କେନ୍ଦୁଝର : ଟାଉନ ଥାନା ଅନ୍ତର୍ଗତ ତେଲକୋଇ ବସଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
ମୃତ ବ୍ୟକ୍ତିଙ୍କ ନାମ ସୁଧାଂଶୁ ଶେଖର ବାରିକ(୨୩) ଓ ଆହତ ଙ୍କ ନାମ ହେମ ସାଗର ମହାନ୍ତ (୨୨) ବୋଲି ଜଣା ପଡ଼ିଛି। ମୃତକଙ୍କ ଘର ପାଟଣା ଥାନା ସିଲିଦା ଗ୍ରାମରେ ବୋଲି ଜଣାପଡ଼ିଛି।
ସେ ସ୍ଥାନୀୟ ଘଟୁରୁ ଗ୍ରାମରେ ମାମୁଁ ଘରେ ରହୁଥିଲା। ଗତ ବର୍ଷ ସରକାରୀ ଇଂଜିନିୟରିଂ କଲେଜରୁ ମାଇନିଙ୍ଗ ଵିଭାଗରେ ଡିଗ୍ରୀ ପାସ କରିଥିଲେ। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ଦୁଇଜଣ ଏକ ବାଇକ୍ ରେ ଢ଼ାଙ୍ଗରପଡ଼ା ଆଡୁ ଆସୁଥିବା ବେଳେ ତେଲକୋଇ ବସଷ୍ଟାଣ୍ଡ ନିକଟରେ ଅରୋ ବିହାରକୁ ଯାଉଥିବା ବେଳେ ଏକ ଟ୍ରାକ୍ଟର ସହ ଧକ୍କା ହେଇଥିଲା। ଦୁଇ ଜଣ ପଡ଼ି ଯାଇଥିଲେ ଏବଂ ଟ୍ରାକ୍ଟରଟି ବାଇକ କୁ ଚାପି ଦେଇଥିବା ବେଳେ ଦୁଇ ଜଣ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଯାଇଥିଲେ। ଫଳରେ ଦୀର୍ଘ ସମୟ ରାସ୍ତା ଅବରୋଧ ହୋଇ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।
ଖବର ପାଇ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ସୁଧାଂଶୁଙ୍କୁ ମୃତ ଘୋଷଣା କରିଥିଲେ। ହେମଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଧରଣୀଧର ମେଡିକାଲ କଲେଜ ପଠାଇଛନ୍ତି।
