ନ୍ୟୁଚଣ୍ଡିଗଡ଼: ଅଧିନାୟକ ଶୁଭମନ ଗିଲ୍ଙ୍କ ଶତକ ୧୦୪ରନ ବଳରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୬ର ଫାଇନାଲରେ ଦ୍ବିତୀୟ ଦଳ ଭାବେ ଗୁଜରାଟ ଟାଇଟାନ୍ସ ପ୍ରବେଶ କରିଛି। ନ୍ୟୁ ଚଣ୍ଡିଗଡ଼ର ପିସିଏ ଷ୍ଟାଡ଼ିୟମରେ ଶୁକ୍ରବାର କ୍ବାଲିଫାୟର-୨ରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି।
ରବିବାର ଅହମ୍ମଦାବାଦରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ଖେଳାଯିବ। ପୂର୍ବରୁ ଗୁଜରାଟ ଟାଇଟାନ୍ସ ୨୦୨୨ ଓ ୨୦୨୩ରେ ଫାଇନାଲ ଖେଳିଥିଲା।
ବୈଭବ ସୂର୍ଯ୍ୟବଂଶୀଙ୍କ ୯୬ରନ ବଳରେ ରାଜସ୍ଥାନ ରୟାଲ୍ସ ୨୧୪ରନ କରିଥିଲା। ଜବାବରେ ଗୁଜରାଟ ଟାଇଟାନ୍ସ ଶୁଭମନ ଗିଲ୍ଙ୍କ ୧୦୪ରନ ବଳରେ ୮ଟି ବଲ ବାକି ଥାଇ ୩ ୱିକେଟରେ ୨୧୯ରନ କରି ବିଜୟୀ ହୋଇଥିଲା।
୨୧୫ରନର ବିଜୟ ଲକ୍ଷ୍ୟକୁ ଗୁଜରାଟ ଟାଇଟାନ୍ସର ଦୁଇ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲ୍ ଦୃଢତାର ସହିତ ପିଛା କରିଥିଲେ। ଉଭୟେ ୬ ଓଭର ପାୱାର ପ୍ଲେ ରୁ ୬୯ରନ କରିଥିଲେ। ଗୁଜରାଟ ୧୦ ଓଭରରୁ ବିନା କ୍ଷତିରେ ୧୨୭ରନ କରି ବିଜୟ ନିଶ୍ଚିତ କରିଥିଲା। ସ୍କୋର ୧୬୭ରନ ଥିବାବେଳେ ସୁଦର୍ଶନ ୫୮ରନ କରି ହିଟ୍ ୱିକେଟ ହୋଇଥିଲେ। ଗିଲ୍ ୪୭ଟି ବଲରୁ ଶତକ ପୂରଣ କରିଥିଲେ। ସ୍କୋର ୧୮୨ରନ ଥିବାବେଳେ ଗିଲ୍ ୫୩ଟି ବଲରୁ ୧୫ଟି ଚୌକା ଓ ୩ଟି ଛକା ସହ ୧୦୪ରନ କରି ଆଉଟ୍ ହୋଇଥିଲେ। ତୃତୀୟ ୱିକେଟରେ ଜୋଶ ବଟ୍ଲର ଓ ୱାଶିଂଟନ ସୁନ୍ଦର ୧୮ରନ ଭାଗିଦାରୀ କରିବା ସହିତ ସ୍କୋରକୁ ୨୦୧ରନରେ ପହଞ୍ଚାଇଥିଲେ। ୱାଶିଂଟନ ୧୬ରନରେ ଆଉଟ୍ ହୋଇଥିଲେ। ବଟ୍ଲର ୯ ଓ ରାହୁଲ ତିୱାତିଆ ୧୭ରନ କରି ଅପରାଜିତ ରହିବା ସହିତ ଦଳକୁ ବିଜୟୀ କରାଇଥିଲେ।ରାଜସ୍ଥାନ ପକ୍ଷରୁ ଜେଫ୍ରା ଆର୍ଚର, ବ୍ରିଜେଶ ଶର୍ମା ଓ ନନ୍ଦ୍ରେ ବର୍ଗର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟାନ୍ସର ଦୁଇ ଦ୍ରୁତ ବୋଲର କାଗିସୋ ରବାଡା ଓ ମହମ୍ମଦ ସିରାଜ ପ୍ରଥମ ଦୁଇ ଓଭରରେ ଦୁଇଟି ୱିକେଟ ନେଇ ରାଜସ୍ଥାନକୁ ପ୍ରାରମ୍ଭିକ ଝଟ୍କା ଦେଇଥିଲେ। ଦଳ ୯ରନରେ ଦୁଇଟି ୱିକେଟ ହରାଇଥିଲା। ଯଶସ୍ବୀ ଜୟସୱାଲ ୧ ଓ ଧ୍ରୁବ ଜୁରେଲ ୭ରନ କରି ଆଉଟ୍ ହୋଇଥିଲେ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଚିରାଚରିତ ବ୍ୟାଟିଂ ଜାରି ରଖିଥିଲେ। ତୃତୀୟ ୱିକେଟରେ ବୈଭବ ଓ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା ଦ୍ରୁତ ଗତିରେ ରନ କରିଥିଲେ । ସ୍କୋର ୭୫ରନ ଥିବାବେଳେ ଜାଡେଜା ଆହତ ହୋଇଥିଲେ। ଜାଡେଜା ୧୯ଟି ବଲରୁ ୩୪ରନ କରିଥିବାବେଳେ ରିଟାଏର୍ଡ ହର୍ଟ ହୋଇଥିଲେ। ଅଧିନାୟକ ରିୟାନ ପରାଗ ଓ ବୈଭବ ୨୬ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୦୧ରନରେ ପହଞ୍ଚାଇଥିଲେ। ପରାଗ ୧୧ରନରେ ଆଉଟ୍ ହୋଇଥିଲେ। ସ୍କୋର ୧୦୯ରନ ଥିବାବେଳେ ଦାସୁନ ସନକା ୩ରନରେ ଆଉଟ୍ ହୋଇଥିଲେ। ଦ୍ରୁତ ଗତିରେ ରନ କରିବାକୁ ଯାଇ ଜେଫ୍ରା ଆର୍ଚର ୭ରନ କରି ଆଉଟ୍ ହୋଇଥିଲେ।
ରାଜସ୍ଥାନ ୧୧୮ରନରେ ୫ଟି ୱିକେଟ ହରାଇଥିଲା। ବୈଭବ ୩୧ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ରିଟାଏଡ ହର୍ଟ ହୋଇଥିବା ଜାଡେଜା ପୂନର୍ବାର ବ୍ୟାଟିଂ କରିବାକୁ ଆସିବା ସହିତ ବୈଭବଙ୍କ ସହ ଷଷ୍ଠ ୱିକେଟରେ ୫୪ରନ ସଂଗ୍ରହ କରିଥିଲେ। ୧୭୨ରନ ସ୍କୋର ଥିବାବେଳେ ବୈଭବ ୪୭ଟି ବଲରୁ ୮ଟି ଚୌକା ଓ ୭ଟି ଛକା ସହ ୯୬ରନରେ ଆଉଟ୍ ହୋଇଥିଲେ। ଡୋନୋଭାନ ଫେରେରାଙ୍କ ୧୧ବଲରୁ ୩୮ ଓ ଜାଡେଜାଙକ ଅପରାଜିତ ୪୫ରନ ବଳରେ ଦଳ ୬ ୱିକେଟରେ ୨୧୪ରନ କରିଥିଲା। ଗୁଜରାଟ ଟାଇଟାନ୍ସ ପକ୍ଷରୁ ଜାସନ ହୋଲଡର ଓ କାଗିସୋ ରବାଡା ୨ଟି ଲେଖାଏଁ, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଶୁଭମନ ଗିଲ୍ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
