ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ଅଧ୍ୟକ୍ଷ ଚିରାଗ ପାଶୱାନଙ୍କୁ ହତ୍ୟା ଧମକ ମିଳିଛି। କୌଣସି ଅଜ୍ଞାତ ବ୍ୟକ୍ତିଙ୍କ ପକ୍ଷରୁ ପଠାଯାଇଥିବା ଏକ ଚିଠିରେ ଚିରାଗଙ୍କୁ ହତ୍ୟା ଧମକ ଦିଆଯାଇଛି। ଚିଠିରେ ଲେଖାଯାଇଛି ଯେ, ଦୁର୍ଦାନ୍ତ ଆତଙ୍କବାଦୀମାନଙ୍କ ଦ୍ୱାରା ତୁମକୁ ହତ୍ୟା କରାଯିବ। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟକୁ ଡାକ ମାଧ୍ୟମରେ ଏକ ଅଜ୍ଞାତ ଚିଠି ଆସିଥିଲା।
ଚିଠିରେ ବିଭାଗର ମନ୍ତ୍ରୀ ଚିରାଗଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ଧମକପୂର୍ଣ୍ଣ ଚିଠି ମିଳିବା ପରେ ଚିରାଗଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖାଯାଇ ତୁରନ୍ତ ଏହାର ତଦନ୍ତ କରିବାକୁ ଅନୁରୋଧ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ବିହାର ସରକାର ଓ ସିଆରପିଏଫକୁ ଏହି ବିଷୟରେ ଜଣାଇ ଦିଆଯାଇଛି। ଏହି ଧମକପୂର୍ଣ୍ଣ ଚିଠିର ସତ୍ୟାସତ୍ୟ ଯାଞ୍ଚ କରିବା ସହ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ତାହାକୁ ଆହୁରି କଡ଼ାକଡ଼ି କରିବାକୁ ନିବେଦନ କରାଯାଇଛି। ଚିରାଗଙ୍କୁ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ 'ଜେଡ୍' ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଉଛି। ଏହି ପତ୍ରଟି କିଏ ଏବଂ କେଉଁଠାରୁ ପଠାଇଛି ସେ ନେଇ ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି।
