ଭୁବନେଶ୍ୱର: ଜୁଲାଇ ୯ରେ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ସଫଳ କରିବା ନିମନ୍ତେ ଶନିବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା, ପ୍ରୋଟୋକଲ, ଯାତାୟାତ, ଚିକିତ୍ସା, ମୌଳିକ ସୁବିଧା ଏବଂ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ସମ୍ପର୍କରେ ସମୀକ୍ଷା କରାଯାଇ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।
ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଉପରାଷ୍ଟ୍ରପତି ସେଦିନ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ସେ ଖୋରଧା ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନର ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିବେ। ଉପରାଷ୍ଟ୍ରପତିଙ୍କ ସମଗ୍ର ଗସ୍ତ ସମୟରେ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ୍, ପାନୀୟଜଳ, ଅଗ୍ନି ନିର୍ବାପନ, ସ୍ବଚ୍ଛତା, ସଡ଼କ ମରାମତି, ଚିକିତ୍ସା ସେବା, ଆମ୍ବୁଲାନ୍ସ, ଯାନବାହନ ବ୍ୟବସ୍ଥା ଆଦିକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସଂପୃକ୍ତ ବିଭାଗ ଗୁଡିକୁ ଶ୍ରୀମତୀ ଗର୍ଗ ନିର୍ଦେଶ ଦେଇଛନ୍ତି। ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ ମହାନିର୍ଦେଶକ ୱାଇ.
ବି. ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଏନ୍. ତିରୁମାଳା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
