Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ ;ବିଦ୍ୟୁତ ତାର ସ୍ଥାନାନ୍ତର ପାଇଁ ଦାବି

ସମାଜ 1 week ago

ବାଣପୁର: ସୋମବାରେ ବାଣପୁର ବ୍ଳକ ଦେଓଗାଁଁ ପଞ୍ଚାୟତ ଅନ୍ତର୍ଗତ ଘାସଡ଼ିହ ନୂଆସାହିରେ ଉଚ୍ କ୍ଷମତା ସଂପନ୍ନ ୧୧ କିଲୋ ଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଘାସଡିହ ଗ୍ରାମର ସ୍ୱର୍ଗତ ଦାଶରଥି ସାହୁଙ୍କ ପୁଅ ସହଦେବ ସାହୁ (୨୦) । ତେବେ ସମ୍ପର୍କୀୟ ଓ ପରିବାର ଲୋକେ ଗାଁ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କରିବାରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ପୁଲିସ ବୁଝସୁଝା କରିବାରେ ରାସ୍ତା ଅବରୋଧ ହଟିଥିଲା । ନାଚୁଣୀ ଥାନା ଘାସଡିହ ନୂଆସାହିର ଯୋଗୀ ପାଢ଼ୀଙ୍କ ଘର ନିର୍ମାଣ ଚାଲିଛି । ଏହି ନିର୍ମାଣ କାମରେ ସହଦେବ ସହାୟକ ଭାବେ କାର୍ଯ୍ୟ କରୁଥିଲେ । ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଅସାବଧାନତା ବଶତଃ ସହଦେବ ଘର ଉପରେ ଯାଇଥିବା ଉଚ୍ଚ କ୍ଷମତା ସଂପନ୍ନ ୧୧ କିଲୋ ଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ।

ବିଦ୍ୟୁତ ଆଘାତରେ ସହଦେବ କଚାଡି ହୋଇ ପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲେ । ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନାଚୁଣୀ ପୁଲିସ ଏକ ଅସ୍ୱାଭାବିକ ମୃତ୍ୟୁ ମକଦ୍ଦମା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

ତେବେ ମୃତ ସହଦେବଙ୍କ ପରିବାର ଓ ସମ୍ପର୍କୀୟ ଗାଁ ରାସ୍ତାରେ ମୃତଦେହ ରଖି କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଗାଁର ୨୦ରୁ ଉର୍ଦ୍ଧ୍ୱ ପରିବାରର ଘର ଛାତ ଉପରେ ଉଚ୍ଚ କ୍ଷମତା ସଂପନ୍ନ ୧୧ କେଭି ବିଦ୍ୟୁତ ତାର ଯାଇଥିବାରୁ ବିପଦ ଆଶଙ୍କାରେ ଗ୍ରାମବାସୀମାନେ ବାରମ୍ବାର ସ୍ଥାନୀୟ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାର ହଟାଇବା ପାଇଁ ବିଭାଗ ତରଫରୁ କୈାଣସି କାର୍ଯ୍ୟାନୃଷ୍ଠାନ ଗ୍ରହଣ କରା ଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ୧୧ କେଭି ବିଦ୍ୟୁତ ତାର ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia