Friday, 05 Jun, 6.19 am ସମାଜ

ସମ୍ପାଦକୀୟ
ଆମେ କେବେ ଶିଖିବା?

ଆଶା କରାଯାଉଥିଲା କରୋନା ମହାମାରୀ ପରେ ସାମାଜିକ ଚିତ୍ର ଓ ଚରିତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଘଟିବ। ଆଉ କିଛି ହେଉ ବା ନ ହେଉ ଆମ ଚାଲି-ଚଳଣି ଓ ଆଚାର-ବ୍ୟବହାରରେ ସଂଯମ ଓ ଶୃଙ୍ଖଳା ଆସିବ। ଆମର ଦେହସୁଆ ହୋଇସାରିଥିବା ତ୍ରୁଟିଗୁଡ଼ିକୁ ଆମେ ସୁଧାରି ନେବୁ। ବଦଭ୍ୟାସକୁ ବଦଳାଇ ଜୀବନକୁ ମାର୍ଜିତ କରିବୁ, କିନ୍ତୁ ସେପରି କିଛି ହୋଇନାହିଁ। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସରୁ ନ ସରୁଣୁ ଆମେ ଉଚ୍ଛୃଙ୍ଖଳ ଜୀବନଶୈଳୀକୁ ପୁଣି ଥରେ ଆପଣେଇ ନେଇଛୁ। ବ୍ୟଗ୍ରତା ପାଇଁ ସଂଯମକୁ ବଳି ଦେଇଛୁ। ବିଶେଷକରି ଶୃଙ୍ଖଳିତ ଜୀବନଶୈଳୀର ଯେଉଁ କ୍ଷୀଣ ଆଶାଟିଏ ଲକଡାଉନ୍ ଅବଧି ମଧ୍ୟରେ ଉଙ୍କି ମାରିଥିଲା ତାହା ସମ୍ପୂର୍ଣ୍ଣ ମଉଳି ଯାଇଛି।
ବୁଦ୍ଧିଜୀବୀ, ଚିନ୍ତାନାୟକ, ଅଧ୍ୟାତ୍ମବାଦୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ପରିବେଶବିତ୍‌ମାନେ ଉଦ୍‌ଘୋଷଣା କରିଥିଲେ ଯେ ମହାମାରୀ କରୋନା ଆମକୁ ଅନେକ ଶିକ୍ଷା ଦେଇଛି। ପରିବେଶ ସୁରକ୍ଷା ସହିତ ସୁସ୍ଥ ସହାବସ୍ଥାନ ଓ ନୀରୋଗ ଜୀବନଯାପନ ପାଇଁ ଆମେ ପୂର୍ବାପେକ୍ଷା ବେଶ୍ ସଚେତନ ହୋଇଯାଇଛୁ। ଏହି ମହାସଙ୍କଟ କାଳରେ ଆମକୁ ଯେଉଁ ଉପଲବ୍ଧି ମିଳିଛି ତାକୁ ଆଧାର କରି ଆମେ ଜୀବନ, ସମାଜ ଓ ପରିବେଶକୁ ନୂଆ କରି ଗଢ଼ି ତୋଳିବାକୁ ଉଦ୍ୟମ କରିବୁ। ଏହି ମାତ୍ର କିଛିଦିନର କାର୍ଯ୍ୟକଳାପକୁ ଦେଖିଲେ ଜଣାପଡ଼ୁଛି ଯେ କୋଭିଡ୍ – ୧୯ ମହାମାରୀ କେବଳ ଧନ ଓ ପ୍ରାଣ ହାନି ବ୍ୟତୀତ ଆମ ଉପରେ ଆଉ ସେମିତି କିଛି ବିଶେଷ ପ୍ରଭାବ ବିସ୍ତାର କରିପାରିନି। ବିଶେଷକରି ଆମ ଚିନ୍ତା ଚେତନା ଉପରେ ତିଳେ ମାତ୍ର ପ୍ରଭାବ ପଡ଼ିନାହିଁ। ପୁଲିସ-ପ୍ରଶାସନ ଓ ଆଇନ-ଜୋରିମାନାର କିଞ୍ଚିତ ଭୟରେ ଆମେ କେବଳ ବାଧ୍ୟବାଧକତାରେ କିଛିଦିନ ପାଇଁ ନିଜକୁ ଆବଦ୍ଧ ରଖିଥିଲୁ। ବାକି ସବୁ କିଛି ଗତାନୁଗତିକ ଧାରାରେ ଚାଲିଛି ଓ ଚାଲୁଥିବ ମଧ୍ୟ।
କରୋନା ମହାମାରୀର ସଙ୍କଟ ଏବେ ଟଳିବା ଦୂରେ ଥାଉ, ଆହୁରି ଭୟଙ୍କର ହେବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏହି ସଙ୍କଟ କାଳରେ ନିଜେ ନିଜକୁ ସୁରକ୍ଷିତ ରଖିବା ବ୍ୟତୀତ ବିକଳ୍ପ ନାହିଁ ବୋଲି ବାରମ୍ବାର ସଚେତନ କରି ଆସୁଛନ୍ତି। ଜୋରିମାନା ବ୍ୟବସ୍ଥାକୁ ଆହୁରି କଠୋର କରାଯାଇଛି। ଅଥଚ ରାସ୍ତା-ଘାଟ, ଦୋକାନ-ବଜାର ଆଦିରେ ଆମ ଆଚରଣ ଦେଖିଲେ ଲାଗୁଛି ନା ତ ଆମେ ଆମ ଜୀବନକୁ ଭ୍ରୂକ୍ଷେପ କରୁଛୁ ନା ସେଭଳି ଚେତାବନୀ ଓ କଟକଣାର ଆମ ଆବଶ୍ୟକତା ଆଗରେ କିଛି ମୂଲ୍ୟ ରହିଛି। କହିବା ଅନାବଶ୍ୟକ ଯେ ଏହାଦ୍ୱାରା ଆମେ ନିଜ ସହିତ ଆମ ପରିବାର ଓ ସମଗ୍ର ସମାଜ ପାଇଁ ବିପଦ ଡାକି ଆଣୁଛୁ।
ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ବେଳେ ଦୋକାନ ବଜାର ଆଗରେ ଲକ୍ଷ୍ମଣରେଖା ମଧ୍ୟରେ ଲୋକମାନେ ଛିଡ଼ା ହେବାର ଦୃଶ୍ୟ ଦେଖି ଲାଗୁଥିଲା ମାନବ ସମାଜରେ ଅଭୂତପୂର୍ବ ସଚେତନତାର ଅଭ୍ୟୁଦୟ ହେବାକୁ ଯାଉଛି, କିନ୍ତୁ ମାତ୍ର କିଛିଦିନ ମଧ୍ୟରେ ସବୁ ଧାରଣା ବଦଳିଗଲା। ସପ୍ତାହେ ପୂର୍ବରୁ କିଣାକିଣି, ଯାତାୟାତ ବେଳେ ଯେଉଁ ଶୃଙ୍ଖଳା ଦେଖିବାକୁ ମିଳୁଥିଲା ତାହା କୁଆଡ଼େ ଉଭେଇ ଗଲା। ବ୍ୟକ୍ତି ସମାନ, ଆବଶ୍ୟକତା ମଧ୍ୟ ସମାନ, କିନ୍ତୁ ସମୟ ଗଡ଼ିବା ସହିତ ଆଚରଣର ଏହି ଭିନ୍ନତା ଅବିଶ୍ୱସନୀୟ। ଚାହିଦାର ଉଦ୍‌ବିଗ୍ନତାର କିଛି ଅବିଶ୍ୱସନୀୟ ଦୃଶ୍ୟ ଲକ୍‌ଡାଉନ୍ ଅବଧି କୋହଳ ହେବା ପୂର୍ବରୁ ମଧ୍ୟ ମଝିରେମଝିରେ ଦେଖିବାକୁ ମିଳୁଥିଲ। ମଦ ଦୋକାନ ଖୋଲିବା ନିଷ୍ପତ୍ତି ପରେ ଯେଭଳି ଭାବରେ ଦୋକାନ ଆଗରେ ଲମ୍ବା ଲାଇନ୍ ଓ ଠେଲାପେଲାର ଦୃଶ୍ୟ ଦେଖାଗଲା, ସାବିତ୍ରୀ ପୂର୍ବରୁ ଫଳ ବଜାର ଆଗରେ ଯେଉଁ ଭିଡ଼ ହେଲା, ସେଥିରୁ ପୂର୍ବାନୁମାନ କରିବା କଷ୍ଟକର ନଥିଲା ଯେ ଆମେ ଆଦୌ ସୁଧୁରି ନାହୁଁ; ବେଳକାଳ ଦେଖି ଆମେ ପୁଣି ଆମ ପୂର୍ବଜୀବନକୁ ଫେରିଯିବା ପାଇଁ ସବୁବେଳେ ତତ୍ପର ଅଛୁ।
ନିଜ ଜୀବନ ପ୍ରତି ନିଜେ ସଚେତନ ନଥିବା ଲୋକଙ୍କୁ ଶୃଙ୍ଖଳା ଓ ସଂଯମର ପାଠ ପଢ଼ାଇବା ପାଇଁ ପୁଲିସ-ପ୍ରଶାସନ ପ୍ରାଣପଣେ ଯଥାସାଧ୍ୟ ଉଦ୍ୟମ କଲେ। ଅଥଚ ଆମେ ତାଙ୍କୁ ଅସୂୟା ଦୃଷ୍ଟିରେ ଦେଖିଲୁ। ମାନବାଧିକାର ଓ ନାଗରିକ ଅଧିକାରର ଦ୍ୱାହି ଦେଲୁ। ସେମାନଙ୍କୁ ଗାଳି ଦେଲୁ। ପୁଲିସ ଆଖିରେ ଧୂଳି ଦେଇ ଅବାଧ ବିଚରଣକୁ ଚରିତାର୍ଥ କରିବା ନିମନ୍ତେ ନାନା ଫନ୍ଦିଫିକର କଲୁ। ଏ ସବୁ ସତ୍ତ୍ୱେ ସେତେବେଳେ ଯେଉଁମାନେ ଚିନ୍ତା କରୁଥିଲେ ଯେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ହୁଏତ ଅମାନିଆଙ୍କୁ ବାଟକୁ ଆଣିବ ଏବଂ ଦେଖାଦେଖି ଅନ୍ୟମାନେ ନିଜ ଆଚରଣରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେବେ ଏବେ ସେମାନେ ନିଜ ବିଚାରଧାରାକୁ ନେଇ ମର୍ମାହତ ଓ ଲଜ୍ଜିତ ଅନୁଭବ କରୁଥିବେ। ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେବାକୁ ଯାଉଥିବା ଏ ପର୍ଯ୍ୟନ୍ତ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଗତ ୨୪ ଘଣ୍ଟାର ସଂକ୍ରମଣ ଗତିକୁ ଦେଖିଲେ ଏହି ଆଶଙ୍କା ଏଡ଼ାଇ ଦେଇ ହେବ ନାହିଁ।
ଯଦି ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୁଏ ତେବେ ସେଥିପାଇଁ ଦାୟୀ କିଏ? ଏହାର ନିର୍ଦ୍ବନ୍ଦ୍ବ ଅଥଚ ଅପ୍ରିୟ ଉତ୍ତର ହେବ ସମ୍ପୂର୍ଣ୍ଣ ରୂପେ ଆମେ ଓ ଆମ ଆଚରଣ ହିଁ ଦାୟୀ; ପ୍ରବାସୀ ଶ୍ରମିକ କିମ୍ବା ଜମାତି ନୁହନ୍ତି। ଆମ ଉଚ୍ଛୃଙ୍ଖଳ ଆଚରଣ ପାଇଁ ଯେତେବେଳେ ଆମ ପରିବାର ସଦସ୍ୟ ଆକ୍ରାନ୍ତ ହୁଅନ୍ତି ତେବେ ଆମେ କାହାକୁ ଉତ୍ତରଦାୟୀ କରିବା? ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଆମ କୃତକର୍ମ ହିଁ ଦାୟୀ ହେବ। ଏ ସବୁ ପରେ ମଧ୍ୟ ପ୍ରଶ୍ନ ଉଠୁଛି ଆମେ କେବେ ଶିଖିବା? ଆଉ କେତେ ଜୀବନ ଗଲେ, ଅର୍ଥନୀତିର ଗତି ଆଉ କେତେ ନିମ୍ନଗାମୀ ହେଲେ, ଆମ ଜୀବନ ଜୀବିକା ଆଉ କେତେ ବିପନ୍ନ ହେଲେ ଆମେ ନିଜକୁ ସୁଧାରିବା ପାଇଁ ଯତ୍ନବାନ ହେବା? ଆମେ ହୁଏତ ଭୁଲି ଯାଉଛେ ଆମେ ହିଁ ଆମର ଶତ୍ରୁ ଓ ଆମେ ହିଁ ଆମର ମିତ୍ର।
ଆଜି ହିନ୍ଦୁ ଧର୍ମ ସଂସ୍କୃତି ତଥା ଅଗଣିତ ବିଶ୍ୱବାସୀଙ୍କ ଭକ୍ତି ଓ ବିଶ୍ୱାସର ପରିଚାୟକ ଦେବସ୍ନାନ ପୂର୍ଣ୍ଣିମା। ଭକ୍ତ ହିଁ ଯାହାଙ୍କର ପରିଚୟ ସେହି ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥ ମଧ୍ୟ ଆଜି ସମୟ ଆଗରେ ନାଚାର। ସ୍ନାନବେଦୀକୁ ଆସିବେ, ଅଥଚ ହୁଳହୁଳି-ହରିବୋଲର କୋଳାହଳ ନଥିବ; ଭକ୍ତଙ୍କ ସହିତ ଏକାକାର ହେବା ପାଇଁ ଯିଏ ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଧୂଳିଧୂସରିତ ହେବା ପାଇଁ ବ୍ୟଗ୍ର ଆଜି ତାଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ଭକ୍ତଙ୍କୁ ଦୂରେଇ ରଖିବା ପାଇଁ ୧୪୪ ଧାରା ଜାରି ହୋଇଛି। ଏହାଠାରୁ ବଡ଼ ଜାଗତିକ ବିଡ଼ମ୍ବନା ଆଉ କ'ଣ ହୋଇପାରେ? ଏହି ବିଡ଼ମ୍ବନା ପାଇଁ ଦାୟୀ କିଏ ତାହାର ଉତ୍ତର ଖୋଜିବା ଅନାବଶ୍ୟକ। ଅନୁଶୋଚନାର ଛଳନାରେ ଆମେ ଅନେକ ମୂଲ୍ୟବାନ ସମୟ ନଷ୍ଟ କରିସାରିଛୁ। ଅଳିକ ଆତ୍ମବିଳାପ, କ୍ଷଣିକ ପଶ୍ଚାତ୍ତାପ ଓ ଏହି ଦୋଷଦର୍ଶୀ ଧାରାର ବୋଧହୁଏ ଅନ୍ତ ନାହିଁ। ଏହା ମଧ୍ୟରେ ଅବଶ୍ୟ କ୍ଷୀଣ ସ୍ୱରଟିଏ କେତେବେଳେ କେମିତି କାହା ମନରୁ ଜନ୍ମ ନେଉଥିବ – ଆମେ କେବେ ଚେତିବା?

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Samaja Odia
Top
// // // // $find_pos = strpos(SERVER_PROTOCOL, "https"); $comUrlSeg = ($find_pos !== false ? "s" : ""); ?>