ସମାଜ ଡେସ୍କ: କ୍ଷୁଦ୍ର ୟୁରୋପୀୟାନ ଦେଶ ଆଇଲ୍-ଅଫ-ମ୍ୟାନ୍ର ମହିଳା କ୍ରିକେଟର୍ ଜୋଆନ୍ ହିକ୍ ଏକ ବିରଳ କୀର୍ତିମାନ ସ୍ଥାପନ କରିଛନ୍ତି । ୫୧ ବର୍ଷ ବୟସରେ ସେ ଗୋଟିଏ ଇନିଂସରେ ୫ ୱିକେଟ୍ ନେଇ ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ଗ୍ରୀସ ବିପକ୍ଷ ଏକ ମ୍ୟାଚ୍ରେ ସେ ୧୦ ରନ୍ ଦେଇ ୫ ୱିକେଟ ହାସଲ କରିଛନ୍ତି ଯାହା ୯୦ ବର୍ଷର ରେକର୍ଡକୁ ଭାଙ୍ଗିଛି ।
୧୯୭୫ ମସିହାରେ ଜନ୍ମିତ ଏହି ମହିଳା କ୍ରିକେଟର ବିଳମ୍ବରେ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ସ୍ପିନ୍ ଯାଦୁରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ତାଙ୍କ ଘାତକ ବୋଲିଂ ଯୋଗୁ ପ୍ରତିପକ୍ଷ ଗ୍ରୀସ୍ ଦଳ ନିର୍ଦ୍ଧାରିତ ୧୫ ଓଭରରେ ମାତ୍ର ୫୨ ରନ୍ କରି ଅଲ ଆଉଟ୍ ହୋଇଯାଇଥିଲେ । ଏତେ ବୟସରେ ଗୋଟିଏ ଇନିଂସରେ ୫ ୱିକେଟ୍ ନେବାର ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆର ବର୍ଟ ଆଇରନ ମୋଙ୍ଗେରଙ୍କ ନାମରେ ଥିଲା । ୧୯୩୨ ମସିହାରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳା ଯାଇଥିବା ଏକ ମ୍ୟାଚ୍ରେ ବର୍ଟ ୫ ୱିକେଟ ହାସଲ କରିଥିଲେ । ସେତେବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଆଇଲ୍-ଅଫ-ମ୍ୟାନ ହେଉଛି ଆଇରିସ୍ ସାଗରରେ ଗ୍ରେଟ୍ ବ୍ରିଟେନ ଓ ଆୟରଲ୍ୟାଣ୍ଡ ମଝିରେ ଥିବା ଏକ କ୍ଷୁଦ୍ର ସ୍ୱାଧୀନ ଦେଶ ଯାହାର ଜନସଂଖ୍ୟା ମାତ୍ର ୮୫,୦୦୦ ।
