ପୁରୀ/କଣାସ : ବର୍ବରତାର ସୀମା ଟପିଗଲା। ସ୍ପଷ୍ଟ ଦିବାଲୋକରେ ଗୋଡ଼ହାତ କାଟିଦେଲେ। ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ଗାଡ଼ି ଚଢ଼ାଇ ଦେଲେ। ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ହାଟସାହି ମାଛ ବଜାରରେ ଶନିବାର ଏଭଳି ନୃଶଂସତା ଦେଖିବାକୁ ମିଳିଛି। ଜନଗହଳିପୂର୍ଣ୍ଣ ରାସ୍ତାରେ ୭ ଯୁବକ ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି।
କଣାସ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ଘଟଣା ଘଟିଥିବାବେଳେ ପୁଲିସ୍ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛି। ଯୁବକମାନଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦୋକନ୍ଦା ଗ୍ରାମର ମୃତ୍ୟୁଞ୍ଜୟ ଭାରିମଲ ଭୁବନେଶ୍ବରର ଏକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ଦେହର ବିଭିନ୍ନ ସ୍ଥାନକୁ ଅତି ନିର୍ଦୟ ଭାବେ ଯୁବକମାନେ ହାଣି ପକାଇଛନ୍ତି। ଜିଲାର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଘଟଣାର ଦୁଇଦିନ ପରେ ମଧ୍ୟ ଆକ୍ରମଣକାରୀଙ୍କୁ ଗିରଫ କରିବାରେ ପୁଲିସ ସମର୍ଥ ହୋଇପାରି ନାହିଁ।
ଆକ୍ରମଣକାରୀମାନଙ୍କ ନାମରେ ପୂର୍ବରୁ ବହୁ ଅପରାଧ ମାମଲା ବିଭିନ୍ନ ଥାନାରେ ରହିଛି। ରବିବାର ଦିନତମାମ ସାମାଜିକ ଗଣମାଧ୍ୟମରେ ଯୁବକଙ୍କୁ ନିଷ୍ଠୁର ଭାବେ ହାଣିବା ଓ ମୋଟରସାଇକଲ ଚଢ଼ାଇ ଦେବାର ଭିଡିଓ ଘୂରି ବୁଲୁଛି। ଦୟାନଦୀ ବାଲି ଚୋରା କାରବାରକୁ ନେଇ ଏଭଳି ନୃଶଂସ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ଆହତଙ୍କ ବଡ଼ଭାଇ ରବିବାର କଣାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାହାକୁ ଭିତ୍ତିକରି ପୁଲିସ ଦୋକନ୍ଦାର ଧୀରେନ୍ଦ୍ର ବଡ଼ଜେନା, ଚାନ୍ଦପଡ଼ାର ସୁଧାଂଶୁ ମହାପାତ୍ର, ଚନ୍ଦନପୁରର ଅକ୍ଷୟ ରାଉତ, ସହନର ଚନ୍ଦ୍ରକାନ୍ତ ଜେନା, ତେନ୍ତୁଳିମୁହଁ ଗ୍ରାମର ପିଣ୍ଟୁ ଗଜେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତମାନେ ବ୍ୟବହାର କରିଥିବା ସ୍କୁଟର ଓ ମୋଟରସାଇକଲ ଚିହ୍ନଟ କରାଯାଇଛି। ପ୍ରଘଟ ଭିଡିଓରୁ ଆକ୍ରମଣକାରୀଙ୍କୁ ସ୍ପଷ୍ଟ ଭାବେ ଚିହ୍ନି ହେଉଛି। ଏହାସତ୍ତ୍ୱେ ପୁଲିସର ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ମୃତ୍ୟୁଞ୍ଜୟ ସକାଳ ୮ଟା ୩୫ରେ ମାଛ କିଣିବାକୁ ସେଠାକୁ ଯାଇଥିଲେ। ସାତଜଣ ଯୁବକ ମାଛକଟା ପନିକିରେ ପ୍ରଥମେ ତାଙ୍କୁ ଅତି ନିର୍ମମ ଭାବେ ହାଣି ପକାଇ ଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟୁଞ୍ଜୟ ସେଠାରେ ତଳେ ପଡ଼ିଯାଇ ଥିଲେ। ବହୁଲୋକ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ବିରୋଧ କରିବାକୁ କେହି ସାହସ କରିନଥିଲେ। ମୃତ୍ୟୁଞ୍ଜୟ ତଳେ ପଡ଼ିଯିବା ପରେ ଅାକ୍ରମଣକାରୀ ତାଙ୍କ ଗୋଡ଼କୁ ଅାଣ୍ଠୁତଳୁ ହାଣି ଦେଇଥିଲେ। ତିନିଜଣ ଯୁବକ ଏକ ମୋଟରସାଇକଲରେ ବସି ମୃତ୍ୟୁଞ୍ଜୟଙ୍କ ବେକ ଉପରେ ଚଢ଼ାଇ ଦେଇଥିଲେ। ସେଥିରେ ମୃତ୍ୟୁଞ୍ଜୟ କିଛି ଦୂର ଘୋଷାଡ଼ି ହୋଇ ଯାଇଥିଲେ। ପୁଲିସ ତାଙ୍କୁ ସେଠାରୁ ଉଦ୍ଧାର କରି କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଚଳାଇଛି। କଣାସ ଥାନା ନିକଟରେ ଏବଂ ଜନଗହଳିପୂର୍ଣ୍ଣ ବଜାର ଭିତରେ ଏଭଳି ଘଟଣା ଘଟିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଆକ୍ରମଣରେ ଆହତ ହୋଇଥିବା ଯୁବକ ଏକାଧିକ ଅପରାଧରେ ପୂର୍ବରୁ ଜଡ଼ିତ ଥିବା ପୁଲିସ କହିଛି।
