ମୋହନା : ମୋହନାରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ପିଏମଶ୍ରୀ ସରକାରୀ ଏସଏସଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା, ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ସରପଞ୍ଚ ସୁନିତା ମଳିକ,ସମିତିସଭ୍ୟ ବାଳକୃଷ୍ଣ ମଳିକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ବିଦ୍ୟାର୍ଥୀଙ୍କ ଉପସ୍ଥିତିରେ ଶିକ୍ଷା ସଚ଼େତନତା ରଥର ଶୁଭାରମ୍ଭ ହେବା ସହ ଛାତ୍ରଛାତ୍ରୀ ମାନଙ୍କୁ ମିଠା ଓ କଲମ ବଣ୍ଟନ କରାଯାଇଥିଲା ।
ଅପରପକ୍ଷେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କକ୍ଷରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ୧୫ ଜଣ ବାଳ ବାଟିକା ଓ ୧୫ ଜଣ ପ୍ରଥମ ଶ୍ରେଣୀ ଶିଶୁଙ୍କୁ ବହି, ବ୍ୟାଗ, କମ୍ପାସ, ଖଡ଼ି, ମହମ କଲର ଶିକ୍ଷା ବିଭାଗ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପ୍ରତି ଶିଶୁମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା , ଡ୍ରପ ଆଉଟ ରୋକିବା, ନିୟମିତ ଭାବେ ବିଦ୍ୟାଳୟକୁ ଆସିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରା କହିଛନ୍ତି । ଶିକ୍ଷା ସଚ଼େତନତା ରଥ ବ୍ଲକର ୩୯ଟି ପଞ୍ଚାୟତକୁ ପରିକ୍ରମା କରି ଶିକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ସୃଷ୍ଟି କରିବ ବୋଲି ବିଇଓ ସୂଚ଼ନା ଦେଇଛନ୍ତି ।
