ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ରେ ଅଦ୍ୟାବଧି ବ୍ୟାଟ୍ସମ୍ୟାନ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରି ସର୍ବାଧିକ ରନ୍ କରିଛନ୍ତି ୧୫ ବର୍ଷ ବୟସ୍କ ବୈଭବ ସୂର୍ଯ୍ୟବଂଶୀ। ରାଜସ୍ଥାନ ରୟାଲ୍ସର ସୂର୍ଯ୍ୟବଂଶୀ ୯ଟି ମ୍ୟାଚ୍ରୁ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ୨୩୮ ଷ୍ଟ୍ରାଇକ୍ରେଟ୍ରେ ସର୍ବାଧିକ ୪୦୦ ରନ୍ କରିଛନ୍ତି। ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଦେଖି ନିକଟରେ ପାକିସ୍ତାନୀ କ୍ରିକେଟ ବିଶେଷଜ୍ଞ ନୌମାନ ନିଆଜ୍ ମଜାରେ କହିଥିଲେ, ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ରେ ଏଆଇ ଚିପ୍ ଲାଗିବା ଭଳି ମନେହେଉଛି।
ତେଣୁ ବ୍ୟାଟ୍ର ପରୀକ୍ଷା ପାଇଁ ଏହାକୁ ପରୀକ୍ଷାଗାର ବା ଲ୍ୟାବ୍କୁ ପଠାଯିବା ଉଚିତ। ୧୮ ବର୍ଷ ବୟସରେ ଖେଳାଳିଙ୍କ ଦେହର ମାଂସପେଶୀ ଏବଂ ହାତ, ଗୋଡ଼ ଶକ୍ତିଶାଳୀ ହୋଇଥାଏ। ତେଣୁ ୧୫ ବର୍ଷ ବୟସରେ ଏପରି ପାୱାର ଗେମ୍ ଖେଳିବା ସହଜ ନୁହେଁ। ତେଣୁ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ର ପରୀକ୍ଷା ଆବଶ୍ୟକ ବୋଲି ନିଆଜ୍ କହିଛନ୍ତି। ଏହି କଥା ସୂର୍ଯ୍ୟବଂଶୀଙ୍କୁ ପଚାରିବାରୁ ଉକ୍ତ ବିସ୍ମୟ ବାଳକ କହିଥିଲେ, ଭଗବାନ ମୋ ବ୍ୟାଟ୍ରେ ଏଆଇ ଚିପ୍ ଲଗାଇକରି ପଠାଇଛନ୍ତି। ଉପରବାଲା (ଈଶ୍ବର) କହିଥିଲେ, ତୁମ ବ୍ୟାଟ୍ରେ କିଛି ଲଗାଇକରି ପଠାଉଛି। ଏବେ ମୁଁ ଏହାର ବ୍ୟବହାର କରୁଛି।
