Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଦିନ ସାଢ଼େ ୨ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ସମାଜ 3 days ago

ପୁରୀ: ବୁଧବାର ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ଉଠିବା ପରେ ଏହି ନୀତି କରାଯିବ। ନୀତି ଶେଷ ହେବା ପରେ ଶ୍ରୀଜୀଉଙ୍କ ମହାସ୍ନାନ କରାଯିବ। ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ଓଲାଗି ହୋଇଥିବା ସ୍ୱର୍ଣ୍ଣନିର୍ମିତ ରାହୁରେଖା ଅଳଙ୍କାର ପୁନର୍ବାର ବୁଧବାର ମହାପ୍ରଭୁଙ୍କ ଶ୍ରୀମୁଖରେ ଲାଗି ହେବ।

ରାହୁରେଖା ଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଦିନ ପ୍ରାୟ ସାଢ଼େ ୨ଟାରୁ ସଂଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଥାଉକି, ବିଗ୍ରହମାନଙ୍କ ଶ୍ରୀମୁଖରେ ସ୍ୱର୍ଣ୍ଣନିର୍ମିତ ଏକ ବଳୟ ପଟିକୁରାହୁରେଖା କୁହାଯାଏ। ଗୋପାଳବଲ୍ଲଭ ଭୋଗ ବଢ଼ିବା ପରେ ତଢ଼ାଉକରଣ ଓ ଦେଉଳକରଣ ଭଣ୍ଡାର ମେକାପଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିଥା'ନ୍ତି। ବେହେରଣ ଦ୍ୱାର ନିକଟରେ ଥିବା ଶ୍ରୀମନ୍ଦିର ବଣିଆ ସେବକ ଉକ୍ତ ରାହୁରେଖାକୁ ମାଜି ସଫା କରିଥା'ନ୍ତି। ଭୋଗମଣ୍ଡପ ନୀତି ବଢ଼ିବା ପରେ ପାଳିଆ ସେବକ ଓ ଦଇତାପତି ସେବକମାନେ ଜୟବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ରାହୁରେଖା ଲାଗି କରିଥା'ନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia