀମାନଙ୍କ ଉପରେ ମୋଟ ବକେୟା ଋଣ ପରିମାଣ ୩୧.୩୫ ଲକ୍ଷ କୋଟି। ଏହାମଧ୍ୟରୁ ଫସଲ ଋଣ ପରିମାଣ ୧୬.୩୪ ଲକ୍ଷ କୋଟି ଓ ଅବଧି ଋଣ ପରିମାଣ ୧୫ ଲକ୍ଷ କୋଟିରୁ ଅଧିକ। ଦେଶରେ ସକ୍ରିୟ ଥିବା ୭,୭୨ କୋଟି କିସାନ କ୍ରେଡ଼ିଟ୍‌ କାର୍ଡଗୁଡ଼ିକ ଉପରେ ବକେୟା ଋଣ ୧୦ ଲକ୍ଷ କୋଟି ଅତିକ୍ରମ କରିଛି । ଓଡ଼ିଶାରେ ମଧ୍ୟ ସ୍ଥିତି ତଦନୁରୂପ । ରାଜ୍ୟ ସରକାର ଧାନ କ୍ରୟରେ ରେକର୍ଡ କରିଥିବା କୁହାଯାଉଛି । ଖରିଫ୍‌ ୨୦୨୫-୨୬ ମାର୍କେଟିଂ ସିଜନ୍‌ରେ ୭୭.୭୮ ଲକ୍ଷ ଟନ୍‌ ଧାନ କ୍ରୟ କରାଯାଇଛି ଓ ୧୩.୬୯ ଲକ୍ଷ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କା ପ୍ରଦାନ କରାଯାଉଛି। ଏପରିକି ଇନ୍‌ପୁଟ ସହାୟତା ବାବଦରେ ୩,୯୮୫.୬୩ କୋଟି ଟଙ୍କା ସରକାର ପ୍ରଦାନ କରିଥିବା ମଧ୍ୟ ସୂଚନା ଦେଇଛନ୍ତି । ଏହା ସତ୍ତ୍ବେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ତ ଦୂରର କଥା, କରଜ ପରିମାଣ ବଢ଼ିବଢ଼ି ଚାଲିଛି । ଓଡ଼ିଶାରେ ଚାଷୀମାନେ ଚାଷ ପାଇଁ ବ୍ୟାଙ୍କ ଓ ସମବାୟ ସଂସ୍ଥାରୁ ଋଣ ନେଉଛନ୍ତି, ଋଣୀ ଚାଷୀଙ୍କ ସଂଖ୍ୟା ବଢ଼ୁଛି । ମାତ୍ର ଆୟ ବୃଦ୍ଧି ନ ହେବାରୁ ଚାଷୀମାନେ ଋଣ ପରିଶୋଧ କ୍ଷମତା ହରାଇଛନ୍ତି ।

ଓଡ଼ିଶାରେ ଚାଷ ଖର୍ଚ୍ଚ ବୃଦ୍ଧି, ସାର-କୀଟନାଶକ ଦର, ଶ୍ରମିକ ମଜୁରି, ଅନିୟମିତ ବର୍ଷା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ଆୟକୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala