Dailyhunt

ଚୌଦ୍ବାର ଜେଲର ସ୍ବତନ୍ତ୍ର ସେଲ୍‌ରେ ରାଜା

ସମାଜ 3 weeks ago

ଟକ/ଚୌଦ୍ବାର: ଚୌଦ୍ବାର ଜେଲ୍‌ରୁ ଚମ୍ପଟ ମାରିଥିବା ଅନ୍ୟତମ ଅଭିଯୁକ୍ତ ରାଜା ସାହାଣୀ (୩୯)କୁ କମିସନରେଟ ପୁଲିସ ଗୁରୁବାର ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିଲା। ଆଜି ତାକୁ ଭୁବନେଶ୍ବର ଅଣାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅପରାହ୍ଣରେ କଟକ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ସନ୍ଧ୍ୟାରେ ତାକୁ ଚୌଦ୍ବାର ମଣ୍ଡଳ କାରାଗାର ପଠାଇ ଦିଆଯାଇଛି।

ଜେଲ୍‌ରେ ରାଜାକୁ ଏକ ସ୍ବତନ୍ତ୍ର ସେଲ୍‌ରେ ରଖାଯାଇଛି। ସେଠାରେ କ୍ୟାମେରା ସହ ସେନ୍‌ସର ଲଗାଯାଇଛି। ପାଳି କରି ଜଗିବା ପାଇଁ ୩ ଜଣ ଓ ତନଖି ପାଇଁ ଅଧିକ ୨ ଜଣଙ୍କୁ ମୁତୟନ କରାଯାଇଛି। ରାଜା ପୂର୍ବରୁ ଏଠାରେ ରହିଥିବାରୁ ଜେଲ୍‌ର ଭୌଗୋଳିକ ସ୍ଥିତି ତାକୁ ବେଶ୍‌ ଜଣା। ତେଣୁ ଅନ୍ୟ ଜେଲ୍‌କୁ ତାକୁ ସ୍ଥାନାନ୍ତର କରାଯିବା ସକାଶେ ଜେଲ୍‌ କର୍ତ୍ତୃପକ୍ଷ ବିଚାରବିମର୍ଶ କରୁଛନ୍ତି। ତଦନ୍ତରେ ସହଯୋଗ ଓ ଅଧିକ ପଚରାଉଚରା ପାଇଁ ପୁଲିସ ପକ୍ଷରୁ ଅଦାଲତରେ ୭ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ଜଣାପଡ଼ିଛି। ଆଜି ଛୁଟି ଦିବସ ଥିବାରୁ ଆସନ୍ତାକାଲି ଅଦାଲତ ଖୋଲିବା ପରେ ରିମାଣ୍ଡ ଅବଧି ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଅନ୍ୟତମ ଅଭିଯୁକ୍ତ ମଧୁକାନ୍ତକୁ ଜେରା ବେଳେ ପୁଲିସ ଅନେକ ତଥ୍ୟ ହାସଲ କରିଥିଲା। ତେବେ ରାଜା ସମ୍ପର୍କରେ ସେ ମୁହଁ ଖୋଲିନଥିଲା। ଏବେ ରାଜା ଗିରଫ ହୋଇଥିବାରୁ ସେମାନଙ୍କର କଳା ସାମ୍ରାଜ୍ୟ ଉପରୁ ପରଦା ହଟିବ ବୋଲି ପୁଲିସ ଆଶା ରଖିଛି।

ପ୍ରକାଶଥାଉ କି, ଚୌଦ୍ବାର ଜେଲ୍‌ରୁ ରାଜା ଫେରାର ହେବା ପରେ କର୍ଣ୍ଣାଟକରେ ୧୦ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟିଥିଲା। ତା'ର ସହଯୋଗୀମାନଙ୍କ ସହ ଏହି ଲୁଟ କରିଥିବା ବେଳେ ସେଠାରୁ ଫେରାର ହୋଇଯାଇଥିଲା। ଅନ୍ୟତମ ସହଯୋଗୀ ମଧୁକାନ୍ତ ରାଣା ଗିରଫ ହେବା ପରେ ରାଜା ଜାଣି ନେଇଥିଲା ପୁଲିସ ତା ପଛରେ ପଡ଼ିଛି। ସେଥିପାଇଁ ସେ କିଛିଦିନ ଅନ୍ତରରେ ସ୍ଥାନ ପରିବର୍ତ୍ତନ କରୁଥିଲା। ଉତ୍ତର ପ୍ରଦେଶ, ଦିଲ୍ଲୀ, ମୁମ୍ବଇ, ବିହାର, ଝାଡ଼ଖଣ୍ଡରେ ସେ ଅଧିକ ଦିନ ରହୁଥିଲା। କିଛିଦିନ ହେବ ସେ ଉତ୍ତରାଖଣ୍ଡରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଉତ୍ତରାଖଣ୍ଡ ପୁଲିସ ସହଯୋଗରେ ଋଷିକେଶରୁ ତାକୁ ଗିରଫ କରାଯାଇଥିଲା। ରାଜା ସାହାଣୀ ଗ୍ୟାଙ୍ଗରେ ୨୦୦୦ରୁ ଊର୍ଦ୍ଧ୍ବ ସହଯୋଗୀ ଥିବାବେଳେ ଦେଶର ମୋଷ୍ଟ ୱାଣ୍ଟେଡ ଡକାୟତ ଭାବରେ ବିଭିନ୍ନ ରାଜ୍ୟର ପୁଲିସ ତାକୁ ଖୋଜୁଥିଲା। ରାଜା ଓ ମଧୁକାନ୍ତ ଗ୍ୟାଙ୍ଗର ମୁଖ୍ୟ ରହୁଛି ନେପାଳରେ। ସେଠାରୁ ରହି ସେ ଅପରାଧିକ କାର୍ଯ୍ୟ ପରିଚାଳନା କରେ।

କାହାକୁ କେଉଁ କାମ ଦିଆଯିବ ତାହା ସେ ସ୍ଥିର କରୁଥିଲା। ଗ୍ୟାଙ୍ଗରେ ଟେକ୍ନିକାଲ ଟିମ୍ ମଧ୍ୟ ରହିଥିଲେ। ବିଶେଷକରି ବ୍ୟାଙ୍କ, ଅଳଙ୍କାର ଦୋକାନକୁ ସେମାନେ ଟାର୍ଗେଟ କରୁଥିଲେ। ସୁନା ଲୁଟ ସମୟରେ ଯେଉଁ ଗାଡ଼ିରେ ସୁନା ନେଇଥାନ୍ତି, ମୋବାଇଲ ଯେପରି ଟ୍ରାକ ହୋଇପାରିବ ନାହିଁ; ସେଥିପାଇଁ ଗାଡ଼ିରେ ଜାମର ବ୍ୟବହାର କରୁଥିଲେ। ଏହାସହ ସମସ୍ତେ ଜିପିଏସ ଏବଂ ହାଇ ଟେକ୍ନୋଲୋଜି ଆପ୍ଲିକେସନ୍ ଜରିଆରେ କଥାବାର୍ତ୍ତା କରିଥାନ୍ତି। ଡକାୟତି ପରେ ରାଜା ଓ ମଧୁକାନ୍ତ ସୁନାକୁ ନେପାଳ ଓ ଅନ୍ୟ ଦେଶରେ ଥିବା ଗ୍ୟାଙ୍ଗ୍‌ ସଦସ୍ୟଙ୍କୁ ବିକ୍ରି ପାଇଁ ପଠାଇଥାନ୍ତି। ଏହି ଉପାୟରେ ସେମାନେ କୋଟିକୋଟି ଟଙ୍କା ରୋଜଗାର କରୁଥିଲେ ବୋଲି ପୁଲିସ କମିସନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ୨୦୨୫ ଜାନୁଆରୀ ୪ରେ ପାଣିକୋଇଲି ଛକରେ ଏକ ଅଳଙ୍କାର ଦୋକାନରୁ ଲୁଟ ଓ ହତ୍ୟା ଘଟଣାରେ ଯାଜପୁର ପୁଲିସ ବିହାର ସାରନ ଜିଲାର ସିଂହ ଓରଫ ମଧୁକାନ୍ତ ରାଣା ଓ ରାଜା ସାହାଣୀକୁ ଗିରଫ କରିଥିଲା। ପରେ ଉଭୟଙ୍କୁ ଯାଜପୁରରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ୨୦୨୫ ଅକ୍ଟୋବର ୩ ତାରିଖ ଭୋର ସମୟରେ ଉଭୟ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିଲେ। ସୁଉଚ୍ଚ ପାଚେରିରେ କପଡ଼ାକୁ ବାନ୍ଧି ଉଭୟ ଖସି ପଳାଇଥିଲେ। ୪ମାସ ପରେ ଗତ ଫେବୃଆରୀ ୧୩ ତାରିଖରେ କମସିନରେଟ ପୁଲିସ ମଧୁକାନ୍ତକୁ ବୃନ୍ଦାବନର ଏକ ମଠରୁ ଗିରଫ କରିଥିଲା। ମଧୁକାନ୍ତ ଏବେ ଝାରପଡ଼ା ଜେଲରେ ରହିଛି। ଅନ୍ୟତମ ଅଭିଯୁକ୍ତ ରାଜାକୁ କମିସନରେଟ ପୁଲିସ ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia