ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଉତ୍ତେଜନା ପାଇଁ ଦେଶରେ ଦରଦାମ୍ ବୃଦ୍ଧି ପାଇଛି। ତେଲ,ଡାଲି, ଚିନି ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବଢ଼ିଛି। ଲୋକଙ୍କ ପକେଟ ଉପରେ ବୋଝ ବଢ଼ିଥିବା ସତ୍ତ୍ବେ ଦେଶର ଅର୍ଥନୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଆକଳନଠାରୁ ଅଧିକ ମଜଭୁତ ରହିଛି। ଚଳିତ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲରୁ ଜୁନ)ରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୮ ପ୍ରତିଶତ ରହିଛି।
କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ବିଭାଗ ପକ୍ଷରୁ ଜାରି ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହି ଅବଧିରେ ଜିଡିପି ୭ ପ୍ରତିଶତ ହାରରେ ବଢ଼ିବ ବୋଲି ଆରବିଆଇ ପୂର୍ବରୁ ଆକଳନ କରିଥିଲା। ଗତ ବର୍ଷ ସମାନ ଅବଧିରେ ଜିଡିପି ୬.୯ ପ୍ରତିଶତ ହାରରେ ବଢ଼ି ଥିଲା। ଅର୍ଥ, ରିୟଲ ଇଷ୍ଟେଟ, ଆଇଟି ଓ ବୃତ୍ତିଗତ ସେବା କ୍ଷେତ୍ର ୧୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ତେଣୁ ଦରଦାମ ବୃଦ୍ଧିର ପ୍ରଭାବ ଜିିଡିପି ଅଭିବୃଦ୍ଧି ହାର ଉପରେ ପଡ଼ି ନାହିଁ।
ଅର୍ଥନୀତିର ଏହି ଗତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 'ସାରା ବିଶ୍ବରେ ସଙ୍କଟ ଓ ତୈଳ ଦର ବୃଦ୍ଧି ସତ୍ତ୍ବେ ଚଳିତ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିଛି। ଏହା ଦେଶବାସୀଙ୍କ ସାମର୍ଥ୍ୟର ଫଳ। ମାନ୍ଦାବସ୍ଥା ଆଶଙ୍କା କରିିଥିବା ଲୋକେ ତଥା ନିନ୍ଦୁକ ପଛରେ ରହିଗଲେ ଏବଂ ଭାରତ ପୁଣିଥରେ ବଡ଼ ସଫଳତା ହାସଲ କଲା।' ପରିସଂଖ୍ୟାନ ମନ୍ତ୍ରାଳୟ (ଏମଓଏସପିଆଇ) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ବାସ୍ତବ ଜିଡିପି ୭.୮ ପ୍ରତିଶତ ହାରରେ ବଢ଼ି ୮୧.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି। ବର୍ଷେ ତଳେ ଏହା ୭୫.୪୬ ଲକ୍ଷ କୋଟି ଥିଲା। ସେହିପରି ବାସ୍ତବ ଗ୍ରସ ଭାଲ୍ୟୁ ଆଡେଡ (ଜିଭିଏ) ୮.୨ ପ୍ରତିଶତ ବଢ଼ି ୭୩.୮୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଏହା ବ୍ୟତୀତ ନାମମାତ୍ର ଜିଡିପି ୧୦.୩ ପ୍ରତିଶତ ବଢ଼ିଛି। ଏବେ ଏହା ୮୮.୨୭ ଲକ୍ଷ କୋଟିରେ ପହଞ୍ଚି ଯାଇଛି। ଗତ ବର୍ଷର ସମାନ ଅବଧିରେ ଏହା ୮୦ ଲକ୍ଷ କୋଟି ଥିଲା। ନାମମାତ୍ର ଜିଭିଏ ମଧ୍ୟ ୧୧.୫ ପ୍ରତିଶତ ବୃଦ୍ଧି ପାଇ ୮୦.୫୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଅନ୍ୟପଟେ ଉଦ୍ୟୋଗ କ୍ଷେତ୍ରରେ ଉତ୍ପାଦନ କ୍ଷେତ୍ର ଭଲ ପ୍ରଦର୍ଶନ କରିଛି। ଏହା ୯.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଗତ ବର୍ଷର ପ୍ରଥମ ତ୍ରୈମାସିକରେ ଏହା ୮.୩ ପ୍ରତିଶତ ଥିଲା। ସେହିପରି ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର ୭.୭ ପ୍ରତିିଶତ ରହିଛି। ଏହା ଗତ ବର୍ଷ ୫.୨ ପ୍ରତିଶତ ଥିଲା। ଏହି ଫଳାଫଳକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତୀୟଙ୍କ କଠିନ ପରିଶ୍ରମ ପାଇଁ ଏହି ସଫଳତା ମିଳିଛି। ଏଥି ସହିତ ଏନଡିଏ ସରକାର ଆଣିଥିବା ସଂସ୍କାର ଓ ଅର୍ଥନୀତିର ସୁପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସମସ୍ତ ନାଗରିକଙ୍କ ପାଇଁ ଆର୍ଥିକ ସୁଯୋଗର ମାର୍ଗ ପ୍ରଶସ୍ତ କରିବାକୁ ସରକାର ପ୍ରତିବଦ୍ଧ ବୋଲି ନିର୍ମଳା କହିଛନ୍ତି।
ସୂଚନାଯୋଗ୍ୟ ଯେ ଆମେରିକା-ଇରାନ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଓ ଗ୍ୟାସ ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଛି। ଏହା ଫଳରେ ବିଶ୍ବର ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଛି। ଭାରତରେ ପେଟ୍ରୋଲ-ଡିଜେଲ, ଗ୍ୟାସ ସହିତ ଅନ୍ୟ ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ସାଧାରଣତଃ ଇନ୍ଧନ ମୂଲ୍ୟ ଓ ଦରଦାମ ବୃଦ୍ଧି ଦ୍ବାରା ଆର୍ଥିକ କାର୍ଯ୍ୟକଳାପ ମନ୍ଥର ହୋଇଯାଇଥାଏ। ମାତ୍ର ଏହାର ସେଭଳି ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ି ନାହିଁଁ। ଚାପ ସତ୍ତ୍ବେ ଜିଡିପି ୭.୮ ପ୍ରତିଶତ ହାରରେ ବଢ଼ିଛି। ଏହି ସମୀକ୍ଷାଧୀନ ଅବଧିରେ ଘରୋଇ ଚାହିଦା ଓ ନିବେଶ ବୃଦ୍ଧି ପାଇଥିଲା ବୋଲି ତଥ୍ୟରୁ ଜଣାପଡୁଛି। ପ୍ରଥମ ତ୍ରୈମାସିକରେ ଯାତ୍ରୀବାହୀ ଗାଡ଼ି ପଞ୍ଜୀକରଣ ୧୩.୯ ପ୍ରତିଶତ ଓ ଘରୋଇ ଗାଡ଼ି ପଞ୍ଜୀକରଣ ଯଥାକ୍ରମେ ୧୫.୯ ପ୍ରତିଶତ ବୃଦ୍ଧି ପାଇଥିଲା। ଏହା ସାଧାରଣ ଉପଭୋକ୍ତାଙ୍କ କ୍ରୟ କ୍ଷମତା ଓ ବିଶ୍ବାସ ମଜଭୁତ ହୋଇଛି ବୋଲି ଦର୍ଶାଉଛି। ଅପରପକ୍ଷେ ବ୍ୟାଙ୍କିଂ ବ୍ୟବସ୍ଥାରେ ଏବେ ବି ନଗଦ କାରବାର ଧାରା ବଳବତ୍ତର ରହିଛି। ଅଗଷ୍ଟ ଶେଷ ସୁଦ୍ଧା ଦେଶର ସରପ୍ଲସ ଲିକ୍ବିଡିଟି (ଅତିରିକ୍ତ ନଗଦ ତଥା କ୍ୟାସ) ପ୍ରାୟ ୫ ଲକ୍ଷ କୋଟିରେ ପହଞ୍ଚି ଯାଇଛି। ଗତ ଚାରିମାସରେ ଏହା ସର୍ବାଧିକ। ସରକାରୀ ବ୍ୟୟ ଓ ବିଦେଶୀ ମୁଦ୍ରା ଭଣ୍ଡାର ବୃୃଦ୍ଧି ଦ୍ବାରା ଏପରି ହୋଇଛି।
