ସିଡ୍ନୀ: ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବେନ୍ ଷ୍ଟୋକ୍ସ ବିଗ୍ ବାସ୍ ଲିଗ୍ (ବିବିଏଲ୍) ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇପାରନ୍ତି। ବିବିଏଲ୍ର ୨୦୨୬-୨୭ ସଂସ୍କରଣ ପୂର୍ବରୁ ଅଲ୍ରାଉଣ୍ଡର ଷ୍ଟୋକ୍ସଙ୍କୁ କିଣିବା ଦୌଡ଼ର ସର୍ବାଗ୍ରେ ରହିଛି ସିଡ୍ନୀ ସିକ୍ସର୍ସ। କିଛି ସପ୍ତାହ ତଳେ ୩୫ ବର୍ଷ ବୟସ୍କ ବେନ୍ ଷ୍ଟୋକ୍ସ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ।
ଫଳରେ ଷ୍ଟୋକ୍ସ ସାରାବିଶ୍ବରେ ଫ୍ରାଞ୍ଚାଇଜି କ୍ରିକେଟ୍ ଖେଳିବା ପାଇଁ ଯଥେଷ୍ଟ ସମୟ ପାଇବେ। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କ୍ରିକେଟ୍ ଅଷ୍ଟ୍ରେଲିଆ ବିବିଏଲ୍ର ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଅନୁସାରେ, ବିଦେଶୀ ଖେଳାଳିଙ୍କ ତାଲିକାରୁ ନୁହେଁ; ଏକ ଫ୍ରାଞ୍ଚାଇଜି ନିଜ ଆଡ଼କୁ ଜଣେ ବିଦେଶୀ ଖେଳାଳିଙ୍କ ସହ ଯୋଗାଯୋଗ କରି ତାଙ୍କ ସହ ଦଳର ପ୍ରମୁଖ ଖେଳାଳି ଭାବେ ଚୁକ୍ତି କରିପାରିବ। ଏକ ରିପୋର୍ଟ ଅନୁସାରେ, ବେନ୍ ଷ୍ଟୋକ୍ସଙ୍କୁ କିଣିବା ପାଇଁ ସିଡ୍ନୀ ସିକ୍ସର୍ସ ୬ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୫ କୋଟି ୭୨ ଲକ୍ଷ ଟଙ୍କା) ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛି।
ଏପରି ହେଲେ ଷ୍ଟୋକ୍ସ ବିବିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବେ। ସିଡ୍ନୀ ସିକ୍ସର୍ସ ଦଳ ଷ୍ଟୋକ୍ସଙ୍କୁ ନେବା ପାଇଁ ଯୋଜନା କରିଥିବା ବେଳେ ହୋବାର୍ଟ ହରିକେନ୍ସ ମଧ୍ୟ ତାଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛି। ଏହାସହ ନ୍ୟୁଜିଲାଣ୍ଡର ବିସ୍ଫୋରକ ଓପ୍ନର ଫିନ୍ ଆଲେନ୍ଙ୍କୁ ନେବା ପାଇଁ ବିବିଏଲ୍ର ଏକାଧିକ ଫ୍ରାଞ୍ଚାଇଜି ଆଗ୍ରହୀ ଅଛନ୍ତି। ଗତବର୍ଷ ପର୍ଥ ସ୍କର୍ଚର୍ସ ପାଇଁ ଖେଳି ଫିନ୍ ଆଲେନ୍ ୧୮୪.୧୮ ଷ୍ଟ୍ରାଇକ୍ରେଟ୍େର ସର୍ବାଧିକ ୪୬୬ ରନ୍ କରିଥିଲେ।
ପୁଣି ଏକ ସଂସ୍କରଣରେ ଆଲେନ୍ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। ଫଳରେ ପର୍ଥ ସ୍କର୍ଚର୍ସ ୬ଷ୍ଠ ଥର ବିବିଏଲ୍ ଚମ୍ପିଆନ୍ ହୋଇଥିଲା। ଏେବ ଇଂଲଣ୍ଡରେ ଚାଲିଥିବା ଦିନିକିଆ କପ୍ରେ ଷ୍ଟୋକ୍ସ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି। ତାଙ୍କର ଫର୍ମ ଓ ଅଭିଜ୍ଞତା ଯୋଗୁଁ ଷ୍ଟୋକ୍ସଙ୍କୁ ନେବା ପାଇଁ ବିବିଏଲ୍ ଫ୍ରାଞ୍ଚାଇଜି ଆଗ୍ରହୀ ଅଛନ୍ତି। ୨୦୧୪-୧୫ରେ ଷ୍ଟୋକ୍ସ ମେଲ୍ବୋର୍ଣ୍ଣ ରେନେଗେଡ୍ସ ପାଇଁ ବିବିଏଲ୍ ଖେଳିଥିଲେ ହେଁ ଭଲ ପ୍ରଦର୍ଶନ କରି ପାରିନଥିଲେ।
