Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଅଷ୍ଟ୍ରେଲିଆ-ଇଂଲଣ୍ଡ ଫାଇନାଲ ଆଜି

ସମାଜ 4 months ago

ଲର୍ଡସ: ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲ ରବିବାର ଖେଳାଯିବ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଏହି ଫାଇନାଲ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଏହି ବିଶ୍ବକପ୍‌ର ୧୦ମ ସଂସ୍କରଣରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ କୌଣସି ମ୍ୟାଚ୍‌ ହାରିନାହାନ୍ତି। ଟୁର୍ଣ୍ଣାମେଣ୍ଟର ଦୁଇ ଶ୍ରେଷ୍ଠ ଦଳ ଫାଇନାଲ ଖେଳିବେ। ୪ର୍ଥ ଥର ଉଭୟ ଦଳଙ୍କ ମଧ୍ୟରେ ଫାଇନାଲ ଖେଳାଯିବ।

ଅଷ୍ଟ୍ରେଲିଆ ଶେଷ ୯ଟି ଓ ଇଂଲଣ୍ଡ ୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ହାରିନାହାନ୍ତି। ଅଷ୍ଟ୍ରେଲିଆ ଗତ ୯ଟି ସଂସ୍କରଣରେ ୬ ଥର ଚମ୍ପିଆନ୍‌ ହୋଇଛି। ଫାଇନାଲରେ ଅଷ୍ଟ୍ରେଲିଆ ମାତ୍ର ଥରେ ୨୦୧୬ରେ ୱେଷ୍ଟଇଣ୍ଡିଜ୍‌ଠାରୁ ପରାସ୍ତ ହୋଇଛି। ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଘରୋଇ ମାଟିରେ ଇଂଲଣ୍ଡ ୧୧ଟି ମ୍ୟାଚ୍‌ ଖେଳି ଗୋଟିଏ ମଧ୍ୟ ହାରିନାହିଁ।

ପୁଣି ଘରୋଇମାଟିରେ ଟ୍ବେଣ୍ଟି୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୧୧-୬ରେ ଆଗୁଆ ରହିଛି। ୨୦୦୯ରେ ଇଂଲଣ୍ଡ ବିଶ୍ବ ଚମ୍ପିଆନ୍‌ ହୋଇଥିଲା। ୨୦୨୦ ପରଠାରୁ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଟ୍ବେଣ୍ଟି୨୦ରେ ୬-୩ରେ ଏବଂ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ୫-୨ରେ ଆଗୁଆ ରହିଛି। ଅଦ୍ୟାବଧି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ଥର ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ସମସ୍ତ ମ୍ୟାଚ୍‌ ଅଷ୍ଟ୍ରେଲିଆ ଜିତିଛି। ୪ର୍ଥ ଥର ଜିତି ଅଷ୍ଟ୍ରେଲିଆ ୭ମ ଥର ବିଶ୍ବ ଚମ୍ପିଆନ୍‌ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଇଂଲଣ୍ଡ ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି।

ମୋଟ ଉପରେ କହିବାକୁ ଗଲେ ଏହି ଫାଇନାଲ ଜିତିବାକୁ ଅଷ୍ଟ୍ରେଲିଆ ଫେଭରିଟ୍‌। ୨୦୧୮ ଟ୍ବେଣ୍ଟି୨୦ ବିଶ୍ବକପ୍‌ରୁ ଅଦ୍ୟାବଧି ଅଷ୍ଟ୍ରେଲିଆ ୨୯ଟି ମ୍ୟାଚ୍‌ ଖେଳି ୨୬ଟି ଜିତିଛି। ସମସ୍ତ ବିଭାଗରେ ଅଷ୍ଟ୍ରେଲିଆ ଶକ୍ତିଶାଳୀ ରହିଛି। ଇଂଲଣ୍ଡ ଘରୋଇ ପଡ଼ିଆରେ ଖେଳୁଥିବାରୁ ଏହାର ଫାଇଦା ପାଇପାରେ। ଇଂଲଣ୍ଡର ଡାନି-ୱାଟ୍‌ ହଜ୍‌ ୬ଟି ମ୍ୟାଚ୍‌ରୁ ଗୋଟିଏ ଅପରାଜିତ ଶତକ ସହ ୨୯୪ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆର ଏଲିଜ୍‌ ପେରି ୨ଟି ଅର୍ଦ୍ଧଶତକ ସହ ୧୮୫ ରନ୍‌ କରିଛନ୍ତି। ଫିବି ଲିଚ୍‌ଫିଲ୍‌ଡ ଫିଟ୍‌ ହେବା ଅଷ୍ଟ୍ରେଲିଆକୁ ଆହୁରି ଶକ୍ତିଶାଳୀ କରିଛି। ଅଷ୍ଟ୍ରେଲିଆର ବାମହାତି ସ୍ପିନର ସୋଫି ମୋଲିନ୍ୟୁ ୧୦ଟି ଏବଂ ଇଂଲଣ୍ଡର ବାମହାତି ସ୍ପିନର ସୋଫି ଇକ୍ଲେଷ୍ଟୋନ୍‌ ୯ଟି ୱିକେଟ୍‌ ନେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia