ରେଙ୍ଗାଲିକ୍ୟାମ୍ପ: ଅଞ୍ଚଳରେ ନିଶା କାରବାର ବିରୋଧରେ ଅତାବିରା ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ବେଆଇନ କଫ୍ ସିରପ୍ ଓ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନିଶା କଫ୍ ସିରପ୍ ଓ ଦେଶୀ ମଦ ପାଉଚ୍ ଜବତ କରାଯାଇଛି।ଘଟଣାରୁ ପ୍ରକାଶ ଯେ, ଆଜି ପୂର୍ବାହ୍ନ ପ୍ରାୟ ୧୦:୩୦ ସମୟରେ ରେଙ୍ଗାଲି ବସ୍ ଷ୍ଟାଣ୍ଡରେ ଜଣେ ମହିଳା ଏକ ବ୍ୟାଗ୍ ଧରି ଅବୈଧ କଫ୍ ସିରପ୍ ଚୋରା ଚାଲାଣ ଉଦ୍ଦେଶ୍ୟରେ ଅପେକ୍ଷା କରିଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।
ଖବର ପାଇ ଏଏସ୍ଆଇ ଦିବ୍ୟସ୍ମୃତି ବେହେରା, ହାବିଲଦାର କୀର୍ତ୍ତି ସୁରେନ୍ ଏବଂ ପୋଲିସ କର୍ମଚାରୀମାନେ ତୁରନ୍ତ ସେଠାରେ ଚଢ଼ାଉ କରିଥିଲେ। ଉକ୍ତ ମହିଳାଙ୍କ ବ୍ୟାଗ୍ ଯାଞ୍ଚ କରିବାରୁ ସେଥିରୁ ୪୪ ଗୋଟି ନିଶା କଫ୍ ସିରପ୍ ବୋତଲ ଏବଂ ୪୦ ଗୋଟି ମଦ ପାଉଚ୍ ବାହାରିଥିଲା।ପୋଲିସର ପଚରାଉଚରା ବେଳେ ମହିଳା ଜଣକ ସ୍ବୀକାର କରିଥିଲେ ଯେ, ରେଙ୍ଗାଲିକ୍ୟାମ୍ପର ସଚିନ୍ ମହାନନ୍ଦ ଓରଫ୍ ଶାନ୍ତିଙ୍କ କହିବା ଅନୁଯାୟୀ ସେ ଏହି ନିଶା ଦ୍ରବ୍ୟକୁ ଅତାବିରାକୁ ବିକ୍ରି ପାଇଁ ନେଉଥିଲେ।
ଏହାପରେ ପୋଲିସ ଘଟଣାରେ ସମ୍ପୃକ୍ତ ଉଭୟଙ୍କୁ କାବୁ କରିଥିଲା।ଗିରଫ ଅଭିଯୁକ୍ତମାନେ ହେଲେ ନୀମା ନାୟକ ଓରଫ ରୀତା (୫୦), ମୁଲ ଗ୍ରାମ- ବିଶିପାଡ଼ା, ଥାନା- ବରଗଡ଼ ଟାଉନ୍, ବର୍ତ୍ତମାନ ରେଙ୍ଗାଲିକ୍ୟାମ୍ପରେ ଭଡ଼ାଟିଆ ଭାବେ ରହୁଥିବା ବେଳେ ସଚିନ୍ ମହାନନ୍ଦ ଓରଫ ଶାନ୍ତି, ରେଙ୍ଗାଲିକ୍ୟାମ୍ପ ର ବାସିନ୍ଦା ।ଏହି ଘଟଣାରେ ଅତାବିରା ଥାନାରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ ମାନ୍ୟବର ଅଦାଲତରେ ହାଜର କରାଯାଇଛି।ଅସାଧୁ ବ୍ୟକ୍ତିମାନେ ବାରମ୍ବାର ବେଆଇନ ନିଶା କାରବାର ଚଳାଇ ଆସୁଥିବା ବେଳେ ଅତାବିରା ପୋଲିସ ଏବେ ‘ଆକ୍ସନ୍ ମୁଡ୍’ରେ ରହିଛି। ଅଞ୍ଚଳରେ ନିଶା ମାଫିଆଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ଆଗକୁ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
