Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବନ୍ୟା ଆଣିଛି ୨.୨ ନିୟୁତ ଟନ୍‌ ଆବର୍ଜନା

ସମାଜ 1 week ago

କାଠମାଣ୍ଡୁ: ହିମାଳୟରେ ହିମ ସ୍ଖଳନ ଯୋଗୁଁ ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଅନେକ ଜୀବନକୁ ଭସାଇ ନେଇଛି। ଏହି ବନ୍ୟା ବିତ୍ପାତକୁ ୭ ଦିନ ବିତି ଯାଇଥିଲେ ବି ଉଦ୍ଧାର କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ମାଟି ତଳୁ ଜୀବନ ସନ୍ଧାନ ଜାରି ରହିଛି। ବନ୍ୟା ୨.୨ ନିୟୁତ ଟନର ଆବର୍ଜନା ଛାଡ଼ି ଯାଇଥିବା ଜାତିସଂଘ ସଂସ୍ଥା ୟୁଏନଡିପି ପକ୍ଷରୁ କୁହାଯାଇଛି।

ଏ ସବୁକୁ ହଟାଇବା ପାଇଁ ଉଦ୍ଧାର କାର୍ଯ୍ୟରେ ବଡ଼ ବଡ଼ ମେସିନ ସହିତ ବିଶେଷଜ୍ଞ ଦଳ ଲାଗିଛନ୍ତି। ନେପାଳର ୨୨ ହଜାରରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ଓ ଭାରତ, ଚୀନ, ଦକ୍ଷିଣ କୋରିଆ ଭଳି ଦେଶର ବିଶେଷଜ୍ଞ ଦଳ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦିନ ରାତି କାମ କରୁଛନ୍ତି। କାଦୁଅ ତଳୁ ଜୀବନ ବାହାରିବା ଆଶାରେ ଲାଗିଥିବା ସୁରକ୍ଷାକର୍ମୀ ମୃତଦେହ ଉଦ୍ଧାର କରି ଚାଲିଛନ୍ତି। ମଙ୍ଗଳବାର ରାତି ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦୬୬ରେ ପହଞ୍ଚି ଯାଇଛି। ଏହି ମୃତକଙ୍କ ମଧ୍ୟରେ ନେପାଳରେ ୧୦୫୦ ଜଣ ଓ ତିବ୍ବତରେ ୧୬ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ୪୪୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୩୮ ଦେଶର ୫୯୨ ନାଗରିକ ରହିଛନ୍ତି। ଏଥିରେ ୧୮୦ ଭାରତୀୟ ମଧ୍ୟ ସାମିଲ ଅଛନ୍ତି। ଏହା ବ୍ୟତୀତ ୧୨ ହଜାରରୁ
ଅଧିକ ଲୋକଙ୍କୁ ଉଦ୍ଧାର କରାଗଲାଣି। ଏହି ବନ୍ୟାରେ ୧୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ନେପାଳ ପକ୍ଷରୁ କୁହାଯାଇଛି। ସେପଟେ ଅଜଣା ମୃତଦେହକୁ କବର ଦେବା କାର୍ଯ୍ୟ ଜାରି ରହିଛି। ପାଣି ଓ କାଦୁଅରେ ଦୀର୍ଘ ସମୟ ରହିଥିବାରୁ ଏହି ମୃତଦେହ ଗୁଡ଼ିକ ନଷ୍ଟ ହେବାରେ ଲାଗିଛି। ତେଣୁ ଅବଶେଷକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ଡିଏନଏ ଯାଞ୍ଚ କରିବା ପରେ ଏହା ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ।
ଅନ୍ୟପକ୍ଷରେ ବନ୍ୟା ପରଠାରୁ ଚୁପ ରହିଥିବା ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା ମୁହଁ ଖୋଲିଛନ୍ତି। ଏହି ବନ୍ୟା ପାଇଁ ସେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ଶାହା କହିଛନ୍ତି ଯେ ବରଫ ଓ ହିମ ଖଣ୍ଡର ବଡ଼ ଅଂଶ ଭାଙ୍ଗିଯିବାରୁ ବନ୍ୟା ଆସିଥିବା ବିଶେଷଜ୍ଞ କହୁଛନ୍ତି। ଜଳବାୟୁ ପରିବର୍ତ୍ତନର ଫଳ ନେପାଳ ଭଳି ଦେଶ ଭୋଗୁଛନ୍ତି। ଅନ୍ତର୍ଜାତୀୟ ମଞ୍ଚରେ ମଜଭୁତର ସହ ଏହି ପ୍ରସଙ୍ଗ ଉଠାଇବା ଉଚିତ। ସେହିପରି ନେପାଳ ବିଦେଶ ମନ୍ତ୍ରୀ ଶିଶିର ଖନାଲ ଏହି ବନ୍ୟାକୁ ହିମାଳୟ ସୁନାମି କହିଛନ୍ତି। ଏହାର ଲହରୀ ୨୦ରୁ ୩୦ ମିଟର ଉଚ୍ଚ ଥିଲା। ଏହା ଘୂର୍ଣ୍ଣିଝଡ଼ ଭଳି ବିପର୍ଯ୍ୟୟ ସୃଷ୍ଟି କରିଛି। ନେପାଳ ଲୋକ ପୂର୍ବରୁ ଏଭଳି ବିପର୍ଯ୍ୟୟ କେବେ ଦେଖି ନ ଥିଲେ ବୋଲି ସେ କହିଛନ୍ତି। ସେପଟେ ଭାରତ, ଚୀନ, ନେପାଳ ମିଶି ଅସ୍ଥାୟୀ ପୋଲ ନିର୍ମାଣ କରୁଛନ୍ତି। ଜଳବିଦ୍ୟୁତ କେନ୍ଦ୍ରରେ ଫସିଥିବା କର୍ମଚାରୀଙ୍କୁ ବାହାର କରିବାକୁ ପ୍ରୟାସ କରୁଛନ୍ତି। ତେବେ ନେପାଳର ରସୁୱା ଓ ନୁଭାକୋଟ ଜିଲାର ଅନେକ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ରିଲିଫ ସାମଗ୍ରୀ ପହଞ୍ଚି ପାରିନାହିଁ। ଲୋକେ ଖାଇବାକୁ ପାଉନାହାନ୍ତି। ବନ୍ୟାରେ ତାଙ୍କର ସମସ୍ତ ସମ୍ପତ୍ତି ଭାସି ଯାଇଛି। ସେହିପରି କିଛି ଅଞ୍ଚଳରେ ପଶୁପକ୍ଷୀଙ୍କ ମୃତଦେହ ସଢ଼ି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia