Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ସକାଳ 1 week ago

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳସମ୍ପଦ ବିଭାଗକୁ ପୁଣିଥରେ ସତର୍କ କରାଇ ଦିଆଯାଇଛି। ବିଶେଷକରି ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଥିବା ବେଳେ ବର୍ତ୍ତମାନ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ବାରିପଦା ଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତ ପାଖାପାଖି ପହଞ୍ଚିଛି। ବାରିପଦା ସହରର ୱାର୍ଡ ନମ୍ବର ୭ ଏବଂ ୮ର ବିଭିନ୍ନ ଅଞ୍ଚଳରେ ପାଣି ପଶିଯିବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି, ଯେଉଁଥିରେ ବାଙ୍ଗିରିପୋଷିରେ ସର୍ବାଧିକ ୩୦୯.୨ ମିଲିମିଟର ଏବଂ ସାରସକଣାରେ ୨୯୭ ମିଲିମିଟର ବର୍ଷା ହୋଇଛି।

ପଡ଼ୋଶୀ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ସଡ଼କ ପୋଲ ନିକଟରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟର ଛୁଇଁଛି। ଅଧିକାରୀଙ୍କ ଆକଳନ ଅନୁଯାୟୀ ଏହା ଆହୁରି ବୃଦ୍ଧି ପାଇ ୭.୪୦ ମିଟର ପର୍ଯ୍ୟନ୍ତ ଯାଇପାରେ। ଏହାଦ୍ୱାରା ବସ୍ତା ଏବଂ ସଦର ବ୍ଲକର ଅନେକ ପଞ୍ଚାୟତ ପ୍ଲାବିତ ହେବାର ଆଶଙ୍କା ରହିଛି। ସେହିପରି ଭଦ୍ରକର ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ସକାଳ ୬ଟା ସୁଦ୍ଧା ୧୮.୨୦ ମିଟରରେ ପ୍ରବାହିତ ହେଉଥିଲା, ଯେତେବେଳେ କି ଏହାର ବିପଦ ସଙ୍କେତ ହେଉଛି ୧୮.୩୩ ମିଟର। ଯାଜପୁରର ଦଶରଥପୁର ବ୍ଲକ ଗତ ଜୁଲାଇ ମାସରୁ ପ୍ରାୟ ୫୬ ଦିନ ଧରି ବନ୍ୟା ପ୍ରଭାବରେ ରହିଥିବା ବେଳେ ବର୍ତ୍ତମାନର ସ୍ଥିତି ଲୋକଙ୍କ ଚିନ୍ତା ବଢ଼ାଇଛି।

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀକୂଳିଆ ଲୋକଙ୍କୁ ସତର୍କ କରାଯାଇଛି ଏବଂ ନଦୀ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ କ୍ୟାମ୍ପ, ଉଦ୍ଧାରକାରୀ ଦଳ ଏବଂ ଖାଦ୍ୟ, ପାନୀୟ ଜଳ ଓ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ପ୍ରସ୍ତୁତ ରଖାଯାଇଛି। ଉତ୍ତର ଓଡ଼ିଶାରେ ଲଗାତାର ବର୍ଷା ଓ ବନ୍ୟା ସ୍ଥିତି କାରଣରୁ ନିଜର ଧାନ ଫସଲ ନଷ୍ଟ ହେବା ନେଇ ଚାଷୀମାନେ ଗଭୀର ଚିନ୍ତାରେ ଅଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala